
ମାଲକାନଗିରି, ମାଲକାନଗିରି ଜିଲ୍ଲା ସୀମାନ୍ତ ପଡିଆ ସ୍ଥିତ ଶାବେରୀ ନଦୀରୁ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଚାଲାଣକାରୀଙ୍କ ବିରୋଧରେ ପ୍ରଶାସନ ଶକ୍ତ ହୋଇଛି । ଏଥିପାଇଁ ରାଜସ୍ୱ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବରେ ଶାବେରୀ ନଦୀ କୂଳରେ ବେଆଇନ ଭାବେ ଲୋଡ୍ ହେଉଥିବା ବାଲି ଟ୍ରାକ୍ଟର ଉପରେ ଚଢ଼ଉ କରାଯାଇଛି । ଘଟଣାରେ ଟ୍ରାକ୍ଟରକୁ ଜବତ କରାଯିବା ସହିତ ୨୫ ହଜାର ଟଙ୍କା ରାଜସ୍ଵ ଅଦାୟ କରାଯାଇଥିବା ପଡିଆ ରାଜସ୍ଵ ନିରୀକ୍ଷକ ଚିନ୍ମୟ କୁମାର ମହାପାତ୍ର କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ବିଗତ ଦିନରେ ବିଭିନ୍ନ ସମୟରେ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଶାବେରୀ ନଦୀରୁ ବେଆଇନ ଭାବେ ପଡୋଶୀ ରାଜ୍ୟକୁ ବାଲି ଚାଲାଣ ହେଉଥିବାର ଅଭିଯୋଗ ହୋଇ ଆସୁଥିଲା । ଅନ୍ୟପଟେ ପଡୋଶୀ ରାଜ୍ୟର ଟ୍ରାକ୍ଟର ଓଡିଶା ସୀମାରେ ପଶି ବାଲି ନେଉଥିବାରୁ ବିଭିନ୍ନ ସମୟରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥାଏ । ରାଜସ୍ଵ ବିଭାଗର ଏଭଳି ଚଢ଼ଉ ଶାବେରୀ ନଦୀରୁ ବେଆଇନ ଭାବେ ପଡୋଶୀ ରାଜ୍ୟକୁ ବାଲି ଚାଲାଣ କରୁଥିବା ଚାଲାଣକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବ ବୋଲି କୁହାଯାଉଥିବା ବେଳେ ଆଗାମୀ ଦିନରେ ବାଲି ଚାଲାଣକାରୀଙ୍କ ଉପରେ କିଭଳି ପ୍ରଭାବ ପଡୁଛି ତାହା ଦେଖିବାକୁ ବାକି ରହିଲା ।