
-
ପଂଜୀକୃତ ଚାଷୀଙ୍କ ଠାରୁ ଧାନ କିଣା ଯାଉଛି, ଦଲାଲ ମାନଙ୍କ ଠାରୁ ଧାନ କିଣା ଯିବ ନାହିଁ – ରଣେନ୍ଦ୍ର ପ୍ରତାପ ସ୍ୱାଇଁ
-
ମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ବ୍ୟକ୍ତ କରି ବିରୋଧୀ ବିଧାୟକଙ୍କ କକ୍ଷତ୍ୟାଗ

ମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ମାନେ କକ୍ଷତ୍ୟାଗ କରିଥିଲେ ।
ଶନିବାର ଦିନ ସର୍ବଦଳୀୟ ବୈଠକରେ ନିଆଯାଇଥିବା ନିଷ୍ପତି ଅନୁସାରେ ବିଧାନସଭାରେ ଦିନ ପ୍ରଶ୍ନୋତର କାର୍ଯ୍ୟକ୍ରମ ପରେ ୧୧.୩୦ରେ ଧାନ ସଂଗ୍ରହ ଓ ସେ ସମ୍ପର୍କିତ ବିଷୟ ଉପରେ ଦୁଇ ଘଂଟା ପାଇଁ ମୋସନ ଉପରେ ଆଲୋଚନା ଆରମ୍ଭ ହୋଇଥିଲା । ପ୍ରଶ୍ନୋତର କାର୍ଯ୍ୟକ୍ରମ ଶେଷ ହେବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଡାକିଥିଲେ । ଏହା ପରେ ସେ ଆଲୋଚନା ସମ୍ପର୍କରେ କହିଥିଲେ । ବିରୋଧୀ ଦଳର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରଥମେ ନିଜର ବିବୃତି ରଖିଥିଲେ ।
ଶ୍ରୀ ମିଶ୍ର ରାଜ୍ୟରେ ଧାନ କିଣାକୁ ନେଇ ଚାଲିଥିବା ଅବ୍ୟବସ୍ଥା ଓ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ ବର୍ତମାନ ଭୁବନେଶ୍ୱରରୁ ଟୋକେନ ସିଷ୍ଟମ ଜରିଆରେ ଧାନ କିଣା ପ୍ରକ୍ରିୟା ଚାଲିଛି । ଯେଉଁ ଚାଷୀ ମାନଙ୍କ ନିକଟକୁ ଟୋକନ ଯାଉଛି ସେମାନଙ୍କର ଧାନ ପ୍ରସ୍ତୁତ ହୋଇ ନାହିଁ ଓ ଯାହା ନିକଟରେ ଧାନ ଅଛି ତାଙ୍କ ନିକଟକୁ ଯାଉ ନାହିଁ । ପୂର୍ବରୁ ଜିଲ୍ଲା ପ୍ରକ୍ୟୋରମେଂଟ କମିଟିକୁ ସକ୍ରିୟ କରା ଯାଉଥିଲା । ଏଥିରେ ଜିଲ୍ଲା ପ୍ରଶାସନ ବ୍ୟତୀତ ଏଫସିଆଇ, ଚାଷୀ ଓ ସୋସାଇଟିର ପ୍ରତିନିଧି ମାନେ ରହୁଥିଲେ । ହେଲେ ଏବେ ବ୍ୟବସ୍ଥାକୁ ବିକେନ୍ଦ୍ରୀକରଣ କରିବା ପରିବର୍ତେ ଭୁବନେଶ୍ୱରରୁ ବ୍ୟବସ୍ଥା ଚାଲିଛି । ତେଣୁ ଚାଷୀ ମାନେ ସେମାନଙ୍କ ଧାନ ବିକ୍ରୀ କରି ପାରୁ ନାହାନ୍ତି । ସେ ଟୋକନ ବ୍ୟବସ୍ଥାକୁ ସମାପ୍ତ କରିବାକୁ ଦାବି କରିବା ସହ ଜିଲ୍ଲାସ୍ତରରେ ଏହାର ପରିଚାଳନା କଲେ ଚାଷୀ ମାନଙ୍କର ସମସ୍ୟାର ସମାଧାନ ହୋଇ ପାରିବ ବୋଲି କହିଥିଲେ ।
ସେ କହିଛନ୍ତି ଯେ ଚାଷୀ ମାନଙ୍କ ଠାରୁ ପ୍ରତି କ୍ୱିଂଟାଲ ୫ କିଲୋରୁ ୧୨ କିମି ଯାଏ ଧାନ କାଟି ନିଆ ଯାଉଛି । ଧାନର ଗୁଣବତାକୁ ମାପିବା ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ନାହିାଁ ସେ ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ ନିଜେ ମଣ୍ଡିକୁ ଯାଇ ବସ୍ତୁସ୍ଥିତି ଦେଖିବାକୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ ଚାଷୀ ମାନଙ୍କ ସମସ୍ୟାକୁ ଭୁବନେଶ୍ୱରରୁ ବସି ବୁଝି ହେବ ନାହିଁ ।
ସେ କହିଛନ୍ତି ଯେ ଧାନ ନ ଉଠିବାର ସମସ୍ୟା ଯେ କେବଳ ପଶ୍ଚିମାଂଚଳର ତା ନୁହେଁ । ଏହି ସମସ୍ୟା ସମ୍ପୂର୍ଣ ରାଜ୍ୟରେ ରହିଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସବୁଠାରୁ ଅଧିକ ଚାଷୀ ମାନେ ଅଭାବୀ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି ।
ଆଲୋଚନାରେ ଅଂଶଗ୍ରହଣ କରି ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ କହିଥିଲେ ଯେ ବିରୋଧୀ ଦଳର ବିଧାୟକ ଜୟ ନାରାୟଣ ମିଶ୍ର ଯାହା କହୁଛନ୍ତି ତାହା ସମ୍ପୂର୍ଣ ଭୁଲ ବୋଲି କହି ହେବ ନାହିଁ । ତେବେ ଏହାର ମୂଳ କାରଣ ବୁଝିଲେ ସମସ୍ୟାର ସମାଧାନ କରି ହେବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ କେନ୍ଦ୍ର ସରକାର ଧାନ କିଣା ନିମନ୍ତେ ଅର୍ଥ ଦେଇ ନ ଥିବାରୁ ରାଜ୍ୟ ସରକାର ଋଣ ଆଣି ଚାଷୀ ମାନଙ୍କୁ ସେମାନଙ୍କର ଅର୍ଥ ପ୍ରଦାନ କରିଛନ୍ତି । ବର୍ତମାନ ସୁଦ୍ଧା କେନ୍ଦ୍ର ସରକାର ଧାନକିଣା ବାବଦରେ ୧୭ହଜାର ୩୪୮ କୋଟି ଟଙ୍କା ପ୍ରଦାନ କରି ନଥିବା ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ ଦୋହରା ନୀତି ଚଳିବ ନାହିଁ ବୋଲି ସେ କହିଛନ୍ତି ।
କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଥିଲେ ଯେ ଚାଷୀ ମାନଙ୍କ ଠାରୁ ସମସ୍ତ ଧାନ କିଣା ଯିବା ଦରକାର । କଟନି- ଛଟନୀ ବନ୍ଦ କରା ଯାଉ । ମଣ୍ଡି ମାନଙ୍କରେ ସିସିଟିଭି ଲଗା ଯାଉ । ଧାନ କିଣା ବେଳେ ମିଲର ମାନେ ଉପସ୍ଥିତ ନ ରହିବା ଦରକାର ।
ବିିରୋଧୀ ଦଳର ଉପନେତା ବିଷ୍ଣୁସେଠୀ କହିଥିଲେ ଯେ ଧାନ କିଣା ସମସ୍ୟା ପାଇଁ ପରିଚାଳନାଗତ ତ୍ରୁଟି ଦାୟୀ । ଏହି କିଣା କାରବାର ବର୍ତମାନ ବ୍ୟୁରୋକ୍ରେଟିକ କ୍ଲଜ ମଧ୍ୟରେ ରହିଛି । ଫଳରେ ଚାଷୀ ହିନସ୍ତା ହେଉଛି । ଅଭାବୀ ବିକ୍ରୀ ବନ୍ଦ କରା ଯାଉ ଓ ଚାଷୀର ଧାନ ଉଠା ଯାଉ ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ ଧାନ କିଣିବା ବେଳେ ମିଲର ମାନେ ଉପସ୍ଥିତ ନ ରହିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ୍ ହେଁ ତାହା କାର୍ଯ୍ୟକାରୀ ହେଉ ନାହିଁ ।