ପୁରୀ, ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଫେରିଛନ୍ତି । ତାଙ୍କ ସହ ତାଙ୍କ ପରିବାର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ଗଣେଶୀ ଲାଲ ପ୍ରମୁଖ ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରିଥିଲେ । ପୂର୍ବାହ୍ନ ୯ଟା ୧୮ ମିନିଟ୍ ସମୟରେ ରାଷ୍ଟ୍ରପତି କୋବିନ୍ଦ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ବାଇଶି ପାହଚରେ ପ୍ରବେଶ ପୂର୍ବରୁ ପତିତପାବନଙ୍କୁ ପ୍ରଣିପାତ କରିଥିଲେ । ପରେ ପରେ ସାତପାହଚ ଦେଇ ଗୁରୁଡ଼ ସ୍ତମ୍ବ ଦେଇ ରତ୍ନ ସିଂହାସନ ତଳେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରିଥିଲେ । ସେଠାରୁ ବେହେରଣ ଦ୍ୱାର ଦେଇ ମୁକ୍ତି ମଣ୍ଡପ ନିକଟକୁ ଆସିଥିଲେ । ମୁକ୍ତି ମଣ୍ଡପ ଠାରେ ବ୍ରାହ୍ମଣ ମାନେ ଏକ ସ୍ୱରରେ ବେଦପାଠ କରିବା ଶ୍ରବଣ କରିଥିଲେ । ପରେ ପରେ ମା ବିମଳାଙ୍କ ମନ୍ଦିରରେ ମାଙ୍କୁ ଦର୍ଶନ କରି ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇଥିଲେ । ମା ଲକ୍ଷ୍ମୀଙ୍କୁ ଦର୍ଶନ କରିବା ପରେ ସେଠାରେ କୌଳିକ ପଣ୍ଡାଙ୍କ ରେଜିଷ୍ଟରରେ ଦସ୍ତଖତ କରିଥିଲେ । ସେଥିରେ ତାଙ୍କ ବାପା ଓ ଜେଜେବାପାଙ୍କ ଦସ୍ତଖତ ଦେଖି ଭାବ ବିହ୍ୱଳ ହୋଇପଡିଥିଲେ । ତାଙ୍କ ବାପାଙ୍କ ଦସ୍ତଖତ ସମ୍ବଳିତ ଏକ ଫଟୋଚିତ୍ର କୌଳିକ ପଣ୍ଡା ପରେ ତାଙ୍କୁ ଅର୍ପଣ କରିଥିଲେ । ଶ୍ରୀ ମନ୍ଦିର ନୀଳଚକ୍ରରେ ଚୁନରା ସେବକ ଧ୍ୱଜା ବାନ୍ଧିବା ସହ ପ୍ରତିଦିନ ଧ୍ୱଜା ବନ୍ଧା ସମ୍ପର୍କରେ ବୁଝିଥିଲେ ରାଷ୍ଟ୍ରପତି । ମନ୍ଦିରରୁ ଦର୍ଶନ ଓ ବେଢ଼ା ପରିକ୍ରମା ସାରି ପୂର୍ବାହ୍ନ ୯ଟା ୫୬ ମିନିଟ୍ ସମୟରେ ଫେରିଥିଲେ । ସିଂହଦ୍ୱାରକୁ ଫେରିବା ପରେ ପୁର୍ନବାର ପତିତପାବନଙ୍କୁ ପ୍ରଣିପାତ କରିଥିଲେ । ସିଂହଦ୍ୱାର ବାହାରେ ଉପସ୍ଥିତ ଜନତାଙ୍କ ଜୟ ଜଗନ୍ନାଥ ଧ୍ୱନୀ ସହ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ହାତ ଟେକି ଜୟ ଜଗନ୍ନାଥ କହିଥିଲେ । ସିଂହଦ୍ୱାର ନିକଟରେ ବିଶ୍ରାମ କରିବାକୁ ଥିବା କଂଟେନର ନିକଟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗି, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଉପସ୍ଥିତିରେ ଶ୍ରୀମନ୍ଦିରର ଉନ୍ନତି ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାରଙ୍କୁ ୧ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ ରାଷ୍ଟ୍ରପତି କୋବିନ୍ଦ । ପରେ ପରେ କାର୍ ଯୋଗେ ତାଳବଣିଆ ହେଲିପ୍ୟାଡରେ ପହଂଚି ସେଠାରୁ ବାୟୁସେନାର ହେଲିକେପ୍ଟର ଯୋଗେ କୋଣାର୍କ ମନ୍ଦିର ପରିଦର୍ଶନରେ ଯାଇଥିଲେ ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏସପି / କମାଣ୍ଡାଂଟ ର୍ୟାଙ୍କର ୫ ଜଣ ଅଫିସର ସୁରକ୍ଷା ଦାୟୀତ୍ୱରେ ନିୟୋଜିତ ରହିଛନ୍ତି । ଏଥି ସହିତ ଆଡସିନାଲ ଏସପି ର୍ୟାଙ୍କର ୮ ଜଣ ଅଧିକାରୀ, ୨୫୦ ଜଣ ପୋଲିସ ଅଧିକାରୀ ଓ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହୋଇଥିବା ନେଇ ଏସପି ଡଃ. କେ.ବି. ସିଂହ ସୂଚନା ଦେଇଛନ୍ତି ।