
କେନ୍ଦୁଝର – କୋର୍ଟରୁ ଅଭିଯୁକ୍ତ ବାପ ପୁଅ ଚମ୍ପଟ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କେନ୍ଦୁଝର ଏସପି ଏସଆଇଙ୍କ ସମେତ ଅନ୍ୟ ତିନି ଜଣ କନଷ୍ଟେବଳଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ପୁଅକୁ ଗିରଫ କରାଯାଇଥିବା ବେଳେ ବାପକୁ ଗିରଫ ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରୀ ରହିଛି ।
ଏକ ଜାତିଆଣ ମାମଲାରେ ଅଭିଯୁକ୍ତ ଥିବା ତେଲକୋଇ ଥାନା ଅନ୍ତର୍ଗତ ସରୁଆଳି ଗ୍ରାମର ଦାସ ଖୁଂଟିଆ ଓ ତାଙ୍କ ପୁଅ ଅନିଲ ଖୁଂଟିଆଙ୍କୁ ଆଜି କେନ୍ଦୁଝର ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର ପାଇଁ ପୋଲିସ ହେପାଜତରେ ନିଆଯାଇଥିଲା । କୋର୍ଟରେ ସେମାନଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣୀ ଚାଲିଥିବା ବେଳେ ଉଭୟ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ । ଘଟଣାରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କେନ୍ଦୁଝର ଏସପି କୋର୍ଟ ଏସଆଇ ଦୁଷ୍ମନ୍ତ ସିଂହଙ୍କ ସମେତ ୩ ଜଣ କନଷ୍ଟେବଳଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ସେମାନେ ହେଲେ ମନୋରମା ସେଠୀ, ଶିବାନୀ ନାୟକ ଓ ରେଣୁବାଳା ମହାନ୍ତ । ଅନ୍ୟପକ୍ଷରେ ଫେରାର୍ ବାପପୁଅଙ୍କୁ ଗିରଫ ପାଇଁ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଅପରାହ୍ନରେ ଅନିଲ୍ କୁ ପୋଲିସ ଗିରଫ କରିଛି । ତା’ର ବାପା କେଉଁଠି ଅଛି ପୋଲିସ ସେ ସମ୍ପର୍କରେ ତାକୁ ପଚରା ଉଚୁରା ଚଳାଇଛି । ତେବେ ଖୁବ୍ ଶୀଘ୍ର ଦାସ ଖୁଂଟିଆକୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।