ଭୁବନେଶ୍ୱର – ରାମ ମନ୍ଦିର ନିର୍ମାଣ ହେଉଛି ହିନ୍ଦୁ ସମାଜର ଶ୍ରଦ୍ଧା ଓ ବିଶ୍ୱାସର ବିଷୟ । ଏହା ରାଜନୈତିକ ବିଷୟ ନୁହେଁ ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସର କାର୍ଯ୍ୟବାହ ଡ. ମନମୋହନ ବୈଦ୍ୟ । ସେହିପରି ଧାରା ୩୭୦ ଏକ ଅସ୍ଥାୟୀ ଧାରା ଥିଲା । ଏହାର ସାମ୍ବିଧାନିକ ବୈଧାନତା ନଥିଲା । ତାକୁ ଉଠାଇ ଦିଆଯିବା ଦେଶର ଅଖଣ୍ଡତା ପାଇଁ ମଙ୍ଗଳ ହୋଇଛି । ଅପରପକ୍ଷରେ ପଶ୍ଚିମ ବଙ୍ଗରେ କ୍ରମାଗତ ଭାବରେ ଯେପରି ରାଷ୍ଟ୍ରବାଦି ଲୋକମାନଙ୍କୁ ହତ୍ୟା କରାଯାଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।
ଭୁବନେଶ୍ୱରରେ ଆୟୋଜିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକର ଉଦଘାଟନ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବୈଦ୍ୟ କହିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସ୍ୱୟଂସେବକ ମାନଙ୍କର କଠିନ ପରିଶ୍ରମ ପାଇଁ ସାରା ଦେଶରେ ସଂଘର ଶାଖା କାମ ପ୍ରଭାବି ଢଙ୍ଗରେ ବଢିବାରେ ଲାଗିଛି । ବିଶେଷ ଭାବରେ ଯୁବା ବର୍ଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଆଦୃତ ହେଉଛି । ସରକାର ସବୁ କରିପାରିବେ ନାହିଁ । ସମାଜ ନିଜେ ନିଜର ଦାୟୀତ୍ୱ ନେବାକୁ ପଡିବ । ଏପ୍ରକାର ଭାବନାକୁ ନେଇ ସଙ୍ଘର ସ୍ୱୟଂସେବକ ମାନେ ସମାଜରେ ପରିବର୍ତନରେ ସକ୍ରିୟ ଅଛନ୍ତି । ୧୯୯୮ରେ ଆରମ୍ଭ ହୋଇଥିବା ଗ୍ରାମ ବିକାଶର ପ୍ରଭାବ ଏବେ ଅନେକ ଗାଁରେ ଦେଖିବାକୁ ମିଳୁଛି । ସଙ୍ଘର ସ୍ୱୟଂସେବକ ମାନେ ଦେଶରେ ଜାତିପ୍ରଥାକୁ ଲୋପ କରି ଦେଶରେ ସାମାଜିକ ସମରସ୍ତା ପାଇଁ କାମ କରୁଛନ୍ତି । ସମାଜରେ ଭାରତୀୟ ଆଦର୍ଶ ପରିବାର ବ୍ୟବସ୍ଥା, ଏକାଠି ମିଳିମିଶି ରହିବାର ମାନସିକତା ଧିରେ ଧିରେ କମୁଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର କୁଟୁମ ପ୍ରବୋଧନର କାମ ଆରମ୍ବ ହୋଇଛି । ପରିବେଶ ସୁରକ୍ଷା ପାଇଁ ପାଣିର ସୁବିନିଯୋଗ, ପ୍ଲାଷ୍ଟିକର କମ ବ୍ୟବହାର ଓ ବୃକ୍ଷରୋପଣ ଉପରେ ସଙ୍ଘ ଗୁରୁତ୍ୱ ଦେଉଛି ।
ଆଜିର ଏହି ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ବିଶେଷ ଭାବରେ ଏହି ସମସ୍ତ ପ୍ରସଙ୍ଗରେ ଆଲୋଚନାମାନ ହେବାର କାର୍ଯ୍ୟକ୍ରମ ରହିଛି । ୨୦୧୩ରେ ଅନଲାଇନ ମାଧ୍ୟମରେ ସଙ୍ଘରେ ନୁଆବର୍ଗଙ୍କୁ ଯୋଡିବା ପାଇଁ ଜଏନ ଆରଏସଏସ ନାମରେ େଓବସାଇଟ ମାଧ୍ୟମରେ ସଙ୍ଘରେ ଯୋଡିବାର ପ୍ରୟାସ ଆରମ୍ଭ ହୋଇଥିଲା । ୨୦୧୩ରେ ଜଏନ ଆରଏସଏସ ମାଧ୍ୟମରେ ୮୮,୮୪୩ ଜଣ ସଙ୍ଘରେ ଯୋଡି ହୋଇଥିଲେ । ୨୦୧୪ ରୁ ୨୦୧୬ ଭିତରେ ହାରାହାରି ଭାବରେ ବାର୍ଷିକ ୯୦ ହଜାର ରୁ ୯୫ ହଜାର , ୨୦୧୭ରେ ୧,୨୫,୦୦୦, ସେହିପରି ୨୦୧୮ରେ ୧,୦୫,୦୦୦ ଓ ୨୦୧୯ରେ ଆଜି ସୁଦ୍ଧା ୧ ଲକ୍ଷ ୩ ହଜାର ସ୍ୱୟଂ ସେବକ ସଙ୍ଘରେ ଯୋଡି ହୋଇଛନ୍ତି ।
ସଂଘର କାର୍ଯ୍ୟକର୍ତାମାନଙ୍କର ପ୍ରଶିକ୍ଷିଣ ଉପରେ ଜୋର ଦିଆଯାଉଛି । ଏଥିପାଇଁ ନିୟମିତ କାର୍ଯ୍ୟକର୍ତା ବିକାଶ ବର୍ଗର ଆୟୋଜନ ହେଉଛି । ସେମାନଙ୍କର ପ୍ରଶିକ୍ଷଣ କିପରି ଆହୁରି ବିକାଶ ଓ ମୂଲ୍ୟଯୁକ୍ତ କରାଯାଇପାରିବ ସେଥିପାଇଁ ଏହି ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ବ୍ୟାପକ ଆଲୋଚନା ହେବ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଏପରି ବୈଠକ ବର୍ଷକୁ ଦୁଇ ଥର ହୁଏ । ଅକ୍ଟୋବର ମାସରେ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ଓ ମାର୍ଚ୍ଚରେ ପ୍ରତିନିଧି ମଣ୍ଡଳ ବୈଠକ ବସେ । ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ସଙ୍ଘର ସମସ୍ତ ପ୍ରାନ୍ତୀୟ ସ୍ତରର ଅଧିକାରି ମାନେ ସାମିଲ ହୁଅନ୍ତି । ୩ ଦିନ ହେବାକୁ ଥିବା ଏହି ବୈଠକରେ ୩୫୦ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଅରୁଣ କୁମାର ଓ ଅଖିଳ ଭାରତୀୟ ସହ ପ୍ରଚାର ପ୍ରମୁଖ ନରେନ୍ଦ୍ର ଠାକୁର ଉପସ୍ଥିତ ଥିଲେ ।