
ଛତ୍ରପୁର, ଗଞ୍ଜାମ ଜିଲ୍ଲାରେ ଲୋକଙ୍କ ଜୀବନ ଜୀବିକାକୁ ପ୍ରାଧାନ୍ୟ ଦିଆଯାଇ ବହୁ କଷ୍ଟରେ କୋଭିଡ୍ ନିୟମ ଅନୁପାଳନ ଦ୍ୱାରା ଉନ୍ନୟନ କାର୍ଯ୍ୟ ଆରମ୍ଭ କରାଯାଇଛି । କୋଭିଡ-୧୯ ନିୟମ ଅନୁପାଳନ ନହୋଇ ଟିକିଏ ବି ଅସାବଧାନତା ହେଲେ ବା କିଛି ସଂକ୍ରମଣ ହେଲେ ଜିଲ୍ଲା ବାସୀଙ୍କ ଅମୂଲ୍ୟ ଜୀବନ ପ୍ରତି ବିପଦ ଦେଖାଦେବ । ସେଥିପ୍ରତି ଦୃଷ୍ଟି ଦେଇ ବହୁ ଆଲୋଚନା ବିଚାରବିମର୍ଷ ପରେ ଚଳିତ ବର୍ଷର ଦଣ୍ଡନାଚ ମାନସିକଧାରୀ ମାନଙ୍କ ସକାଶେ ପାରମ୍ପରିକ ରୀତିରେ ପାଳନ ନିମନ୍ତେ ଅନୁମତି ପ୍ରଦାନ କରାଯାଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗତକାଲି ଅନୁଷ୍ଠିତ ଭିଡିଓ କନଫେରନ୍ସି ବୈଠକରେ ଅବଗତ କରାଇଛନ୍ତି । କୋଭିଡ-୧୯ ନୀୟମ ଅନୁପାଳନ କରି କେବଳ ଦଣ୍ଡୁଆ ମାନଙ୍କ ଦ୍ୱାରା ଦଣ୍ଡନାଚ ହେବ । ତାହା ମଧ୍ୟ ଦୁଇଶହ ଲୋକଙ୍କ ମଧ୍ୟରେ ସୀମିତ ରଖି କେବଳ ମାନସିକ ଦଣ୍ଡଯାତ୍ରା ପାଳିତ ହେବ । ଯେଉଁ ସଂଖ୍ୟା ସୀମିତ କରାଯାଇଅଛି ତାଠାରୁ ଅଧିକ ଲୋକେ ଯେମିତି ଏଥିରେ ଅଂଶ ଗ୍ରହଣ କରିବେ ନାହିଁ ଏବଂ ସମସ୍ତେ ଯେପରି କୋଭିଡ୍ ନିୟମ ଅନୁପାଳନ କରିବେ ସେଥି ସକାଶେ ଆୟୋଜକ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଅନୁମତି ନେଇ ନିଜେ ଦାୟିତ୍ୱ ବହନ କରି ଦଣ୍ଡନାଚ କରିପାରିବେ । କୈାଣସି ଅସୁବିଧା ଦେଖାଗଲେ ଆୟୋଜକ ନିଜେ ଦାୟୀ ରହିବେ । ଦଣ୍ଡଯାତ୍ରାରେ ଭୋଜି କି ଅନ୍ନ ପ୍ରସାଦ ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରିବେ ନାହିଁ । ମାନସିକଧାରୀ ଦଣ୍ଡୁଆ ଦିନକୁ ଥରେ ମାତ୍ର ରାତ୍ର ସମୟରେ ଯେଉଁ ପ୍ରସାଦ ପ୍ରସ୍ତୁତ କରି ସେବନ କରନ୍ତି ତାହା ହିଁ ସେବନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛନ୍ତି । ଏହା ବ୍ୟତୀତ ଦଣ୍ଡଯାତ୍ରା ବେଳେ ଟ୍ରାଫିକ୍ ସମସ୍ୟା ଯେପରି ହେବନାହିଁ । ଡିଜେ, ରେକର୍ଡ ମ୍ୟୁଜିକ୍, ଅପେରାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଭାରପ୍ରାପ୍ତ ଥାନାଧିକାରୀ ମାନଙ୍କୁ ନେଇ ଲୋକ ପ୍ରତିନିଧି ଏବଂ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ଏ ସମସ୍ତ ବିଷୟ ଅବଗତ କରାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସମୟେ ସମୟେ ଏହାର ସଠିକ୍ ଅନୁପାଳନ ହେଉଛି ନା ନାହିଁ ତାହା ସମୀକ୍ଷା କରାଯିବ । ସ୍ଥାନୀୟ ଲୋକଙ୍କ ଦ୍ୱାରା ହିଁ ଦଣ୍ଡ ହେବ, ବାହାର ରାଜ୍ୟରୁ କିମ୍ବା ବାହାର ଜିଲ୍ଲାର ଲୋକଙ୍କୁ ଏଥିରେ ସାମିଲ୍ କରିବାକୁ ବାରଣ କରାଯାଇଛି । ଜିଲ୍ଲା ବାହାରୁ ଲୋକେ ଯେମିତି ଆସିବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ ।
ଶିବରାତ୍ରୀ ଜାଗର ନିମନ୍ତେ ମଧ୍ୟ କଟକଣା ଜାରି କରାଯାଇଛି । ମାସ୍କ ନାହିଁ ତ ମନ୍ଦିର ମଧ୍ୟକୁ ପ୍ରବେଶ ନାହିଁ । ସେହିପରି କେବଳ ଜିଲ୍ଲା ଲୋକଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ରହିବ । ଜନସାଧାରଣଙ୍କ ସକାଶେ ଗହଳିପୂର୍ଣ୍ଣ ଭଜନ ସମାରୋହକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କେବଳ ଠାକୁରଙ୍କ ସକାଶେ ଭକ୍ତି ପୁର୍ଣ୍ଣ ଭଜନ ପରିବେଷଣ ହୋଇପାରିବ । ଭକ୍ତ ମାନଙ୍କୁ ମାସ୍କ ପରିଧାନ ଓ ଠିକ୍ ସାନିଟାଇଜେସନ୍ କରି ମନ୍ଦିର ମଧ୍ୟକୁ ସ୍ୱଳ୍ପ ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ପ୍ରବେଶ କରାଯିବ । ସେମାନେ ପ୍ରସ୍ଥାନ ପରେ ଅନ୍ୟ ଭକ୍ତମାନଙ୍କୁ ପ୍ରବେଶ କରିବାର ସୁଯୋଗ ଦିଆଯିବ । ମନ୍ଦିର କମିଟି ଏହାର ସୁପରିଚାଳନା କରିବେ । କୋଭିଡ୍ ସଂକ୍ରମିତ ଲକ୍ଷଣ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା ଓ ଶିଶୁଙ୍କୁ ମନ୍ଦିର ଯିବାକୁ ବାରଣ କରାଯାଇଛି । ମନ୍ଦିର ମଧ୍ୟରେ ଭୋଗ ବଣ୍ଟନ ଓ ପ୍ରସାଦ ସେବନ ହେବ ନାହିଁ ।
ସେହିଭଳି ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରା ତାରିଣୀଙ୍କର ଚୈତ୍ର ମାସର ପର୍ବ ସକାଶେ ମଧ୍ୟ ପ୍ରଶାସନ ତରଫରୁ ଗାଇଡଲାଇନ୍ ଜାରି କରାଯିବ । ସକାଳ ୬ ଘଂଟା ଠାରୁ ସନ୍ଧ୍ୟା ୫ ଘଣ୍ଟା ମଧ୍ୟରେ ଭକ୍ତଗଣ ମା ଙ୍କର ଦର୍ଶନ କରିପାରିବେ । ମାଙ୍କ ପୂଜା ସକାଶେ ଯାହା ନୀତି ନିୟମ ରହିଛି ତାହା ପାଳନ କରାଯିବ । କୋଭିଡ୍ -୧୯ ନିୟମ ଅନୁପାଳନ କରାଯାଇ କେବଳ ଗଞ୍ଜାମ ଜିଲ୍ଲା ବାସୀ ମା ଙ୍କର ଦର୍ଶନ ଲାଭ କରିପାରିବେ । ବସ୍ ଗୁଡିକରେ କୋଭିଡ୍ ପରୀକ୍ଷା କରାଯିବ । ଗହଳିକୁ ସୀମିତ କରିବା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା ହେବ । ମନ୍ଦିର ଉପର ସ୍ଥାନରେ କୌଣସି ଦୋକାନ ରହିବ ନାହିଁ , ପ୍ରସାଦ ବଣ୍ଟନ ଓ ସେବନ ତଳେ କରାଯିବ । କୌଣସି ପରିସ୍ଥିତିରେ ବିଶୃଙ୍ଖଳାକୁ ପ୍ରଶୟ ଦିଆଯିବ ନାହିଁ । ଏହି ପର୍ବକୁ ଶୃଙ୍ଖଳିତ ଭାବେ ପାଳନ କରିବା ସକାଶେ ପ୍ରଶାସନ ଓ ମନ୍ଦିର କମିଟି ସଦସ୍ୟ ମାନଙ୍କୁ ନେଇ ପୁନର୍ବାର ବୈଠକ ଆଗତ କରାଇବାକୁ ସ୍ଥିର କରାଯାଇଥିଲା । ଜନସାଧାରଣଙ୍କ ଇଚ୍ଛା ସକାଶେ ଏହି ଅନୁମତି ପ୍ରଦାନ କରାଯାଇଛି ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ ।
ଏହି ଭିଡିଓ କନଫରେନ୍ସିରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ. ସିଦ୍ଦେଶ୍ୱର ବଳିରାମ ବୋନ୍ଦାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ୱାଇ. କୀର୍ତ୍ତି ୱାସନ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠି, ବ୍ରହ୍ମପୁର ଉନ୍ନୟନ କର୍ତ୍ତୁପକ୍ଷ ସଚିବ ସମ୍ବିତ୍ ରାଉତ , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଡଃ. ଦିବ୍ୟଲୋଚନ ମହନ୍ତଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO