ଜଗତସିଂହପୁର, ଜଗତସିଂହପୁର ଜିଲ୍ଲାରେ ଦୋଳ ଓ ରଙ୍ଗର ପର୍ବ ହୋଲି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡ଼୍ ଲାଇନ୍ ଜାରୀ କରାଯାଇଛି । ସର୍ବସାଧାରଣ ସ୍ଥାନରେ ହୋଲି ଖେଳକୁ ବାରଣ କରାଯାଇଛି । କରୋନା ସଂକ୍ରମଣକୁ ଏଡାଇବା ପାଇଁ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ମନ୍ଦିରରେ ଦୋଳ ନୀତି ସର୍ବାଧିକ ୨୦ ଜଣଙ୍କୁ ନେଇ ପାଳନ କରାଯିବାକୁ ଅନୁମତି ପ୍ରଦାନ କରାଯାଇଛି । ସେହିପରି ଦୋଳ ମେଳଣରେ ୧୦୦ ଲୋକ ଏକାଠି ହେବାକୁ ଅନୁମତି ମିଳିଛି । ସମସ୍ତେ କୋଭିଡ଼୍ କଟକଣା ମାନିବା ସହ ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷାକୁ ବାଧ୍ୟତାମୂଳକ କରାଯାଇଛି । ଦୋଳ ମେଳଣରେ ପରସ୍ପର ଉପରେ ରଙ୍ଗ ଓ ଅବିର ପକାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହା ବ୍ୟତୀତ ପ୍ରତ୍ୟେକ ଦୋଳ ବିମାନ ସାଙ୍ଗରେ ୬ ଜଣ ଯିବାକୁ ଅନୁମତି ରହିଛି । ବାଜା, ନାଚ ଗୀତ, ମୀନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ଉପରେ ରୋକ୍ ଲଗାଯାଇଛି । ଏପରିକି ରାତି ୧୨ ଟା ସୁଦ୍ଧା ଦୋଳ ମେଳଣ ସାରିବାକୁ ପ୍ରଶାସନିକ ନିର୍ଦ୍ଦେଶ ରହିଛି ।