
ଢ଼େଙ୍କାନାଳ, ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟର ଅନ୍ୟତମ ଶୈବପୀଠ ଢ଼େଙ୍କାନାଳର କପିଳାସ ପୀଠରେ କରୋନା କଟକଣାକୁ ଅନୁପାଳନ କରି ବାବା ଚନ୍ଦ୍ରଶେଖରଙ୍କ ନୀତିକାନ୍ତି ଜାରୀ ରହିଛି । ଏହା ବ୍ୟତୀତ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ବାହାରର ଶ୍ରଦ୍ଧାଳୁଙ୍କ ଆସିବା ଉପରେ କଟକଣା ରହିଥିବାରୁ ଚଳିତ ବର୍ଷ ସେତେଟା ଗହଳି ଚହଳି ଦେଖିବାକୁ ମିଳିନଥିଲା । ସେବାୟତ ମାନେ କରୋନା କଟକଣାକୁ ଅନୁପାଳନ କରି ମୁହଁରେ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତ୍ୱ ରକ୍ଷା କରି ନୀତି ସମାପନ କରୁଛନ୍ତି । ସଂନ୍ଧ୍ୟା ପରେ ଶ୍ରଦ୍ଧାଳୁ ମାନେ ମନ୍ଦିର ପରିସରରେ ସାମାଜିକ ଦୂରତା ରକ୍ଷା କରି ମୁହଁରେ ମାସ୍କ ପରିଧାନ କରି ଜାଗର ଜାଳିବାକୁ ଅନୁମତି ରହିଥିବା ନେଇ ମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି । ଭୋର୍ ୪ଟାରେ ମହାଦ୍ୱିପ ଉଠିବ ବୋଲି ଜଣାପଡିଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମନ୍ଦିର ଚର୍ତୁପାଶ୍ୱର୍ରେ ବ୍ୟାପକ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରତ୍ୟେକ ବର୍ଷ କପିଳାସ ସ୍ଥିତ ପ୍ରଭୁ ଚନ୍ଦ୍ରଶେଖରଙ୍କ ଏହି ଜାଗର ଯାତ୍ରା ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ଛୁଟି ଆସିଥାନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଶିବ ଦର୍ଶନ ସାଙ୍ଗକୁ ଜାଗର ଜାଳିବା ପାଇଁ ଏଠାରେ ଭକ୍ତଙ୍କ ଭିଡ଼ ଜମିଥାଏ । ହେଲେ ଚଳିତ ବର୍ଷ କରୋନା କଟକଣା ପାଇଁ କପିଳାସରେ ଜାଗର ଯାତ୍ରା ଫିକା ପଡଛି । ତେବେ କେବଳ ଜିଲ୍ଲା ଭିତର ଶ୍ରଦ୍ଧାଳୁଙ୍କୁ ଦର୍ଶନର ସୁଯୋଗ ମିଳିଛି ।