ଭୁବନେଶ୍ୱର, କୋଭିଡ କଟକଣା ମଧ୍ୟରେ ପିପିଲି ଉପନିର୍ବାଚନ ହେବ । ମତଦାନ ବେଳେ ସମସ୍ତେ ମାସ୍କ ପିନ୍ଧିବେ । ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ପୋଷ୍ଟାଲ ବ୍ୟାଲଟରେ ଭୋଟ ଦେଇପାରିବେ । ଦିବ୍ୟାଙ୍ଗ ଓ କରୋନା ଆକ୍ରାନ୍ତ ମଧ୍ୟ ପୋଷ୍ଟାଲ ବ୍ୟାଲଟରେ ଭୋଟ ଦେଇପାରିବେ । ଗୋଟିଏ ବୁଥରେ ସର୍ବାଧିକ ହଜାରେ ଲୋକ ଭୋଟ୍ ଦେଇପାରିବେ । ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇ ଅତିରିକ୍ତ ୭୫ ବୁଥ୍ ବ୍ୟବସ୍ଥା କରାଯିବ । ମାସ୍କ, ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହେବ । ନାମାଙ୍କନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ଦୁଇଟି ଗାଡ଼ିକୁ ଅନୁମତି ମିଳିବ ଏବଂ ଡୋର ଟୁ ଡୋର କ୍ୟାମ୍ପେନରେ ପ୍ରାର୍ଥୀଙ୍କ ସହ ୫ ଜଣ ରହିପାରିବେ ବୋଲି ପିପିଲି ଉପନିର୍ବାଚନ ନେଇ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ନିର୍ବାଚନରେ ସମ୍ପୃକ୍ତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ବିବେଚନା କରାଯିବ ଓ ନିର୍ବାଚନରେ ଭାଗ ନେଉଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ । ସାମାଜିକ ଦୂରତା ଅବଲମ୍ବନ କରାଯିବା ସହ କୋଭିଡ ଗାଇଡଲାଇନ କିଭଳି ଅବଲମ୍ବନ କରାଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ ।
ସୂଚନା ଥାଉ କି ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ । ଏଥିପାଇଁ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ରେ ରଖାଯାଇଛି । ମାର୍ଚ୍ଚ ୩୧ରେ ନାମାଙ୍କନଗୁଡ଼ିକ ଯାଂଚ ହେବ ଓ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ରଖାଯାଇଛି । ମେ’ ୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ମଧ୍ୟ ପ୍ରକାଶ ପାଇବ । ୨୦୨୦ ଅକ୍ଟୋବର ୪ ତାରିଖରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏହି ଆସନ ଖାଲି ରହିଛି ।