ଉଲ୍ଲେଖନୀୟ ବିଷୟ ହେଉଛି, ଇଜ୍ ଅଫ ଲିଭିଂ ସୂଚକାଙ୍କ ୨୦୨୦ର ଶ୍ରେଷ୍ଠ ସହର ତାଲିକା ଅନ୍ତର୍ଗତ ଦଶଲକ୍ଷରୁ କମ ଜନସଂଖ୍ୟା ଥିବା ସହର ବର୍ଗରେ ସିମଲା ପଛକୁ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନ ହାସଲ କରିଛି । ଦଶଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ବଡ଼ ସହରଗୁଡ଼ିକ ମଧ୍ୟରେ ବେଙ୍ଗାଲୁରୁ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଏହା ପଛରୁ ପୁଣେ, ଅହମ୍ମଦାବାଦ, ଚେନ୍ନାଇ, ସୁରତ, ନଭି ମୁମ୍ବାଇ, କୋଏମ୍ବାଟୁର, ଭଡ଼ୋଦରା, ଇନ୍ଦୋର ଏବଂ ଗ୍ରେଟର ମୁମ୍ବାଇ ରହିଛନ୍ତି । ସେହିପରି ଦଶଲକ୍ଷରୁ କମ ଜନସଂଖ୍ୟା ଥିବା ସହର ତାଲିକାରେ ଶିମଲା ଓ ଭୁବନେଶ୍ୱର ପରେ ଯଥାକ୍ରମେ ସିଲଭାସା, କାକିନାଡ଼ା, ସାଲେମ, ଭେଲୋର, ଗାନ୍ଧୀନଗର, ଗୁରୁଗ୍ରାମ, ଦାବଣଗେରେ ଏବଂ ତିରୁଚିରାପଲ୍ଲୀ ରହିଛନ୍ତି ।
ଦୁଇଟି ବର୍ଗରେ କରାଯାଇଥିବା ଇଓଏଲଆଇ ସର୍ବେକ୍ଷଣରେ ମୋଟ ୧୧୧ଟି ସହର ଅଂଶଗ୍ରହଣ କରିଥିଲେ । ଏସବୁ ସହରରେ ୨୦୨୦ରେ ଏକ ଆକଳନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିଲା । ସ୍ମାର୍ଟ ସିଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଦଶ ଲକ୍ଷରୁ ଅଧିକ ଏବଂ ଦଶ ଲକ୍ଷରୁ କମ ଜନସଂଖ୍ୟା ଥିବା ସହରଗୁଡ଼ିକୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା ।
ଅନୁରୂପ ଭାବେ ଇଓଏଲଆଇ ସୂଚକାଙ୍କ ଭଳି ନଗର ପାଳିକା ସୂଚକାଙ୍କରେ ଜନସଂଖ୍ୟା ଆଧାରରେ ବିଭିନ୍ନ ନଗରପାଳିକାଗୁଡ଼ିକର ଆକଳନ କରାଯାଇଥିଲା । ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ନଗରପାଳିକାଗୁଡ଼ିକ ମଧ୍ୟରେ ଇନ୍ଦୋର ପ୍ରଥମ ସ୍ଥାନ ହାସଲ କରିଥିଲା ବେଳେ ଏହାପଛକୁ ସୁରତ ଏବଂ ଭୋପାଳ ରହିଛନ୍ତି । ଦଶଲକ୍ଷରୁ କମ ଜନସଂଖ୍ୟା ଥିବା ନଗରପାଳିକା ମଧ୍ୟରେ ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ (ଏନଡିଏମସି) ପ୍ରଥମ ସ୍ଥାନରେ ରହିଥିବା ବେଳେ ଏହାପଛକୁ ତିରୁପତି ଓ ଗାନ୍ଧୀନଗର ରହିଛନ୍ତି । ୧୧୧ଟି ନଗର ପାଳିକାକୁ ନେଇ କରାଯାଇଥିବା ସର୍ବେକ୍ଷଣରେ ୨୦ଟି କ୍ଷେତ୍ର ଏବଂ ୧୦୦ଟି ସଙ୍କେତକକୁ ନେଇ ପ୍ରଦର୍ଶନ ଆକଳନ କରାଯାଇଥିଲା । ଏହା ଅଧୀନରେ ସେବା, ଅର୍ଥ, ନୀତି, ପ୍ରଯୁକ୍ତି ଓ ପ୍ରଶାସନ ପାଂଚଟି ଭର୍ଟିକାଲ ପ୍ରତି ଧ୍ୟାନ ଦିଆଯାଇଥିଲା ।
ଇଜ ଅଫ ଲିଭିଂ ଇଣ୍ଡେକ୍ସରେ ଜୀବନର ଗୁଣବତା, ସହରାଂଚଳ ବିକାଶ ଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ପ୍ରଭାବ ଆକଳନ କରାଯାଇଥିଲା । ଜୀବନର ଗୁଣବତ୍ତା, ସହରର ଆର୍ôଥକ କ୍ଷମତା, ସ୍ଥିରତା ଓ ନମନୀୟତା ଆଧାରରେ ଅଂଶଗ୍ରହଣକାରୀ ସହରଗୁଡ଼ିକ ସମ୍ପର୍କରେ ଜାଣିବା ଲାଗି ଏଥିରେ ପ୍ରୟାସ କରାଯାଇଥିଲା । ଏହି ମୂଲ୍ୟାଙ୍କନରେ ନାଗରିକ ଧାରଣା ସର୍ବେକ୍ଷଣ (ସିଟିଜେନ ପର୍ସେପ୍ସନ ସର୍ଭେ-ସିପିଏମ) ମାଧ୍ୟମରେ ସହରାଂଚଳ ପ୍ରଶାସନ ପକ୍ଷରୁ ଉପଲବ୍ଧ କରାଯାଇଥିବା ସେବା ସମ୍ପର୍କରେ ନାଗରିକମାନଙ୍କ ଦୃଷ୍ଟିକୋଣ ସମ୍ପର୍କରେ ସର୍ଭେ କରାଯାଇଥିଲା । ଏହାକୁ ୩୦% ଗୁରୁତ୍ୱ ଦିଆଯାଇଥିଲା । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ଆବାସ ଓ ଆଶ୍ରୟ, ପରିବହନ, ୱାଶ୍ ଏବଂ ଏସଡବ୍ଲୁଏମ, ନିରାପତ୍ତା ଓ ସୁରକ୍ଷା, ଅବସର ବିନୋଦନ, ଆର୍ôଥକ ବିକାଶର ସ୍ତର, ଆର୍ôଥକ ସୁଯୋଗ, ପରିବେଶ, ସବୁଜ ପରିସର ଏବଂ ଅଟ୍ଟାଳିକା, ଇନ୍ଧନ ଉପଯୋଗ ଏବଂ ସହରର ସହନଶୀଳତା ଆଦିକୁ ନେଇ ୭୦% ପରିଣାମ ଆକଳନ କରାଯାଇଥିଲା ।
ନଗରପାଳିକା ପ୍ରଦର୍ଶନ ସୂଚକାଙ୍କ (ଏମପିଆଇ)କୁ ଇଜ ଅଫ ଲିଭିଂ ଇଣ୍ଡେକ୍ସର ସହାୟକ ଭାବେ ଶୁଭାରମ୍ଭ କରାଯାଇଥିଲା । ଏଥିରେ ସେବା, ଅର୍ଥ, ପ୍ରଯୁକ୍ତି ଏବଂ ଶାସନ ଆଦି ସମସ୍ତ କ୍ଷେତ୍ରରେ ନଗରପାଳିକାର ସ୍ଥାନୀୟ ପ୍ରଶାସନ ପ୍ରଣାଳୀର ଯାଂଚ କରିଥାଏ । ଏହା ସ୍ଥାନୀୟ ଶାସନ ପ୍ରଣାଳୀରେ ଜଟିଳତାଗୁଡ଼ିକର ସରଳୀକରଣ ଓ ମୂଲ୍ୟାଙ୍କନ ସହିତ ପାରଦର୍ଶିତା ଏବଂ ଉତ୍ତରଦାୟିତ୍ୱ ପ୍ରଚଳନକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ ।ଉଭୟ ସୂଚକାଙ୍କରେ ସାରା ଦେଶରେ ସହରୀ ଜୀବନ ଧାରଣର ବିଭିନ୍ନ ମାନଦଣ୍ଡ ସମ୍ପର୍କରେ ସହରଗୁଡ଼ିକର ପ୍ରଦର୍ଶନକୁ ଜାଣିବା ଉପରେ ଗୁରୁ ଗୁରୁତ୍ୱାରୋପ କରାଯାଇଛି ।