ବିଭାଗୀୟ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଡିଇଓମାନଙ୍କୁ ଚିଠି ଲେଖି କହିଛନ୍ତି ଯେ ଦେଶରେ ଦେଖାଦେଇଥିବା ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ଦେଶାବଳୀକୁ କଡ଼ାକଡ଼ି ପାଳନ କରାଯାଉ । ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ଡିଇଓଙ୍କ ଅଧୀନରେ ଥିବା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉ । ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ କ୍ୟାମ୍ପସରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା, ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ୱାସ୍, ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି । ପାଠପଢ଼ା ସହ କ୍ୟାମ୍ପସ୍ ରେ ଆଉ କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ । ଯେଉଁମାନେ କୋଭିଡ୍ -୧୯ ଗାଇଡ୍ ଲାଇନ୍ ପାଳନ କରିବେ ନାହିଁ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି । ନିର୍ଦେଶାବଳୀ ଉଲ୍ଲଂଘନକୁ ଗୁରୁତ୍ୱର ସହ ନିଆଯିବ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି ।
ଅନ୍ୟପକ୍ଷରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଓଡ଼ିଶାରେ ଏବେ କରୋନାର ଭୟାବହତା ନାହିଁ । ତେବେ ବର୍ତମାନ ସମୟରେ ଦେଶରେ ସୃଷ୍ଟି ହୋଇଥିବା ସ୍ଥିତିକୁ ଆମେ ହାଲୁକା ଭାବେ ନେବା ଉଚିତ ନୁହେଁ । ସ୍କୁଲ ବନ୍ଦ କିମ୍ବା ଲକ୍ ଡାଉନ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ଚିନ୍ତା କରାଯାଇ ନାହିଁ । ସେଭଳି ପରିସ୍ଥିତି ସୃଷ୍ଟି ହେଲେ ଚିନ୍ତା କରାଯିବ ।
ସୂଚନାଯୋଗ୍ୟ, ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପରେ କରୋନା କଟକଣା କଡ଼ାକଡ଼ି ପାଳନ ପାଇଁ ସବୁ ଜିଲ୍ଲାପାଳ, ଏସ୍ପି ଏବଂ ମହାନଗର ନିଗମ କମିଶନରଙ୍କୁ ଗତକାଲି ଚିଠି ଲେଖିଥିଲେ ସ୍ୱତନ୍ତ୍ର ରିଲିଫ କମିଶନର । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବାକୁ ଗୁରୁତ୍ୱ ଦେଇ କଡ଼ାକଡ଼ି ଭାବେ ପାଳନ କରିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି ।