-
ମଦ ବନ୍ଦ, ଗୋରକ୍ଷା, ଓଡିଆ ଭାଷାରେ କାମ ଓ ଧର୍ମାନ୍ତରୀକରଣକୁ ନେଇ ମହାତ୍ମାଙ୍କ ବିଚାରକୁ ସମ୍ପୂର୍ଣ ଅଣଦେଖା କରି କାମ କରୁଛନ୍ତି ରାଜ୍ୟ ସରକାର – ପ୍ରଦୀପ୍ତ ନାଏକ
ଭୁୁବନେଶ୍ୱର,ମହାତ୍ନା ଗାନ୍ଧୀଙ୍କର ଓଡିଶା ଆଗମନର ଶହେ ବର୍ଷ ପୂର୍ତି ଅବସରରେ ବିଧାନସଭାରେ ଏ ସମ୍ପର୍କିତ ଆଲୋଚନା ବେଳେ ବକ୍ତବ୍ୟ ରଖି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରାଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର ଗାନ୍ଧୀଙ୍କ କଥା କହୁଥିବା ବେଳେ ରାଜ୍ୟ ସରକାର ଗାନ୍ଧୀଙ୍କ ନୀତିର ସମ୍ପୂର୍ଣ ଓଲଟା କାମ କରୁଛନ୍ତି । ନିଶା ନିବାରଣ ଠାରୁ ଆରମ୍ଭ କରି ଗୋରକ୍ଷା, ଓଡିଆ ଭାଷାରେ ଶିକ୍ଷା ଓ ସରକାରୀ କାମ କରା ଯିବା ଓ ଧର୍ମାନ୍ତରୀକରଣ ପ୍ରସଙ୍ଗରେ ମହାତ୍ନା ଗାନ୍ଧୀଙ୍କ ବିଚାରକୁ ସମ୍ପୂର୍ଣ ରୂପେ ଅଣଦେଖା କରି ରାଜ୍ୟ ସରକାର କାମ କରୁଛନ୍ତି ବୋଲି ଶ୍ରୀ ନାଏକ ତାଙ୍କର ଭାଷଣରେ ଉଲ୍ଲେଖ କରିଛନ୍ତି ।
ସେ କହିଛନ୍ତି ଯେ ଆଜି ମହାତ୍ମା ଗାନ୍ଧୀଙ୍କର ଓଡିଶା ଆଗମନର ଶହେ ବର୍ଷ ପୂର୍ତି ପାଳନ ଅବସରରେ ଆମେ କେବଳ ଇତିହାସରେ କଣ ଘଟିଥିଲା ତାର ଉପସ୍ଥାପନା କରିବାରେ ଯେତିକି ଆବଶ୍ୟକତା ଅଛି ତାଠାରୁ କେଇ ଗୁଣଅଧିକ ଆବଶ୍ୟକତା ତାଙ୍କ ବିଚାରକୁ କେତେଦୂର ପାଳନ କରୁଛେ ଓ ରାଜ୍ୟ ସରକାରଙ୍କ ନୀତି ଗାନ୍ଧୀ ବିଚାରରେ କେତେ ପରିଚାଳିତ ହେଉଛି ତାଉପରେ ତର୍ଜମା ର ଆବଶ୍ୟକତା ଅଛି । ଗାନ୍ଧୀ ଜଣେ ବ୍ୟକ୍ତିି ନୁହେଁ । ଗାନ୍ଧୀ ହେଉଛନ୍ତି ଏକ ବିଚାର । ଗାନ୍ଧୀ ଆସିଥିଲେ ମାନେ ଗାନ୍ଧୀଙ୍କ ବିଚାର ଆସିଥିଲା । ଯଦି ଆମେ ଗାନ୍ଧୀଙ୍କ ବିଚାର ଉପରେ ଆଲୋଚନା କରିବା ହେଲେ ତାକୁ ସରକାରଙ୍କ ନୀତିରେ ପ୍ରତିଫଳିତ କରିବା ନାହିଁ ତେବେ ଏହା ଲୋକମାନଙ୍କ ଆଗରେ ମିଛ ନାଟକ ଭଳି ଲାଗିବ । ମଦ ବିଷୟରେ ଗାନ୍ଧୀ କହିଥିଲେ, “ଭାରତ ଗରୀବ ହୋଇ ରହୁ ଏହାକୁ ମୁଁ ପସନ୍ଦ କରିବି, କିନ୍ତୁ ହଜାର ହଜାର ଲୋକ ମଦୁଆ ହୁଅନ୍ତୁ, ଏହାକୁ ମୁଁ ବରଦାସ୍ତ କରିବି ନାହିଁ ।”(ୟଙ୍ଗ ଇଣ୍ଡିଆ. ୧୫.୦୯.୧୯୨୭) । ରାଜ୍ୟ ସରକାର ମଦ ଟିକସ କିପରି ବଢିବ, ଲୋକେ କିପରି ଅଧିକ ମଦୁଆ ହେବେ, ଯିଏ ଅଧିକ ମଦ ବିକିବ ତାକୁ ପୁରସ୍କାର ଦେବେ ସେହି ନୀତିରେ ଚାଲୁଛନ୍ତି । ଏହା ଗାନ୍ଧୀଜୀଙ୍କ ପ୍ରତି କି ପ୍ରକାର ଶ୍ରଦ୍ଧାଂଜଳି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ ଓଡିଶା ଦେଶର ପ୍ରଥମ ରାଜ୍ୟ ଯେଉଁ ଠାରେ ଗୋହତ୍ୟା ନିରୋଧ ଆଇନ ଆସିଥିଲା । ମାତ୍ର ବର୍ତମାନ ପରିସ୍ଥିତିରେ ସବୁଠାରୁ ଅଧିକ ଗୋଚାଲାଣ ଓଡିଶାରୁ ହିଁ ହେଉଛି । ପ୍ରତିଦିନ ଗୋଚାଲାଣର ଖବର ସମ୍ବାଦପତ୍ର ପୃଷ୍ଠା ମଣ୍ଡନ କରୁଛି । ପୋଲିସ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ଗୋରକ୍ଷାକୁ ନେଇ ମହାତ୍ମାଙ୍କ ବିଚାର କଣ ଥିଲା ? ଗାନ୍ଧୀ କହିଥିଲେ, “ମୁଁ ଗାଈକୁ ପୂଜା କରେ ଓ ତାର ପୂଜାର ସମର୍ଥନ କରିବା ପାଇଁ ସମଗ୍ର ବିଶ୍ୱର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି । (ୟଙ୍ଗ ଇଣ୍ଡିଆ ୧-୧-୧୯୨୫) ରାଜ୍ୟରେ ଇଂରାଜୀ ଭାଷାରେ ସରକାରୀ କାମ ହେଉଛି । ଓଡିଶାରେ ଓଡିଆ ଭାଷା ଅଣଦେଖା ହେଉଛି । ହେଲେ ଗାନ୍ଧୀ ଜୀ କହିଥିଲେ ଯେ – “ଇଂରାଜୀ ବିନା ଆମର କାମ ଚଳି ପାରିବ ନାହିଁ ବୋଲି ଆମେ ଯାହା ଭାବୁଛେ, ତାହା ଆମର ମାନସିକ ଦାସତ୍ୱର ପ୍ରତିଫଳନ ଅଟେ । ଏହି ପରାଜୟବାଦକୁ ମୁଁ କେବେ ହେଲେ ସମର୍ଥନ କରି ପାରିବି ନାହିଁ ।”(ହରିଜନ, ୨୫.୦୮.୧୯୪୬)
ସେ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଧର୍ମାନ୍ତରୀକରଣର ଦୃଢ ବିରୋଧୀ ଥିଲେ । ସେ ଥରେ କହିଥିଲେ ଯେ ଯଦି ତାଙ୍କ ପାଖରେ କ୍ଷମତା ଥାଆନ୍ତା ତେବେ ସେ ଖ୍ରିଷ୍ଟିଆନ ମିଶନାରୀ ମାନଙ୍କର ଧର୍ମାନ୍ତରୀକରଣର ଏହି ଧନ୍ଦାକୁ ସମ୍ପୂର୍ଣ ରୂପେ ବନ୍ଦ କରି ଦିଅନ୍ତେ । ହେଲେ ଓଡିଶାରେ ଆଇନ ଥିବା ସତ୍ୱେ ଧର୍ମାନ୍ତରୀକରଣ ଖୋଲାଖୋଲି ଭାବେ ଚାଲିଛି । ଏହା ଗାନ୍ଧୀଜୀଙ୍କ ପ୍ରତି କି ପ୍ରକାର ଶ୍ରଦ୍ଧାଂଜଳି ବୋଲି ସେ ପ୍ରଶ୍ନ କରିଥିଲେ ।
ସେ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଭାରତର ଆତ୍ମାକୁ ଚିହ୍ନିଥିଲେ । ତାଙ୍କର ବିଚାର ଅନୁସାରେ ଭାରତ ବିକାଶ ପଥରେ ଅଗ୍ରସର ହେବା ଉଚିତ ଥିଲା । ଗାଁ, ଗାଈ, ଭାରତୀୟ ସଭ୍ୟତା, ସଂସ୍କୃତି, ଆଧ୍ୟାତ୍ମିକତା, ଧର୍ମାନ୍ତରଣ ମୁକ୍ତ ସମାଜ, ମଦମୁକ୍ତ ସମାଜ ଥିଲା ଗାନ୍ଧୀଙ୍କ ସ୍ୱପ୍ନ ଥିଲା ବିଦେଶୀ ବ୍ୟବସ୍ଥା ବଦଳରେ ଭାରତୀୟ ବ୍ୟବସ୍ଥା ଲାଗୁ କରିବାର ସେ ପକ୍ଷଧର ଥିଲେ । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ନିଜକୁ ଗାନ୍ଧୀବାଦୀ ବୋଲି କହୁଥିବା ସରକାର ତାଙ୍କର ଏହି ବିଚାରକୁ ଭୁଲି ଯାଇଛନ୍ତି । ଗୋ ହତ୍ୟା ସମ୍ପୂର୍ଣ ବନ୍ଦ କରିବା, ଧର୍ମାନ୍ତରୀକରଣ ଉପରେ ସମ୍ପୂର୍ଣ କଟକଣା, ଇଂରାଜୀ ବ୍ୟବସ୍ଥା ବଦଳରେ ଭାରତୀୟ ବ୍ୟବସ୍ଥା ଲାଗୁ କରିବା, ଭାରତୀୟ ଭାଷାରେ ପିଲା ମାନଙ୍କୁ ପାଠପଢା ସହ ସରକାରୀ ଅଫିସ, ନ୍ୟାୟାଳୟରେ ଓଡିଆରେରେ କାମ କରାଇବା, ମଦ ସମ୍ପୂର୍ଣ ରୂପେ ବନ୍ଦ କରିବା ଆଦି ପଦକ୍ଷେପ ନେଲେ ଗାନ୍ଧୀଜୀଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଂଜଳି ହେବ ବୋଲି ସେ କହିଛନ୍ତି ।