-
ଘରପାଖରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ
-
ରାଜ୍ୟର ସବୁ ପଂଚାୟତରେ ଖୋଲିବ ମୋ ସେବା କେନ୍ଦ୍ର
-
୮୦୦୦ ଯୁବକ ଯୁବତୀଙ୍କପାଇଁ ଆତ୍ମ ନିଯୁକ୍ତି ସୁଯୋଗ- ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଥିଲେ ଆଗାମୀ ଦିନରେ ରାଜ୍ୟର ସବୁ ପଂଚାୟତରେ ଗୋଟିଏ ଗୋଟିଏ ମୋ ସେବାକେନ୍ଦ୍ର ଖୋଲାଯିବ ।ଏହାଦ୍ୱାରା ୮୦୦୦ ଯୁବକ ଯୁବତୀ ଆତ୍ମ ନିଯୁକ୍ତିର ସୁଯୋଗ ପାଇବେ । ସେହିପରି ସହରବାସୀ ତଥା କମ୍ପୁଟର ଜାଣିଥିବା ଲୋକମାନଙ୍କ ପାଇଁ ଓଡିଶା ୱାନ ପୋର୍ଟାଲ ସେବା ଯୋଗାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଦୁଇ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ତଥା ସେବାର ଗୁଣାତ୍ମକ ମାନ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୁଳମନ୍ତ୍ର । ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ । ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ସହିତ ବ୍ୟବସ୍ଥାରେ ପରିବର୍ତନ ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ସାଧାରଣ ଲୋକ ଯେପରି ସୁବିଧାରେ ଓ ସହଜରେ ବିଭିନ୍ନ ସରକାରୀ ସେବା ପାଇପାରିବେ ତା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।
ଟେକ୍ନୋଲୋଜିର ଉପଯୋଗ ସମ୍ପର୍କରେବିଜୁବାବୁଙ୍କ ଚିନ୍ତାଧାର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁବାବୁ ଚାହୁଁଥିଲେ ଟେକ୍ନୋଲୋଜିର ସୁବିଧା ଗାଁ ଗାଁ ରେ ପହଂଚୁ । ବିଜ୍ଞାନର ସୁଫଳ ସାଧାରଣ ଲୋକର ସେବାରେ ଉପଯୋଗ ହେଉ । ତାର ଜୀବନଧାରଣ ମାନରେ ଉନ୍ନତି ଆସୁ । ମୋ ସେବାକେନ୍ଦ୍ର ଏ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ ।ଏହି କେନ୍ଦ୍ର ଦ୍ୱାରା ସାଧାରଣ ଲୋକ ନିଜ ଘର ପାଖରେ ବିଭିନ୍ନ ପ୍ରକାରର ସରକାରୀ ସୁବିଧା ପାଇପାରିବେ । ଏଥିପାଇଁ ସେମାନଙ୍କୁ ଆଉବାରମ୍ବାର ଅଫିସ ଯିବାର ଆବଶ୍ୟକତା ରହିବ ନାହିଁ ।
ସୂଚନାଯୋଗ୍ୟ ଯେ ଅଗଷ୍ଟ ୨୦୧୯ଦିନ ୫-ଟି ଉପକ୍ରମର ଶୁଭାରମ୍ଭ ଉଦ୍ଘାଟନ ସମୟରେ ମୁଖ୍ୟମନ୍ତ୍ରୀ ସରକାରୀ ଅଫିସକୁ ବିଭିନ୍ନ ସେବା ପାଇବାପାଇଁ ଲୋକଙ୍କୁ ବାରମ୍ବାର ଯିବାରୁ ମୁକ୍ତିଦେବାରେ ୫-ଟି ଉପକ୍ରମ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କ୍ରୀଡା ଓ ଯୁବସେବା , ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ ମୁଖ୍ୟମନ୍ତ୍ରୀ ଙ୍କର ଏକ ଐତିହାସିକ ପଦକ୍ଷେପ ଭାବରେ ବର୍ଣ୍ଣନା କରିଥିଲେ ଏବଂ ଏହାଦ୍ୱାରା ସମାଜର ସବୁ ବର୍ଗର ଲୋକ ଉପକାର ପାଇବେ ବୋଲି ମତ ଦେଇଥିଲେ ।
ମୋ ସେବାକେନ୍ଦ୍ରର ସୁବିଧା ନେଇଥିବା କୋଣାର୍କ, ହିଞ୍ଜିଳି, ଅତାବିରା, ନବରଙ୍ଗପୁର, ଭଦ୍ରକ ଓ ଗଜପତିର ହିତାଧିକାରୀମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ମତବିନିମୟ କରିଥିଲେ । ସେମାନେ ରାଜ୍ୟସରକାରଙ୍କ ଏହି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତୀଙ୍କ ସଚିବ (୫ଟି) ଭି.କେ.ପାଣ୍ଡିୟାନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଆଇଟି ବିଭାଗର ସଚିବ ମନୋଜ ମିଶ୍ର କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ସାଂସଦ ଓ ବିଧାୟକମାନଙ୍କ ସମେତବିଭାଗୀୟ ଉପଦେଷ୍ଟା ୀ ଅନୁଭବ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।