କେନ୍ଦୁଝର,କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ଥାନା ଅନ୍ତର୍ଗତ ଭଦ୍ରାସାହି ଗ୍ରାମରେ ମହିଳାଙ୍କୁ ଗଣଦୁଷ୍କର୍ମ ଭଳି ସଙ୍ଗିନ ମାମଲା ସାମ୍ନାକୁ ଆସିଛି । ମହିଳାଙ୍କୁ ଟ୍ରକ୍ ରେ ଲିଫ୍ଟ ଦେଇଗଣଦୁଷ୍କର୍ମକରାଯାଇଥିବା ଅଭିଯୋଗ ହୋଇଛି । ବଡ଼ବିଲ ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ଘଟଣା ଗତ ଗୁରୁବାର ଦିନର । ମଧ୍ୟପ୍ରଦେଶରୁ ଆସି ଭଦ୍ରାସାହିରେ ଘରଭଡ଼ା ନେଇ ସେ ରହୁଥିଲେ । ପୀଡ଼ିତାଙ୍କ ସ୍ୱାମୀ ଟ୍ରକ୍ ଡ଼୍ରାଇଭର ଭାବେ କାର୍ଯ୍ୟ କରନ୍ତି । ଘଟଣା ଦିନ କୌଣସି କାରଣରୁ ସ୍ୱାମୀଙ୍କ ସହିତ ତାଙ୍କର ଝଗଡ଼ା ହେବାରୁ ମହିଳା ଜଣକ ଉତ୍ୟେକ ହୋଇ ଘର ଛାଡି ଚାଲିଆସିଥିଲେ । ଏହି ସମୟରେ ରୋଇଡ଼ା ଛକ ନିକଟରେ ଦୁଇ ଜଣ ଚିହ୍ନା ଡ଼୍ରାଇଭର ଖୁଦାବକ୍ସ ଅନସାରୀ ଏବଂ ମହମ୍ମଦ ନାସିର ତାଙ୍କୁ ଲିଫ୍ଟ ଦେଇଥିଲେ । ଟ୍ରକ୍ ମଧ୍ୟରେ ଦୁହେଁ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଏବଂ ପରେ ତାଙ୍କୁ ଅନ୍ୟ ଏକ ସ୍ଥାନରେ ରଖି ତିନି ଦିନ ଧରି ଦୁଷ୍କର୍ମ କରିଥିଲେ । ଅଭିଯୁକ୍ତ ମାନେ ତାଙ୍କ ପ୍ରତି ଅତ୍ୟନ୍ତ ପାଶବିକ ଅତ୍ୟାଚାର କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ତେବେ କୌଣସି ପ୍ରକାରେ ସେ ଜୀବନ ବଂଚାଇ ସେଠାରୁ ଖସି ଆସିବା ସହ ନିଜ ସ୍ୱାମୀଙ୍କ ସହିତ ଆସି ଆଜି ଏନେଇ ବଡ଼ବିଲ ଥାନାରେ ଏତଲା କରିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ପୋଲିସ ଏତଲାକୁ ଭିତି କରି ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାରେ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରା ଉଚୁରା ଚଳାଇଛି । ଘଟଣାରେ ଅଭିଯୁକ୍ତ ମାନେ ବ୍ୟବହାର କରିଥିବା ଟ୍ରକ୍ କୁ ପୋଲିସ ଜବତ କରିଛି । ଅନ୍ୟପକ୍ଷରେ ପୀଡ଼ିତାଙ୍କ ଡ଼ାକ୍ତରୀ ମାଇନା କରାଯାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।