ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ ୧୦.୩୦ରେ ଗୃହର କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ଦଳର ସଭ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ହୋ ହାଲ୍ଲା କରିଥିଲେ । ଚାଷୀ ଆନ୍ଦୋଳନ ନେଇ ସେମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜୀ କରିଥିଲେ । ଚାଷୀ ମାନଙ୍କର ସୁରକ୍ଷା ଆମର ଦାବି, ରାଜ୍ୟ ସରକାରଙ୍କ ଦୋ ମୁହାଁ ନୀତି ଚଳିବ ନାହିଁ, ଆମର ଦାବି ସରକାର ତୁମେ ମାନି ନିଅ, ଆଦି ସ୍ଲୋଗାନ ମାନ ଦେଇଥିବାର ଦେଖିବାକୁ ମିଳିଥିଲା । କଂଗ୍ରେସ ବିଧାୟକ ମାନେ ବାଚସ୍ପତିଙ୍କ ପୋଡିୟମକୁ ବାଡେଇବା ଦେଖିବାକୁ ମିଳିଥିଲା । ଅନ୍ୟ ପକ୍ଷରେ ବାଚସ୍ପତି ସେମାନଙ୍କୁ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ । ହେଲେ କଂଗ୍ରେସ ବିଧାୟକ ମାନେ ଏହା ନ ଶୁଣି ନିଜ ଜିଦରେ ଅଟଳ ରହିଥିଲେ । ହଟ୍ଟଗୋଳ କାରଣରୁ ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ଗୃହକୁ ୧୦.୩୧ରୁ ୧୧.୩୦ ଯାଏ ମୁଲତବୀ ଘୋଷଣା କରିଥିଲେ ।
୧୧.୩୦ରେ ଗୃହର ବୈଠକ ପୁଣି ଥରେ ବସିଥିଲା । କଂଗ୍ରେସ ଦଳର ସଦସ୍ୟ ମାନେ ସେହି ସମାନ ପ୍ରସଙ୍ଗରେ ସମାନ ଢଙ୍ଗରେ ହଟ୍ଟଗୋଳକୁ ଜାରୀ ରଖିଥିଲେ । କଂଗ୍ରେସ ବିଧାୟକ ମାନେ ପୋଡିୟମକୁ ବାଡେଇବା, ଫାଇବର ଗ୍ଲାସକୁ ବାଡେଇବା ଓ ଚେୟାରକୁ ପୋଡିୟମ ଉପରକୁ ନେବାକୁ ଉଦ୍ୟମ କରିବା ଦେଖିବାକୁ ମିଳିଥିଲା ।