
ମାଲକାନଗିରି, ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ନିଜ ଆଖିରେ ନଦେଖିଲେ କେହି ହୁଏତ ବିଶ୍ବାସ କରିନପାରେ । ଏହା କୌଣସି ପାର୍କ ନୁହେଁ ଏକ ସରକାରୀ ଡାକ୍ତରଖାନା । ଏହି ଡାକ୍ତରଖାନାକୁ ପ୍ରବେଶ କଲେ ପାର୍କ ଓ ଉଦ୍ୟାନର ଭ୍ରମ ସୃଷ୍ଟି କରୁଛି । ସାଧାରଣତଃ ସରକାରୀ ଡାକ୍ତରଖାନା ପରିସରରେ ଅଳିଆ ଗଦା, ମେଡିକାଲ ଭିତର କାନ୍ଥ ମାନଙ୍କରେ ପାନଛେପ ଦାଗକୁ ଦେଖି ଲୋକମାନେ ଯିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ, ଏହି ସବୁକୁ ଭୁଲ୍ ପ୍ରମାଣିତ କରିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର । ପରିଷ୍କାର ପରିଚ୍ଛନ୍ନ ସହ ଚିକିତ୍ସାଳୟର ସୌନ୍ଦର୍ଯ୍ୟକରଣ ଦେଖିଲେ କୌଣସି ବେସରକାରୀ ଡାକ୍ତରଖାନାର ଭ୍ରମ ସୃଷ୍ଟି କରୁଛି । ଡାକ୍ତରଖାନାର ଚେହେରା ଚିକିତ୍ସାଧିକାରୀ ଓ ସମସ୍ତ କର୍ମଚାରୀଙ୍କ ପ୍ରଚେଷ୍ଟା ଓ ଆନ୍ତରିକତା ପାଇଁ ସମ୍ପୂର୍ଣ୍ଣ ବଦଳି ଯାଇଛି । ୧୯୬୨ ମସିହାରେ ନିର୍ମାଣ ହେଇଥିବା ଏହି ଡାକ୍ତରଖାନାଟି ଦୀର୍ଘ ୬୦ ବର୍ଷ ହେବ ଲୋକଙ୍କୁ ସେବା ଯୋଗେଇ ଆସୁଛି । ଏହା ମାଲକାନଗିରି ଜିଲ୍ଲାର ସର୍ବପୁରାତନ ଡାକ୍ତରଖାନା କହିଲେ ଅତ୍ୟୁକ୍ତି ହେବନାହିଁ । କେବଳ ଚିକିତ୍ସା ନୁହେଁ, ରୋଗୀଙ୍କ ସୁସ୍ଥ ଜୀବନ ଯାପନ ପାଇଁ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ସବୁବେଳେ ପ୍ରାଧାନ୍ୟ ଦିଆଯାଉଛି । ପୁରୁଣା ବିଲ୍ଡିଂକୁ ସରକାରୀ ଅନୁଦାନରେ ଉନ୍ନତିକରଣ କରାଯାଉଛି । ଡାକ୍ତରଖାନା ପରିସରରେ ବିଭିନ୍ନ ପ୍ରକାରର ଫୁଲଗଛ, ଔଷଧୀୟ ଗଛ ଲଗାଯାଇଛି, ଡାକ୍ତରଖାନାରେ ତିଆରି ହେଇଥିବା ସୁନ୍ଦର ସୁନ୍ଦର ମୂର୍ତ୍ତି ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଛି । ଏହି ସବୁ ବ୍ୟବସ୍ଥା ଡାକ୍ତରଖାନା ପରିସରକୁ ସେଲ୍ଫି ଜୋନରେ ପରିଣତ କରିଛି । ବାହାରୁ ଲୋକମାନେ ଆସି ଡାକ୍ତରଖାନା ପରିସରରେ ସେଲଫି ନେଉଥିବାର ଦେଖାଯାଉଛି । ଡାକ୍ତରଖାନା ଭିତରକୁ ପ୍ରବେଶ ପଥରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ମାତା ସୁଭଦ୍ରାଙ୍କ ବିଗ୍ରହ ସ୍ଥାପନ କରାଯାଇଛି । ଫଳରେ ଡାକ୍ତରଖାନାକୁ ପ୍ରବେଶ କରିଲେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି ହେଉଛି ।
ସେହିପରି ଆବର୍ଜନା ପକାଇବା ପାଇଁ ଡାକ୍ତରଖାନାରେ ସ୍ଥାନେ ସ୍ଥାନେ ଡଷ୍ଟବିନ ରଖାଯାଇଛି । ଲୋକମାନେ ବି ନିୟମ ମାନି ଏହାକୁ ବ୍ୟବହାର କରୁଛନ୍ତି । ମଶା ଦାଉରୁ ରକ୍ଷା ପାଇବା ପାଇଁ ଡାକ୍ତରଖାନାର ଖୋଲା ଥିବା ସବୁ ଜାଗାରେ ଜାଲି ଲଗାଯାଇଛି । ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତବାସୀ ଏହି ମେଡିକାଲ ଉପରେ ନିର୍ଭର କରୁଛନ୍ତି । ଏଠାରେ ବର୍ତମାନ ୫ ଜଣ ଡାକ୍ତର ଅଛନ୍ତି । ଲୋକମାନେ ମଧ୍ୟ ଭଲ ସ୍ୱାସ୍ଥ୍ୟସେବା ପାଉଛନ୍ତି । ସ୍ଥାନୀୟ ଲୋକ ଓ ସ୍ୱାଭିମାନ ଅଞ୍ଚଳରୁ ଆସୁଥିବା ଲୋକଙ୍କ କହିବା କଥା ଯେ, ଚିତ୍ରକୋଣ୍ଡା ଡାକ୍ତରଖାନାର ଗୃହ ବହୁ ପୁରତାନ ଅଟେ, ଏଣୁ ଆଉ ଗୋଟେ ନୂଆ ଡାକ୍ତରଖାନା ଗୃହ ନିର୍ମାଣ କରାଯାଉ, ଚିତ୍ରକୋଣ୍ଡା ଡାକ୍ତରଖାନାର ନିଜସ୍ଵ ଆମ୍ବୁଲାନ୍ସ ନାହିଁ, ଯାହାଦ୍ୱାରା ଲୋକେ ବାହାରକୁ ରୋଗୀ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ହସ୍ପିଟାଲରେ ବହୁ ପୁରୁଣା ଏକ୍ସରେ ଅଛି ତାକୁ ବଦଳାଇ ଗୋଟିଏ ଡିଜିଟାଲ ଏକ୍ସରେ, ସଂରକ୍ଷଣ ମେସିନ, ଅଲଟ୍ରାସାଉଣ୍ଡ ମେସିନ ଯଦି ଯୋଗାଇ ଦିଆଯାଏ ତେବେ ଚିତ୍ରକୋଣ୍ଡା ତଥା ସ୍ୱାଭିମାନ ଅଞ୍ଚଳ ଓ ଆଖପାଖ ଅଞ୍ଚଳର ଲୋକମାନେ ଉପକୃତ ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO