-
ରାଜ୍ୟପାଳଙ୍କୁ ଭେଟିଲା ବିଜେପି ବିଧାୟକ ଦଳ

ଭୁବନେଶ୍ୱର, ଶାସକ ବିଜେଡି ଦ୍ୱାରା ବିଧାନସଭା ଗୃହରେ ଅଗଣତାନ୍ତ୍ରିକ ଭାବେ ବିଭିନ୍ନ ବିଲ୍ ପାସ୍ କରାଯାଉଛି । ଗତକାଲି ତରବରିଆ ଭାବେ ୬ ଗୋଟି ବିଲ୍ ପାରିତ କରାଗଲା । ବିଲ୍ ଗୁଡିକ ପାରିତ ହେବା ସମୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସମେତ ବିଜେପିର ଅନ୍ୟ ବିଧାୟକମାନଙ୍କୁ ବିଲ୍ ସଂପର୍କରେ ମତ ରଖିବା ପାଇଁ ଅନୁମତି ଦିଆଗଲା ନାହିଁ । ଖୋଦ୍ ବାଚସ୍ପତି ବିଧାନସଭା ଗୃହରେ ନିରପେକ୍ଷତା ଅବଲମ୍ବନ ନକରି ଶାସକ ବିଜେଡିର ସଦସ୍ୟ ଭାବେ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ବିଧାନସଭା ଗୃହରେ ବିରୋଧୀଙ୍କୁ ଅଣଦେଖା କରିବା ଏବଂ ବିଧାନସଭା ଗୃହର ଗାରିମାକୁ ବାଚସ୍ପତି ନଷ୍ଟ କରିଥିବାରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ମହାମହିମ ରାଜ୍ୟପାଳଙ୍କୁ ଭେଟି ଗତକାଲି ପାରିତ ହୋଇଥିବା ୬ଟି ବିଲକୁ ତୁରନ୍ତ ଫେରସ୍ତ କରିବା ପାଇଁ ଅନୁରୋଧ କରିଛନ୍ତି । ବିଧାନସଭାରେ ବାଚସ୍ପତି ବିରୋଧୀଙ୍କୁ କହିବା ପାଇଁ ସୁଯୋଗ ଦେଉନାହାଁନ୍ତି । ବିଲ୍ ପାରିତ ହେବା ସମୟରେ ବାଚସ୍ପତି ନିରପେକ୍ଷତା ଅବଲମ୍ବନ କରିବା ଦରକାର । ଏଣୁ ପାରିତ ହୋଇଥିବା ବିଲଗୁଡିକୁ ପୁର୍ନବାର ବିଧାନସଭାକୁ ଫେରସ୍ତ କରାଯାଉ ଏବଂ ଏହି ବିଲ ଗୁଡିକ ଉପରେ ଆଲୋଚନା ହେବା ପରେ ଏହାକୁ ପାରିତ କରାଯାଉ ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ କହିଛନ୍ତି ।
ଗୋଟିଏ ବିଲରେ ଅନେକ ଦିଗ ରହିଥାଏ । ସେ ଦିଗ ଉପରେ ଆଲୋଚନା କରିବାର ଆବଶ୍ୟକତା ରହିିଛି । ଶାସକ ଦଳ ସଂଖ୍ୟା ଗରିଷ୍ଠତା ଗର୍ବରେ ଅଛନ୍ତି । ସେଥିପାଇଁ ସେମାନେ ନିଜ ଇଚ୍ଛା ଅନୁସାରେ ନିଷ୍ପତି ନେଉଛନ୍ତି । ବିଧାନସଭାରେ ଖଣି ଏବଂ ଆଇନ ଶୃଙ୍ଖଳା କଥା ଉଠିଲେ ଶାସକ ବିଜେଡି ଜାଣିଶୁଣି ବିଧାନସଭା ବନ୍ଦ କରାଉଛି । ଖଣି ସଂପର୍କରେ ଆଲୋଚନା କରିବା ପାଇଁ ବିଜେଡି ଭୟ କରୁଛି କାହିଁକି ବୋଲି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି ।
ଏହି ପ୍ରତିନିଧୀ ଦଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ କେ. ନାରାୟଣ ରାଓ, ସୁବାଷ ପାଣିଗ୍ରାହୀ, ନିତ୍ୟାନନ୍ଦ ଗଣ୍ଡ, ମୁକେଶ ମହାଲିଙ୍ଗ ଏବଂ ବିଧାୟିକା କୁସୁମ ଟେଟେ ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO