
ରାଉରକେଲା, ଶାନ୍ତ ସହର ରାଉରକେଲା ଏବେ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି । ପୋଲିସ ପାଟ୍ରୋଲିଂ ଏକ ପ୍ରକାର ବନ୍ଦ ହୋଇସାରିଛି । ତେଣୁ ରାତି ୧୦ଟା ୧୧ଟାରେ ଅପରାଧୀ ବିଚ୍ ରାସ୍ତାରେ ଓ ଘରେ ପଶି ଲୋକଙ୍କୁ ହତ୍ୟା କରୁଛନ୍ତି । ବିଗତ ଡିସେମ୍ବରରୁ ଜାନୁଆରୀ ମାସ ଭିତରେ ଏହିଭଳି ଅନେକ ହତ୍ୟାକାଣ୍ଡ ଘଟି ସାରିଲାଣି । କେହି ଧରା ପଡୁ ନାହାନ୍ତି । ଏଭଳି ସ୍ଥିତିରେ ପୁଣି ଆଉ ଏକ ହତ୍ୟାକାଣ୍ଡ ଘଟିଛି ଗତକାଲି ରାତି ୧୧ଟା ବେଳେ । ରାଉରକେଲା ପ୍ଲାଂଟ ସାଇଡ୍ ଥାନା ଡିଏଭି ଲେନରେ ରହୁଥିବା ହୋଟେଲ ମାଲିକ ସଜନ ମିତଲ ଗତକାଲି ରାତିରେ ନିଜ ହୋଟେଲରୁ ନିଜ ଘରକୁ ରାତି ପ୍ରାୟ ୧୧ଟା ବେଳେ ଯାଉଥିବା ବେଳେ ହଠାତ୍ ୨ ଜଣ ଯୁବକ ମୋଟର ସାଇକେଲରେ ଆସି ତାଙ୍କୁ ଲୁହା ରଡରେ ପିଟି ପିଟି ଦରମରା କରିଦେଇଥିଲେ । ତାଙ୍କୁ ଆଇଜିଏଚ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଖବର ସେହି ଅଂଚଳର ବ୍ୟବସାୟୀ ମାନଙ୍କୁ ଆତଙ୍କିତ କରିବା ସହ ଭୟଭିତ କରିଛି । ଫଳରେ କ୍ରମଶଃ ପୁଲିସ ଉପରେ ଲୋକଙ୍କ ଭରସା ତୁଟିବାକୁ ବସିଲାଣି । ଏହି ଘଟଣା ପଛରେ ଏକ ଯାଗା ଜମି କିଣା ବିକା ଓ ସେ ଯାଗାକୁ ଖାଲି କରାନଜିବା ଭଳି ମାମଲା ରହିଥିବା ବେଳେ ଜଣେ ବିଲ୍ଡର ମଧ୍ୟ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ସାଧାରଣରେ ଆଲୋଚନା ଚାଲିଛି । ରାଉରକେଲା ସହରରେ ଏହି ଭଳି ଅନେକ ହତ୍ୟା କାଣ୍ଡ ଘଟି ଚାଲିଛି । ଟାଙ୍ଗରପାଲ୍ଲୀ ଅଂଚଳରେ ବିନୋଦ କୈବର୍ତ ହତ୍ୟାକାଣ୍ଡ, ବନ୍ଧମୁଣ୍ଡା ଅଂଚଳରେ ଜିତେନ୍ଦ୍ର ନାମକ ବ୍ୟକ୍ତିର ହତ୍ୟା, ସୁନା ବେପାରୀ ନିର୍ମଲା ସୋନୀ ଓ ଏସଟିଆଇ ପୋଲ ଉପରେ ଜଣେ ସୁନା ଦୋକାନୀଙ୍କ ସମ୍ପର୍କୀୟଙ୍କୁ ଗୁଳିକରି ହତ୍ୟା ପରେ ପୁଣି ଗତକାଲି ଜଣେ ହୋଟେଲ ମାଲିକଙ୍କୁ ହତ୍ୟା କରାଜିବା ଘଟଣା ରାଉରକେଲା ପୁଲିସ ଓ ୫-ଟିରେ ପୁଲିସିର ଭୂମିକାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ ।
ସବୁଠୁ ବଡ କଥା ହେଲା, ଏହି ସବୁ ହତ୍ୟା ମାମଲାରେ ଏଯାଏ କାହାରିକୁ ଗିରଫ ମଧ୍ୟ କରାଯାଇନାହିଁ । ସହରରେ ବିଲ୍ଡର, ବେପାରୀ ମାନେ ପେସାଦାର ହତ୍ୟାକାରୀ ମାନଙ୍କୁ ବ୍ୟବହାର କରି ଏହିଭଳି ନୀରିହ ଜୀବନ ନେଇଚାଲିଛନ୍ତି । କିନ୍ତୁ, ପୁଲିସ ବ୍ୟବସ୍ଥା ପୁରା ଚୁପ୍ । ସହରରେ ଥାନା ଗୁଡିକ ସହ ବିଭିନ୍ନ ଅଂଚଳ ଦାୟିତ୍ୱରେ ବହୁ ପାରିବା ପଣିଆ ଥିବା ଅଫିସରଙ୍କୁ ରଖାଯାଇଛି । ସେଥିରେ ବହୁ ପୁରସ୍କାର ପ୍ରାପ୍ତ ବାବୁ ମାନେ ମଧ୍ୟ ସ୍ଥାନ ପାଇଛନ୍ତି । ହେଲେ ଅପରାଧ ରୋକିବା ଓ ଅପରାଧୀ ମାନଙ୍କୁ ଧରିବା କ୍ଷେତ୍ରରେ ଏମାନେ ଫେଲ୍ ମାରୁଛନ୍ତି କାହିଁକି ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ଅନ୍ୟପକ୍ଷରେ ହତ୍ୟାକାଣ୍ଡ ପାଇଁ ପୋଲିସର ଢ଼ିଲା ପାଟ୍ରୋଲିଂ ବ୍ୟବସ୍ଥାକୁ ଦାୟୀ କରିଛନ୍ତି ଲୋକେ । ରାଜ୍ୟ ଗୃହ ବିଭାଗ ମୁଖ୍ୟ ଏ ଦିଗରେ ପଦକ୍ଷେପ ନେବା ଲାଗି ଦାବି ହେଉଛି ।