

ଶ୍ରୀ ମହାପାତ୍ର କହିଲେ ଯେ, ସେବା ମାଧ୍ୟମରେ ଆମେ ସମର୍ପଣର ଭାବନା ସୃଷ୍ଟି କରିବା । ଯେଉଁମାନଙ୍କୁ ଅକ୍ଷମ ବୋଲି କୁହାଯାଉଛି ସେମାନେ କେହି ଅକ୍ଷମ ନୁହଁନ୍ତି । ସମସ୍ତେ ସକ୍ଷମ । ସମାଜର ହିତ ପାଇଁ ସେମାନଙ୍କୁ ସମାଜ ସହିତ ଯୋଡିବା । ସେବା ମାଧ୍ୟମରେ ସମାଜରେ ସମ୍ବେଦନାର ଭାବ ଜାଗ୍ରତ କରିବା । ସମବେଦନା ଯୋଗୁଁ ସେବା ହିଁ ଏକ ଯଜ୍ଞ କୁଣ୍ଡ । ସଂପୂର୍ଣ୍ଣ ସମାଜ ପାଇଁ ଯେଉଁ ସେବା କରାଯାଉଛି ତାହା ମଧ୍ୟ ଏକ କ୍ଷଜ୍ଞ ଅଟେ । ସେହି ଯଜ୍ଞର ଆହୁତିରେ ଲାଗୁଥିବା କାଠ ପରି ଆମେ ଜଳୁଅଛୁ ।
ସକ୍ଷମର ଅଖିଳ ଭାରତୀୟ ଅଧ୍ୟକ୍ଷ ଡ. ଦୟାଲ ସିଂହ ପନୱାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ଯୋଗଦେଇ ଆରଏସ୍ଏସ୍ର ଅଖିଳ ଭାରତୀୟ ସହସେବା ପ୍ରମୁଖ ରାଜକୁମାର ମଟାଲେ କହିଲେ ଯେ, ସମାଜର ଆବଶ୍ୟକତା ଅନୁସାରେ ସକ୍ଷମ ସେବା ମାଧ୍ୟମରେ ଏକ ଉଦାହରଣ ସୃଷ୍ଟି କରିପାରିଛି ।
ସୂଚନା ଯୋଗ୍ୟ ଯେ, ସକ୍ଷମ ହେଉଛି ଦିବ୍ୟାଙ୍ଗମାନଙ୍କ ପାଇଁ କାର୍ଯରତ ଏକ ଅଖିଳ ଭାରତୀୟ ସଂଗଠନ । ଏହି ସଂଗଠନର ଅଖିଳ ଭାରତୀୟ ସଚିବ ସମ୍ମିଳନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇ ଏଥିରେ ହରିଦ୍ୱାର ନେତ୍ରକୁମ୍ଭ, ସୁରଦାଶ ଜୟନ୍ତୀ, କୋଭିଡ ସମୟରେ ସେବାକାର୍ଯ୍ୟ, ପ୍ରଶିକ୍ଷଣ ବର୍ଗ, ନେତ୍ରଦାନ ଆଦି ବିଷୟରେ ମଧ୍ୟ ଚର୍ଚ୍ଚା ଆଲୋଚନା ଆଲୋଚନା ହୋଇଥିଲା । ଏଥି ସହିତ ଦିବ୍ୟାଙ୍ଗ ଭାଇ ଉଉଣୀମାନଙ୍କ ବିକାଶ ପାଇଁ ବିଭିନ୍ନ ପ୍ରକାର ଯୋଜନା ସଂପର୍କରେ ଆଲୋଚନା,ସେମାନେ କିପରି ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିବେ, ଭାରତ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନାରୁ ସେମାନେ କିପରି ଉପକୃତ ହୋଇ ପାରିବେ, ଦିବ୍ୟାଙ୍ଗମାନଙ୍କ ପୂର୍ନବାସର ଯୋଜନା ଆଦି ବିଷୟରେ ଏହି ସମ୍ମିଳନୀରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା । ଏହି ସମ୍ମିଳନୀରେ ଦିବ୍ୟାଙ୍କମାନଙ୍କ ବିକାଶ ପାଇଁ ଚିନ୍ତନ ମନ୍ଥନ ହୋଇ ଯେଉଁ ନିର୍ଯ୍ୟାସ ବାହାରିଛି ତାହାକୁ ଭାରତ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ । ଏହି ସମ୍ମିଳନୀରେ ସଂଗଠନର ବିସ୍ତାର ପାଇଁ ନୂତନ କାର୍ଯ୍ୟକର୍ତାମାନଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି ।
ଏହି ସମ୍ମିଳନୀରେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରଣାଳୟର ରାଷ୍ଟ୍ରୀୟ ପରାମର୍ଶଦାତା ଡ. ସୁକୁମାରଜୀ, ସକ୍ଷମର ରାଷ୍ଟ୍ରୀୟ ପରିଷଦ ଅଧ୍ୟକ୍ଷ ଉମେଶ ଅନ୍ଧାରେ, ରାଷ୍ଟ୍ରୀୟ ସଂପାଦକ କମଳକାନ୍ତ ପାଣ୍ଡେ,ସକ୍ଷମର ସମସ୍ତ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ,ଦେଶର ସମସ୍ତ ରାଜ୍ୟରୁ ସଂଗଠନର ପ୍ରଦେଶ ଅଧ୍ୟକ୍ଷ, ସଂପାଦକମାନଙ୍କ ସହିତ ପ୍ରାୟ ୧୪୦ରୁ ଉର୍ଦ୍ଧ୍ୱ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।
ଫେବୃଆରୀ ୧୩ ତାରିଖ ଦିନ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ପୂଜ୍ୟ ସ୍ୱାମୀ ବ୍ରହ୍ମାନନ୍ଦ ଗିରି ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ସକ୍ଷମର ଅଖିଳ ଭାରତୀୟ ଅଧ୍ୟକ୍ଷ ଡ. ଦୟାଲ ସିଂହ ପନୱାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଘଚାଳକ ଶ୍ରୀ ସମୀର କୁମାର ମହାନ୍ତି ମୁଖ୍ୟବକ୍ତା ରୂପେ ଯୋଗଦେଇ ମାର୍ଗ ଦର୍ଶନ କରିଥିଲେ ।
ବିଭିନ୍ନ ରାଜ୍ୟରୁ ଆସିଥିବା ଅତିଥିମାନଙ୍କୁ ସଂଗଠନର ଓଡିଶା ଶାଖା ତରଫରୁ ଭବ୍ୟ ସ୍ୱାଗତ କରାଯାଇଛି । ପ୍ରଥମେ ଅତିଥିମାନଙ୍କର ପାଦଧୌତ କରାଯାଇଥିଲା । ତାପରେ ସେମାନଙ୍କୁ ଅଙ୍ଗବସ୍ତ୍ର ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା । ସେମାନଙ୍କୁ ଜଗନ୍ନାଥଙ୍କ ଫଟୋ ଚିତ୍ର ପ୍ରଦାନ କରାଯିବା ସହ ଅତିଥିଦେବଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା । ଏହି ଭଳି କାର୍ଯ୍ୟକ୍ରମ ଏକ ଭାବ ବିହ୍ୱଳ ପରିବେଷ ସୃଷ୍ଟି କରିଥିଲା । ସଂଧ୍ୟାରେ ଓଡିଶାର ନୃତ୍ୟଗୀତ ମାଧ୍ୟମରେ ବିଭିନ୍ନ ପ୍ରକାର ରଙ୍ଗ ମଂଚୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ତିନୋଟି ପୁସ୍ତକ ଉନ୍ମୋଚିତ ହୋଇଥିଲା ।