ପ୍ରାପ୍ତ ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶର ଟି.ବରହମପୁର ପଚାଂୟତର ସରପଚଂ ପ୍ରାର୍ଥୀ ଟି. ବାବୁଜୀ ଗଣମାଧ୍ୟମକୁ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଟି.ବରହମପୁର ଗ୍ରାମର କିଛି ଅଂଶ ଗଞ୍ଜାମ ଓ କିଛି ଅଂଶ ଆନ୍ଧ୍ରରେ ରହିଛି । ଏହି ଗ୍ରାମର କିଛି ବାସିନ୍ଦାଙ୍କ ନିକଟରେ ଉଭୟ ରାଜ୍ୟର ଭୋଟର କାର୍ଡ଼ ମଧ୍ୟ ରହିଛି । ଏ ସଂକ୍ରାନ୍ତରେ ଇଚ୍ଛାପୁର ଓ ପାତ୍ରପୁର ପ୍ରଶାସନକୁ ଅବଗତ କରାଯାଇଛି । କିନ୍ତୁ ଟି. ବରହମପୁର ଗ୍ରାମର ୩୭ ଜଣ ଏବଂ ଜୟପୁର ଗ୍ରାମର ୧୩ ଜଣରୁ ଅଧିକ ଭୋଟର ଆନ୍ଧ୍ରର ଟି.ବରହମପୁର ପଚାଂୟତ ଲାଗି ଭୋଟ୍ ଦେଇଥିବା ଦାବି କରିଛନ୍ତି । ସେହିପରି ତୁମ୍ବା ପଚାଂୟତର କୁଲାଡ଼ି, ସାତପୁରୀ ଓ ବାଞ୍ଜୁଆ ସାହିରେ ୧୪୦ ଜଣ ଭୋଟର ରହିଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହି ଗ୍ରାମ ଗୁଡିକ ଉପରେ ତୀକ୍ଷ୍ନ ନଜର ରଖିଥିଲା । ଏପରିକି କୁଲାଡ଼ି ଗ୍ରାମବାସୀ ଆନ୍ଧ୍ରରେ ଭୋଟ୍ ଦେବେନାହିଁ ବୋଲି ପୂର୍ବରୁ ପାତ୍ରପୁର ତହସିଲଦାର ଓ ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଥିଲେ । କୁଲାଡ଼ି, ସାତପୁରୀ ଗ୍ରାମର କିଛି ଲୋକ ଆନ୍ଧ୍ରର ତାଳଗୁରାଣ୍ଠି ପଚାଂୟତରେ ଭୋଟ୍ ଦେଇଥିବା ଜଣାପଡିଛି । ତେବେ ଏହି ଦୁଇ ଗ୍ରାମର ମୋଟ୍ କେତେ ଜଣ ଭୋଟ୍ ଦେଇଛନ୍ତି ସେନେଇ କୌଣସି ସଠିକ୍ ତଥ୍ୟ ମିଳିପାରିନାହିଁ । ଆନ୍ଧ୍ରପ୍ରଦେଶର ଜଗନ୍ନାଥପୁରକୁ ଲାଗି ଗଞ୍ଜାମର ଏ. ଶରଧାପୁର ଗ୍ରାମ ରହିଛି । ଏହି ଗ୍ରାମର କିଛି ଭୋଟର ମଧ୍ୟ ଆନ୍ଧ୍ରରେ ଭୋଟ୍ ଦେଇଥିବା ଜଣାପଡିଛି ।
ସେହିପରି ପାତ୍ରପୁର ବ୍ଲକର ବୁରୁତାଲ ପଚାଂୟତର ବିବାଦୀୟ ଗ୍ରାମ ଗୁଡ଼ିଖଳାରର କେତେକ ଭୋଟର ମଧ୍ୟ ଆନ୍ଧ୍ରର ବୁରୁତାଲ ପଚାଂୟତରେ ଭୋଟ୍ ଦେଇଥିବା କୁହାଯାଉଛି । ଏହି ଗ୍ରାମଟି ଗଞ୍ଜାମ, ଗଜପତି ଓ ଆନ୍ଧ୍ର ପ୍ରଦେଶ ସୀମାକୁ ଲାଗି ରହିଛି । ଗଞ୍ଜାମ ଓ ଗଜପତି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଏହି ଗାଁରେ ଡେରା ପକାଇଥିଲେ । ଏହା ସତ୍ୱେ ଲୋକେ ଆନ୍ଧ୍ରରେ ଭୋଟ୍ ଦେଇଥିବା ଜଣାପଡିଛି ।