
ଭୁବନେଶ୍ୱର, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ କୃଷି ଆଇନ କଳା ଆଇନ ହୋଇ ଥିବାରୁ ତା ବିରୁଦ୍ଧରେ ଆଜି ଦେଶବ୍ୟାପୀ ଚାଷୀ ସଂଗଠନ ମାନଙ୍କର ଧର୍ମଘଟ ଡାକରା ଦିଆ ଯାଇଛି । ତେଣୁ ଗୃହକୁ ବନ୍ଦ କରିବାକୁ ଦାବି କରି କଂଗ୍ରେସ ଦଳର ବିଧାୟକ ମାନଙ୍କ ପକ୍ଷରୁ ଆଜି ହଟ୍ଟଗୋଳ ସୃଷ୍ଟି କରା ଯାଇଥିଲା । ଫଳରେ ପ୍ରଶ୍ନୋତର କାର୍ଯ୍ୟକ୍ରମ କିମ୍ବା ଶୂନ୍ୟକାଳ କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା । ହଟ୍ଟଗୋଳ ପାଇଁ ଗୃହରେ ଦେଖା ଯାଇଥିବା ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ପ୍ରଥମେ ୧୦.୩୧ରୁ ୧୧.୩୦ ଯାଏ ଓ ପରେ ୧୧.୩୫ରୁ ଅପରାହ୍ନ ଚାରିଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଅନ୍ୟ ପକ୍ଷରେ ରାଜ୍ୟର ଆଇନ ଶୃଙ୍ଖଳା ସମ୍ପର୍କିତ ଶ୍ୱେତପତ୍ର ଗୃହ ବିଭାଗ ପକ୍ଷରୁ ଉପସ୍ଥାପନା କରା ଯାଇଥିଲା । ସେହିପରି ଆଜିର କାର୍ଯ୍ୟକ୍ରମରେ ମୁଲତବୀ ନୋଟିସ ସ୍ଥାନିତ ନ ହେବା ବିଶେଷ ଘଟଣା ଥିଲା ।
ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ ୧୦.୩୦ରେ ଗୃହର କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ଦଳର ସଭ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ହୋ ହାଲ୍ଲା କରିଥିଲେ । ଚାଷୀ ଆନ୍ଦୋଳନ ନେଇ ସେମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜୀ କରିଥିଲେ । ଚାଷୀ ମାନଙ୍କର ସୁରକ୍ଷା ଆମର ଦାବି, ରାଜ୍ୟ ସରକାରଙ୍କ ଦୋ ମୁହାଁ ନୀତି ଚଳିବ ନାହିଁ, ଆମର ଦାବି ସରକାର ତୁମେ ମାନି ନିଅ, ଆଦି ସ୍ଲୋଗାନ ମାନ ଦେଇଥିବାର ଦେଖିବାକୁ ମିଳିଥିଲା । କଂଗ୍ରେସ ବିଧାୟକ ମାନେ ବାଚସ୍ପତିଙ୍କ ପୋଡିୟମକୁ ବାଡେଇବା ଦେଖିବାକୁ ମିଳିଥିଲା । ଅନ୍ୟ ପକ୍ଷରେ ବାଚସ୍ପତି ସେମାନଙ୍କୁ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ । ହେଲେ କଂଗ୍ରେସ ବିଧାୟକ ମାନେ ଏହା ନ ଶୁଣି ନିଜ ଜିଦରେ ଅଟଳ ରହିଥିଲେ । ହଟ୍ଟଗୋଳ କାରଣରୁ ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ଗୃହକୁ ୧୦.୩୧ରୁ ୧୧.୩୦ ଯାଏ ମୁଲତବୀ ଘୋଷଣା କରିଥିଲେ ।
୧୧.୩୦ରେ ଗୃହର ବୈଠକ ପୁଣି ଥରେ ବସିଥିଲା । କଂଗ୍ରେସ ଦଳର ସଦସ୍ୟ ମାନେ ସେହି ସମାନ ପ୍ରସଙ୍ଗରେ ସମାନ ଢଙ୍ଗରେ ହଟ୍ଟଗୋଳକୁ ଜାରୀ ରଖିଥିଲେ । କଂଗ୍ରେସ ବିଧାୟକ ମାନେ ପୋଡିୟମକୁ ବାଡେଇବା, ଫାଇବର ଗ୍ଲାସକୁ ବାଡେଇବା ଓ ଚେୟାରକୁ ପୋଡିୟମ ଉପରକୁ ନେବାକୁ ଉଦ୍ୟମ କରିବା ଦେଖିବାକୁ ମିଳିଥିଲା ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO