କଟକ, ବିବାହ ଭୋଜିରେ ଯୋଗ ଦେବାକୁ ଆସିଥିବା ଅତିଥିଙ୍କ କାର୍ ଲୋକଙ୍କ ଉପରେ ମାଡିଗଲା । ଫଳରେ ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହତ ମାନଙ୍କୁ କଟକ ବଡ଼ ମେହିକାଲରେ ଭର୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଛନ୍ତି । ଗତକାଲି ରାତିରେ ଏଭଳି ଏକ ଅଘଟଣ ଘଟିଯାଇଛି ଜଗତପୁର ଥାନା ଅଧିନ ଇମାମନଗରରେ ।
ସୂଚନା ଅନୁଯାୟୀ ଗତକାଲି ରାତିରେ ଇମାମନଗର ଅଂଚଳରେ ଏକ ବିବାହ ଭୋଜି ଚାଲିଥିଲା । ଫଳରେ ସେଠାରେ ଲୋକ ଗହଳି ରହିଥିଲା । ଏହି ସମୟରେ ଭୋଜିରେ ଯୋଗ ଦେବାକୁ ଆସିଥିବା ଜଣେ ଅତିଥିଙ୍କ କାର୍ ଭାରସାମ୍ୟ ହରାଇ ଲୋକଙ୍କ ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଲୋକ ଡ଼୍ରାଇଭରକୁ କାବୁ କରି ପୋଲିସର ଜିମା ଦେଇଥିଲେ । ଖବର ପାଇ ଜଗତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଡ଼୍ରାଇଭରକୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ।