ଗଞ୍ଜାମ,କରୋନାର ସେକେଣ୍ଡ ଷ୍ଟ୍ରେନ୍ କୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ଦୋଳ ଉତ୍ସବ ସମେତ ସର୍ବସାଧାରଣରେ ହୋଲି ପାଳନକୁ ବାରଣ କରାଯାଇଛି । କେବଳ ସେତିକି ନାହିଁ ହୋଲି ସାମଗ୍ରୀ ମଧ୍ୟ ବଜାରରେ ବିକ୍ରୀ ନେଇ ବ୍ୟବସାୟୀଙ୍କ ଉପରେ ରୋକ୍ ଲଗାଯାଇଛି । ସହର ମଧ୍ୟରେ କେହି ହୋଲି ସାମଗ୍ରୀ ବିକ୍ରୀ କରିପାରିବେ ନାହିଁ । ଯେଉଁ ମାନେ ଏହାର ଖିଲାପ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଏମସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଅନ୍ୟପକ୍ଷରେ ସିଜିନାଲ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀ ଗତବର୍ଷ ଭଳି ଚଳିତ ବର୍ଷ ନିରାଶ ହୋଇଛନ୍ତି । ରାକ୍ଷୀ ହେଉ କି ହୋଲି ବିଭିନ୍ନ ମାସରେ ବିଭିନ୍ନ ପର୍ବପର୍ବାଣୀ ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ବିକ୍ରୀ କରୁଥିବା ବ୍ୟବସାୟୀ ଗତ ବର୍ଷ ସାରା ସମସ୍ତ ବ୍ୟବସାୟ ବନ୍ଦ କରିଥିଲେ । ଚଳିତ ବର୍ଷ ଜନଜୀବନ ସ୍ୱାଭାବିକ୍ ହୋଇଥିବା ଯୋଗୁଁ ବ୍ୟବସାୟକୁ ନେଇ ଆଶା ବାନ୍ଧି ଥିଲେ । ଏହା ସହ ଗତବର୍ଷ ହୋଲି ଉତ୍ସବ ପାଳନ କରିନଥିବା ସହରବାସୀ ଚଳିତ ବର୍ଷ ଏହାର ଭରପୁର ମଜା ଉଠାଇବା ପାଇଁ ବିଭିନ୍ନ ପ୍ରକାର ଯୋଜନା ରଖିଥିବା ବେଳେ ସେସବୁ ଫିକା ପଡିଛି ।