
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଂଚଳର ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶୃତି ଦେଇ ସ୍ଥାନୀୟ ଅଂଚଳର ଜଣେ ଯୁବକ ବାଙ୍ଗାଲୋର ନେଇ ଯାଇ ସେଠାରେ ଦୁଷ୍କର୍ମ କରିବା ସହ ଏକାକୀ ତାଙ୍କୁ ସେଠାରେ ଛାଡି ଚାଲି ଆସିଥିଲା । ଏନେଇ ଆସିକା ପୋଲିସ କେସ୍ ନଂ ୫୪୫ ରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଥିଲା । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଖମାର ଗ୍ରାମର ମନୋଜ ନାୟକ (୨୫)କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଓଡ଼ିଶା-ଆନ୍ଧ୍ର ସୀମାରୁ ମନୋଜକୁ ପୋଲିସ ଗତକାଲି ଗିରଫ କରିଛି । ଆସିକା ଡ଼ାକ୍ତରଖାନାରେ ଅଭିଯୁକ୍ତର ଡ଼ାକ୍ତରୀମାଇନା ପରେ ତାକୁ ପୋକସୋ କୋର୍ଟକୁ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି ।
ପ୍ରକାଶ ଥାଉ କି, ସମ୍ପୃକ୍ତ ନାବାଳିକା ଜଣକ ଧରାକୋଟ ଥାନା ଅଧିନ ମହୁପଦର ଗ୍ରାମେରେ ଥିବା ତାଙ୍କ ମାମୁଁ ଘରକୁ ଅନେକ ସମୟରେ ଯିବା ଆସିବା କରୁଥିଲେ । ନିକଟସ୍ଥ ଖମାର ଗ୍ରାମର ମନୋଜ ନାୟକ ସହ ତାଙ୍କର ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା । ନିଜ ପ୍ରେମ ଜାଲରେ ଫସାଇ ମନୋଜ ନାବାଳିକାଙ୍କୁ ବାଙ୍ଗୋଲୋର ନେଇ ସେଠାରେ ଯୌନ ନିର୍ଯାତନା ଦେଇଥିଲା ।