
ମାଲକାନଗିରି, ସମାରୀ ମଦୁଲି। ବୟସ ପାଖା ପାଖି ୩୦ବର୍ଷ ହେବ। ଶିକ୍ଷାଗତ ଯୋଗ୍ୟତା ନଥିଲେ ମଧ୍ୟ ନିଜେ ସ୍ବାବଲମ୍ବୀ ହୋଇଛନ୍ତି। ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ପ୍ରଦାନ କରିବାରେ ସଫଳ ହୋଇଛନ୍ତି ମାଲକାନଗିରି ବ୍ଲକ ଅନ୍ତର୍ଗତ ମାର୍କାପାଲୀ ଗ୍ରାମର ଲୋକିନାଥ ମୁଦୁଲିଙ୍କ ଝିଅ ସମାରୀ ମୁଦୁଲି। ଲୋକିନାଥଙ୍କ ୪ଟି ଝିଅ ଓ ଗୋଟିଏ ପୁଅ। ଲୋକିନାଥ ଏବେ ବୃଦ୍ଧାବସ୍ଥାରେ ପହଞ୍ଚିଥିବାବେଳେ ଆଗ ଭଳି ଆଉ କାମ କରି ପାରୁନାହାନ୍ତି। ପତ୍ନୀ ମଙ୍ଗୁଳି ମଧ୍ୟ ଘର କାମ କରିବାରେ ଅସମର୍ଥ। ଏମିତି ସ୍ଥିତିରେ ଝିଅ ସମାରୀ ନିଜେ ସ୍ବାବଲମ୍ବୀ ହେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ପରିଶ୍ରମୀ ସମାରୀଙ୍କ ସ୍ବାବଲମ୍ବୀ ହେବାର ଆଗ୍ରହ ସଂପର୍କରେ ପ୍ରଥମେ ଜାଣିପାରିଥିଲେ ଓଡ଼ିଶା ଜୀବିକା ମିଶନର ଏମବିକେ ବାସନ୍ତୀ ଡୁରୁକା। ତେଣୁ ସମାରୀଙ୍କୁ ସିଲେଇ ତାଲିମ ଗ୍ରହଣ କରିବାକୁ ପରାମର୍ଶ ଦେଇ ତାଙ୍କୁ ମାଲକାନଗିରି ସ୍ଥିତ ଷ୍ଟେଟବ୍ୟାଙ୍କ ଗ୍ରାମାଞ୍ଚଳ ଆତ୍ମନିର୍ଭରଶୀଳ ତାଲିମ ସଂସ୍ଥା (ଏସବିଆରଏସଇଟିଆଇ)ରେ ନାମ ଲେଖାଇଥିଲେ। ସେଠାରେ ୨୧ଦିନ ତାଲିମ ନେଇଥିଲେ ସମାରୀ। ତାଲିମ ପରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଋଣ ନେଇ ସିଲେଇ ମେସିନ କିଣି ଆରମ୍ଭ କରିଥିଲେ ସିଲେଇ କାମ। ଧୀରେଧୀରେ ଋଣ ଶୁଝିବା ସହ ପରିବାର ମଧ୍ୟ ଚଳାଇବାରେ ସକ୍ଷମ ହୋଇପାରିଥିଲେ। ସମାରୀଙ୍କ ସଫଳତା ଦେଖି ଜିଲ୍ଲାର ଅନ୍ୟ ଆଦିବାସୀ ଝିଅ ମାନଙ୍କୁ ମଧ୍ୟ ଏଭଳି ଆତ୍ମନିର୍ଭରଶୀଳ ହେବାକୁ ପ୍ରେରଣା ଦିଆଯାଇଥିଲା। ଏପରିକି ୨୦୧୮ ମସିହା ଜୁଲାଇ ୨୬ ତାରିଖରେ ଗୁରୁପ୍ରିୟା ସେତୁ ଉଦ୍ଘାଟନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଗସ୍ତରେ ଆସିଥିବା ବେଳେ ସମାରୀଙ୍କୁ ଏକ ସିଲେଇ ମେସିନ ପ୍ରଦାନ କରିବା ସହ ଆଗକୁ ବଢ଼ିବା ପାଇଁ ଆଶୀର୍ବାଦ ଦେଇଥିଲେ। ଯାହାକି ସମାରୀଙ୍କୁ ଦିନରାତି ପରିଶ୍ରମ କରିବାକୁ ପ୍ରେରଣା ଯୋଗାଇ ଦେଇଥିଲା। ବର୍ତ୍ତମାନ ମାସକୁ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ଏହି ଆଦିବାସୀ ଝିଅ ଜଣଙ୍କ। ଏପରିକି ସେ ୬ରୁ ୭ଟି ସିଲେଇ ମେସିନ ରଖି ଅନ୍ୟମାନଙ୍କୁ ଶିକ୍ଷା ଦେବା ସହ ରୋଜଗାରର ପନ୍ଥା ମଧ୍ୟ ଦେଖାଇ ପାରିଛନ୍ତି। ମାର୍କାପାଲୀ ସମେତ ଅନ୍ୟ ଗ୍ରାମର ଝିଅମାନେ ସମାରୀଙ୍କ ନିକଟରେ ଏବେ ସିଲେଇ ଶିଖୁଛନ୍ତି। ଯଦି ତାଙ୍କୁ ଉପଯୁକ୍ତ ସୁଯୋଗ ସହ ସହାୟତା ମିଳିବ ତେବେ ଶହେରୁ ଊର୍ଦ୍ଧ୍ବ ଝିଅଙ୍କୁ ସିଲେଇ ତାଲିମ ଦେଇପାରିବେ ବୋଲି କହିଛନ୍ତି। ଏବେ ସମାରୀ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା। ସମାରୀଙ୍କ ସଫଳତା ପଛରେ ଓଡ଼ିଶା ଜୀବିକା ମିଶନର ଗୁରୁତ୍ବପୂର୍ଣ୍ଣ ଅବଦାନ ଥିବା କହିଛନ୍ତି। ନିରକ୍ଷର ହୋଇଥିଲେ ବି ପାଠ ପଢ଼ିବାର ଆଗ୍ରହ ଏବେ ବି ତାଙ୍କର ରହିଛି। ପିଲାଟି ଦିନରୁ ଅଭାବ ଅନଟନରେ ବଢ଼ିଥିବାରୁ ସେ ବିଶେଷ ପାଠ ପଢ଼ି ପାରିନଥିବା କହିଥିଲେ। ଏବେ କିନ୍ତୁ ସେ ନିଜ ଗୋଡ଼ରେ ଛିଡ଼ା ହୋଇ ପାରିଥିବାରୁ ବେଶ ଖୁସି ବୋଲି କହିଛନ୍ତି। ସୁଯୋଗ ମିଳିଲେ ଆଗକୁ ସେ ନିଶ୍ଚୟ ପାଠ ପଢ଼ିବେ ବୋଲି କହନ୍ତି ସମାରୀ। ସରକାରଙ୍କ ତରଫରୁ ଯଦି କିଛି ଅଧିକ ସହଯୋଗ ମିଳେ ତାହା ହେଲେ ଅଞ୍ଚଳର ଆଦିବାସୀ ଝିଅଙ୍କୁ ତାଲିମ ଦେଇ ଆଗକୁ ବଢ଼ିବାକୁ ବାଟ ଦେଖାଇପାରନ୍ତେ ବୋଲି କହିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO