ଭୁୁବନେଶ୍ୱର, ଚାଷୀ ମାନଙ୍କ ଠାରୁ ଧାନ କିଣା ନ ଯିବାକୁ ନେଇ ବିଧାନସଭାରେ ହଟ୍ଟଗୋଳ ହେବା କାରଣରୁ ଶୁକ୍ରବାର ଦିନ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇ ପାରି ନାହିଁ । ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ମାନଙ୍କର ହଟ୍ଟଗୋଳ କାରଣରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୧୦.୩୦ରୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିଲା । ପୂର୍ବ ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ୧୦.୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ଚାଷୀ ମାନଙ୍କ ଠାରୁ ଧାନ କିଣା ନ ହେଉଥିବା ପ୍ରସଙ୍ଗକୁ ନେଇ ନାରାବାଜୀ କରିଥିଲେ । ବାଚସ୍ପତି ଶ୍ରୀ ପାତ୍ର ତାଙ୍କୁ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ମାତ୍ର ସେମାନେ ନାରାବାଜୀ ଜାରୀ ରଖିଥିଲେ । ତେଣୁ ବାଧ୍ୟ ହୋଇ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ୧୧.୩୦ ଯାଏ ମୁଲତବୀ ରଖିଥିଲେ ।