-
ସର୍ବଦଳୀୟ ବୈଠକ ଡାକି ପ୍ରତିନିଧିଦଳ କୋଟିଆ ଯାତ୍ରା କରୁ – ନରସିଂହ ମିଶ୍ର
ଭୁବନେଶ୍ୱର, ବିଭିନ୍ନ ପଡୋଶୀ ରାଜ୍ୟ ଦ୍ୱାରା ଓଡିଶାର ଅଂଚଳରେ ପ୍ରବେଶ କରିବା ଓ ସୀମା ବିବାଦ ପ୍ରସଙ୍ଗକୁ ରାଜ୍ୟ ସରକାର ଆଦୌ ଗୁରୁତ୍ୱର ସହ ନେଉ ନାହାନ୍ତି । ଗତକାଲି ଏ ସମ୍ପର୍କରେ ଆୟୋଜିତ ମୁଲତବୀ ପ୍ରସ୍ତାବ ନୋଟିସ ଉପରେ ଆଲୋଚନା ବେଳେ ବିରୋଧୀ ଦଳର ବିଧାୟକ ମାନେ ଅନେକ ଗୁରୁତ୍ୱପୂର୍ଣ ପରାମର୍ଶ ଦେଇଥିଲେ ସୁଦ୍ଧା ତାହା ଉପରେ ମନ୍ତ୍ରୀ ଉତର ଦେଇ ନାହାନ୍ତି । ବର୍ତମାନ ବିଧାନସଭା ଅଧିବେଶନ ଚାଲୁଥିବା ଦୃଷ୍ଟିରୁ ଏ ସମ୍ପର୍କରେ ସର୍ବଦଳୀୟ ବୈଠକ ଡକା ଯିବା ସହ ସବୁ ଦଳର ସଦସ୍ୟ ମାନଙ୍କର ଏକ ପ୍ରତିନିଧି ଦଳ କୋଟିଆ ଅଂଚଳ ଗସ୍ତ କରୁ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଏହା ଏତେ ଗୁରୁତ୍ୱପୂର୍ଣ ବିଷୟ ଥିଲା ଯେ ମୁଖ୍ୟମନ୍ତ୍ରୀ ଏହି ଆଲୋଚନାରେ ଅଂଶଗ୍ରହଣ କରିବାର ଥିଲା । ବିରୋଧୀ ଦଳର ସଦସ୍ୟ ମାନେ ଖୁବ ଭଲ ପରାମର୍ଶ ଦେଇଥିଲେ ସୁଦ୍ଧା ରାଜସ୍ୱ ମନ୍ତ୍ରୀ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ।
ସେ କହିଛନ୍ତି ରାଜସ୍ୱ ମନ୍ତ୍ରୀ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ଉତରରେ କହିଛନ୍ତି ଯେ ଫେବୃଆରୀ ୩ ତାରିଖ ଦିନ କୋଟିଆରେ ନିର୍ବାଚନ କରା ଯିବାକୁ ନେଇ ଜିଲ୍ଲାପାଲ ସୂଚନା ଦେବା ପରେ ରାଜ୍ୟ ସରକାର ଜାଣିଲେ । ସେ କହିଛନ୍ତି ଯେ ରାଜ୍ୟର ଗୁଇନ୍ଦା ବିଭାଗ କଣ ଖବର ଦେଉ ନାହିଁ ।
ଶ୍ରୀ ମିଶ୍ର କହିଛନ୍ତି ଯେ ୧୯୬୮ ମସିହାରେ ସୀମା ବିବାଦକୁ ନେଇ କୋର୍ଟରେ ମାମଲା ଥିଲା । ଏହାର ଅର୍ଥ ହେଲା ସେତେବେଳ ଠାରୁ ବିବାଦ ରହିଛି । ତେବେ ରାଜ୍ୟ ସରକାର ଜାଣି ପାରୁ ନ ଥିଲେ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାରଙ୍କ ଦ୍ୱାରା ଏହି ପ୍ରସଙ୍ଗରେ କୋର୍ଟ ଅବମାନନା ସମ୍ପର୍କିତ ମାମଲା କରିବାକୁ ନେଇ ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଏହାର ଫଳାଫଳ କଣ ଆସିବ । ଯଦି କେହି କୋର୍ଟ ଅବମାନନା ମାମଲାରେ ଦୋଷୀ ହେବେ ତେବେ କୌଣସି ଅଧିକାରୀଙ୍କୁ ଦଣ୍ଡ ଦିଆ ଯାଇ ପାରେ । ହେଲେ ଓଡିଶା କଣ ତାର ଅଂଚଳ ଫେରି ପାଇବ ।
ସେ କହିଛନ୍ତି ଯେ ଏହି ମାମଲାରେ ସର୍ବଦଳୀୟ ବୈଠକ ଡକା ଯାଇ ଏକ ପ୍ରତିନିଧି ଦଳ ଉକ୍ତ ଅଂଚଳ ଗସ୍ତ କରୁ । ଏହା ଦ୍ୱାରା ସରକାରୀ ଅଧିକାରୀ ମାନଙ୍କ ମନୋବଳ ବୃଦ୍ଧି ପାଇବା ସହ ସ୍ଥାନୀୟ ଲୋକ ମାନଙ୍କ ସହ ଆଲୋଚନା କରା ଯାଇ ପାରିବ । ଏ ନେଇ ସେ ଉପ ବାଚସ୍ପତିଙ୍କୁ ରୁଲିଂ ଦେବାକୁ ଦାବି କରିଥିଲେ ।