
ଭୁବନେଶ୍ୱର, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ତିନୋଟି କୃଷି ଆଇନକୁ ଓଡିଶାରେ କାର୍ଯ୍ୟକାରୀ ନ କରିବା ପାଇଁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଆଣିଥିବା ପ୍ରସ୍ତାବକୁ ଗ୍ରହଣ କରି ଆଲୋଚନା କରିବା ସମ୍ପର୍କରେ ଆଜି ହେବାକୁ ଥିବା କାର୍ଯ୍ୟ ପରାମର୍ଶଦାତା ସମିତିର ବୈଠକ ଆଜି ହେବା ପରିବର୍ତେ ଶନିବାର ଦିନ ହେବ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ଗୃହରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ୧୧.୩୦ରେ ଗୃହକାର୍ଯ୍ୟ ପୁଣି ଥରେ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ମାନେ ସେହି ସମାନ ପ୍ରସଙ୍ଗରେ ହଟ୍ଟଗୋଳ କରିବା ମଧ୍ୟରେ ବାଚସ୍ପତି ଏହି ଘୋଷଣା କରିଥିଲେ । ସେ କହିଥିଲେ ଯେ ଗତ କାଲି ଏ ସମ୍ପର୍କରେ ନିଷ୍ପତି ନେବାକୁ ଆଜି ଗୃହର କାର୍ଯ୍ୟ ପରାମର୍ଶଦାତା ସମିତିରେ ଆଲୋଚନା ହେବ ବୋଲି କହିଥିଲେ । ହେଲେ ଆଜି ବିଭିନ୍ନ ବିଭାଗର ଖର୍ଚଦାବି ଉପରେ ଆଲୋଚନା ହେବାକୁ ଥିବାରୁ ଏହି ବୈଠକ ୨୭ ମାର୍ଚରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ । ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ତିନୋଟି କୃଷି ଆଇନକୁ ଓଡିଶାରେ କାର୍ଯ୍ୟକାରୀ ନ କରିବା ପାଇଁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଆଣିଥିବା ପ୍ରସ୍ତାବକୁ ଗ୍ରହଣ କରି ଆଲୋଚନା କରିବା ପାଇଁ ଗୁରୁବାର ଦିନ କଂଗ୍ରେସ ପକ୍ଷରୁ ଦାବି କରା ଯାଇଥିଲା । ଏଥି ନେଇ ମଧ୍ୟ ବାଚସ୍ପତି ଓ କଂଗ୍ରେସ ସଭ୍ୟ ମାନଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିବା ଦେଖା ଯାଇଥିଲା ।
ଗୁରୁବାର ଦିନ ଶୂନ୍ୟକାଳରେ ନରସିଂହ ମିଶ୍ର କହିଲେ ଯେ ସେ ଏ ସମ୍ପର୍କିତ ପ୍ରସ୍ତାବ ଦେଇଛନ୍ତି । ତା ଉପରେ ଆଲୋଚନା କରା ଯାଇ ଗୃହରେ ସଂକଳ୍ପ ନିଆ ଯାଉ । କିଛି ରାଜ୍ୟ କେନ୍ଦ୍ର ସରକାରଙ୍କ ଆଇନକୁ କାର୍ଯ୍ୟକାରୀ କରି ନାହାନ୍ତି । ତେଣୁ ଏହା ଉପରେ ଆଲୋଚନା କରା ଯାଉ । ମାତ୍ର ବାଚସ୍ପତି ଏହା ଉପରେ କୌଣସି ନିର୍ଦିଷ୍ଟ ରୁଲିଂ ନ ଦେବାକୁ କଂଗ୍ରେସ ପକ୍ଷରୁ ପାଟିତୁଣ୍ଡ କରା ଯାଇଥିଲା । ଆସନ୍ତା ପାଂଚ ତାରିଖ ଦିନ ବେସରକାରୀ ଦିବସ ରହିଛି । ସେଦିନ ଏ ସମ୍ପର୍କରେ ଆଲୋଚନା କରା ଯାଇ ପାରେ ବୋଲି ବାଚସ୍ପତି କହିଥିଲେ । ତେବେ କଂଗ୍ରେସ ଦଳର ସଭ୍ୟ ମାନେ ରାଜି ହୋଇ ନ ଥିଲେ । ତେଣୁ ଗୁରୁବାର ଦିନ ବାଚସ୍ପତି କହିଥିଲେ ଯେ ଆସନ୍ତା କାଲି ଅର୍ଥାତ ୨୬ ମାର୍ଚରେ ବିଜନେସ ଆଡଭାଇଜରି କମିଟୀର ବୈଠକ ବସିବ ଓ ଏଥିରେ ଆଲୋଚନା କରା ଯାôଇ ଏ ସମ୍ପର୍କରେ ନିଷ୍ପତି ନିଆ ଯିବ ।