


ତେବେ ଏତେ ସବୁ କଥା ବିଗତ ଏକ ସପ୍ତାହରୁ ଲାଗି ରହି ନାନା ମିଡ଼ିଆରେ ଏହା ପ୍ରକାଶ ସତ୍ୱେ ରାଷ୍ଟ୍ରପତିଙ୍କ ପାଖରେ ବୋଧେ ଏହି ଖବର ପହଁଚି ପାରି ନାହିଁ, ଫଳରେ ଦେଶର ସର୍ବୋଚ ସ୍ଥାନର ଅଧିକାରୀ ଏହିଭଳି ଏକ ବିବାଦୀୟ ସ୍ଥାନକୁ ଆସିବାକୁ ଯାଉଛନ୍ତି । ହେଲେ ଯେଉଁ ସ୍ଥାନକୁ ରାଷ୍ଟ୍ରପତି ଆସୁଛନ୍ତି ଓ ଯେଉଁମାନଙ୍କର ଆତିଥ୍ୟ ସେ ଗ୍ରହଣ କରିବେ ସେମାନେ ଯେ, ରାଉରକେଲା ସହରର ବସ୍ତି ବାସିଙ୍କ ଦୃଶ୍ୟକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି ତାହା ମଧ୍ୟ ତାଙ୍କ ଗୁଇନ୍ଦା ପାଖରେ ଖବର ନଥିବା କୁହାଯାଉଛି । ମହାମହିମ ଆସିବା ରାସ୍ତାରେ ସେକ୍ଟର୧୮ ଛକ ପରେ ବାମପାଖରେ ଇସ୍ପାତ ମାର୍କେଟକୁ ଲାଗି ରହିଥିବା ପ୍ରାୟ ୧୦୦୦ ବସ୍ତି ବାସିଙ୍କ କୁଡିଆଘରକୁ ଆରଏସପି ଲୁଚାଇବା ଲାଗି ଚେଷ୍ଟା କରିଛି । ସେହି ବସ୍ତି ଗୁଡିକୁ କପଡା ସାହାଜ୍ୟରେ ଲୁଚାଇବାକୁ ଚେଷ୍ଟା କରାଯାଇଥିବା ବେଳେ ବସ୍ତି ସମ୍ମୁଖରେ କେତେକ ବୋର୍ଡ ମଧ୍ୟ ରାତା ରାତି ଲଗା ଚାଲିଛି । ଏଠି ପ୍ରଶ୍ନ ଉଠୁଛି ବସ୍ତିବାଲା ଆଜି ଆରଏସପିକୁ ଗନ୍ଧେଇଲେ କାହିଁକି? ଏହି ବସ୍ତି ବାଲା ଭୋଟ ଦେଇ ରଘୁନାଥ ପାଲ୍ଲୀ ବିଧାୟକ ଓ ସାଂସଦ ଜୁଏଲ ଓରାମଙ୍କୁ ମଧ୍ୟ ଜିତାଇଛନ୍ତି । ଘରର ଆୟା କାମ, ଠେଲାରେ ଲୋକଙ୍କର ଆବଶ୍ୟକୀୟ ସାମଗ୍ରୀ ବୋହିବା, ଘରେ ମାଳିକାମ ଆଦି କରି ଏହି ସମାଜର ବାବୁମାନଙ୍କୁ ସହେଯାଗ କରୁଥିବା ବସ୍ତିବାଲାଙ୍କୁ ରାଷ୍ଟ୍ରପତିଙ୍କ ଆଖିରୁ ଲୁଚାଇ ତାଙ୍କ ଆଖିରେ ପରଦା ପକାଇ ଆରଏସପି ତଥା ସେଲ କର୍ତୁପକ୍ଷ କେତେ ଭଲକାମ କରିଛନ୍ତି ତାହା ସାଧାରଣରେ ଆଲୋଚନା ଚାଲିଛି । ସେପଟେ ସୁପର ସ୍ପେସାଲିଟି ଡାକ୍ତରଖାନା ପରିସରରେ ଆଜି ଦିନ ତମାମ କାମ ଲାଗି ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ସୁରକ୍ଷା ଅଧିକାରୀ ସେହି ଡାକ୍ତରଖାନା ପରିସର ବୁଲି ଦେଖିଥିବା ଜଣାପଡିଛି ।