
ଜୟପୁର – କୋରାପୁଟ ଜିଲା ଲକ୍ଷ୍ମୀପୁରରେ ଚାଲିଥିବା କଡିଙ୍ଗା ମାଳି ବକ୍ସାଇଟ ଖନନ ବାବଦରେ ତଥ୍ୟ ଦେବା ପାଇଁ ଅଧିକ ସମୟ ମାଗିଛନ୍ତି ରାଜ୍ୟ ସରକାର । ଜୁଲାଇ ୨୮ ତାରିଖରେ ଖଣି ଖନନ କରିବା ପାଇଁ ଗ୍ରାମସଭା ହୋଇ ନଥିବା ଦର୍ଶାଇ ଜାତୀୟ ଜନଜାତି କମିଶନଙ୍କ ପାଖରେ ଦାମନଯୋଡିର ଯୁବକ ସୁରେଶ ସାଉଁତା ଏକ ମାମଲା ରୁଜୁ କରିଥିଲେ । ଏହାକୁ ଜାତୀୟ ଜନଜାତି କମିଶନ ଗୁରୁତ୍ୱର ସହ ନେଇ ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲେ । ସୁରେଶ ସାଉଁତା ଗ୍ରାମସଭା ନକରାଯାଇ ବକ୍ସାଇଟ ଖନନ କରାଯାଉଥିବା, ମାଲ ବୋଝେଇ ବକ୍ସାଇଟ ହାଇୱା ଯୋଗୁଁ ଦୁର୍ଘଟଣା ଘଟୁଥିବା ଏବଂ କାକିରିଗୁମ୍ମା ରେଳ ଷ୍ଟେସନରେ ବକ୍ସାଇଟ କଂଚାମାଲ ଲୋଡିଂ ସ୍ଥାନ କରାଯାଉଥିବାରୁ ମାଳିଚେମା ଗ୍ରାମ କ୍ଷତିଗ୍ରସ୍ଥ ହେଉଥିବା ନେଇ କମିଶନଙ୍କୁ ଲେଖି ଜଣାଇଥିଲେ । ଏହା ସହ ମାଲ ପରିବହନ ଯୋଗୁଁ ୫ଟି ଗ୍ରାମ ପଂଚାୟତର ୧୫ରୁ ଅଧିକ ଗ୍ରାମରେ ପ୍ରଦୂଷଣ ବଢିଥିବା ନେଇ ସୁରେଶ ସାଉଁତା ପ୍ରକାଶ କରିଛନ୍ତି । ଯାହା ଫଳରେ ରାଜ୍ୟ ଖଣି ବିଭାଗ ଏବଂ ରାଜ୍ୟ ସରକାରଙ୍କୁ ଏନେଇ ରିପୋର୍ଟ ପ୍ରଦାନ କରିବାପାଇଁ କମିଶନଙ୍କ ତରଫରୁ ନିଦେ୍ର୍ଧଶ ରହିଥିଲା । ଏହାର ଜବାବରେ ରାଜ୍ୟ ସରକାର ଅଧିକ ସମୟ ମାଗିଛନ୍ତି । ଏନେଇ କୋରାପୁଟ ଜିଲାପାଳ, କୋରାପୁଟ ଆରକ୍ଷୀ ଅଧିକ୍ଷକ ଏବଂ ଓଡିଶା ଖଣି ନିଗମର କାର୍ଯ୍ୟକାରୀ ନିଦେ୍ର୍ଧଶକଙ୍କୁ ଏକ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ କୁହା ଯାଇଥିବା ନେଇ ଏକ ଚିଠି ମାଧ୍ୟମରେ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ବି.କେ ଦେହୁରୀ ଜାତୀୟ ଜନଜାତି କମିଶନଙ୍କୁ ଜଣାଇଛନ୍ତି । ଏନେଇ ପ୍ରତିକ୍ରିୟା ଦେଇ ଆବେଦନକାରୀ ସୁରେଶ ସାଉଁତା କହିଛନ୍ତି,ସେ କମିଶନଙ୍କ ଉପରେ ବିଶ୍ୱାସ ରଖିଛନ୍ତି ଏବଂ କମିଶନ ନିଶ୍ଚୟ ଭାବରେ ଏହାର ଗୁରୁତ୍ୱକୁ ବୁଝି ରାୟ ଦେବା ନେି ସେ ଆଶାବାଦୀ ରହିଛନ୍ତି ।