-
ଦଳୀୟ କାର୍ଯ୍ୟକ୍ରମର ସମସ୍ତ ଖର୍ଚ୍ଚ ବିଜେଡି ଦଳ ବହନ କରୁ
ଅପରପକ୍ଷରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା, ଚାଷୀଙ୍କ ବିରୋଧରେ ଦାଖଲ ହୋଇଥିବା ମୁକଦମା ପ୍ରତ୍ୟାହାର ହେଉ ଏବଂ ଦଳୀୟ କାର୍ଯ୍ୟକ୍ରମର ସମସ୍ତ ଖର୍ଚ୍ଚ ବିଜେଡି ଦଳ ବହନ କରୁ ବୋଲି ଶ୍ରୀ ମାଝୀ ଦାବି କରିଛନ୍ତି । ଏଥିସହ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ୨୪ ଘଂଟାରେ ଧାନ ଉଠିବା ପ୍ରତିଶୃତି ଦେଇଥିଲେ ମଧ୍ୟ କାହିଁକି ଧାନ ଉଠି ନାହିଁ ତାର ଜବାବ ଦିଆଯାଉ ଓ ମୁଖ୍ୟମନ୍ତ୍ରୀ ଲିଖିତ ପ୍ରତିଶୃତି ଦିଅନ୍ତୁ ଧାନ କେବେ ଉଠିବ , ଦଲାଲ ଓ ମିଲରଙ୍କୁ ଗିରଫ କରି ଖିଲାପି ମିଲରଙ୍କ ମିଲକୁ ବ୍ଲାକଲିଷ୍ଟ କରାଯାଉ , କିଣା ସରିଥିବା ଧାନର ଟଙ୍କା ତୁରନ୍ତ ପଇଠ କରାଯାଉ, ସମସ୍ତ ମଣ୍ଡିରେ ଆଗାମୀ ବର୍ଷକ ମଧ୍ୟରେ ନିର୍ଧାରିତ ସମସ୍ତ ସୁବିଧା ଯୋଗାଇ ଦିଆଯାଉ ଏବଂ କିଣାବିକାର ଅନିୟମିତତା ଦୂର କରାଯାଉ ବୋଲି ସେ ଦାବି କରିଛନ୍ତି ।
ସୋମବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ନଭେମ୍ବରରୁ ଧାନ ଅମଳ ହୋଇଥିଲେ ମଧ୍ୟ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଧାନ ବିକିବା ପାଇଁ ଟୋକନ ଦିଆଯାଇଥିଲା । କିଛି ଅସାଧୁ ଦଲାଲ ଓ ମିଲ ମାଲିକ ଫର୍ଜି କାଗଜ-ପତ୍ର କରି ନିଜକୁ ଭାଗ ଚାଷୀ ଦେଖାଇ ମଣ୍ଡିକୁ ଧାନ ଆଣିଲେ । ସରକାର ସ୍ୱଚ୍ଛଳତା ପାଇଁ ଟୋକନ ବ୍ୟବସ୍ଥା କରିଥିବା କହୁଥିଲେ ମଧ୍ୟ, ଏପରି ଦଲାଲ ଓ ମିଲ ମାଲିକଙ୍କର ଟୋକନ କିପରି ପ୍ରଥମେ ଆସିଲା? କେନ୍ଦ୍ରରୁ ଧାନ କିଣା ବାବଦରେ, ରାଜ୍ୟ ସରକାର ବର୍ଷକୁ ପ୍ରାୟ ୫୦୦ କୋଟି ଟଙ୍କା ପାଉଥିଲେ ମଧ୍ୟ ମଣ୍ଡି ଓ ଧାନ କିଣାବିକା ସୁବ୍ୟବସ୍ଥିତ ହୋଇ ପାରିନାହିଁ । ବହୁପରିମାଣର ଧାନ କଟନିଛଟନି ହେଉଛି ।
ଫେବୃଆରୀ ୨ ତାରିଖରେ ଦିନ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଂଜୟ ଦାସବର୍ମା ନବରଙ୍ଗପୁରର ଆରଏମସି ପ୍ରାଙ୍ଗଣରେ ଏକ ନବ ନିର୍ମିତ “କୃଷକ ସୂଚନା କେନ୍ଦ୍ର”ର ଉଦ୍ଘାଟନ କାର୍ଯ୍ୟକ୍ରମରେ ଆସି ଚାଷୀଙ୍କ ଅଭିଯୋଗ ନଶୁଣି କେବଳ ୨୪ ଘଂଟାରେ ଧାନ ଉଠିଯିବ କହି ଚାଲିଗଲେ । ଏହି ଘଟଣାକୁ ନେଇ ଶ୍ରୀ ଗୌରୀଶଙ୍କର ମାଝୀ ନବରଙ୍ଗପୁର ଥାନରେ ଅନୁସୂଚୀତ ଜନଜାତି ଉତ୍ପୀଡନ ନିରୋଧକ ଅଧିନିୟମ, ମହିଳାଙ୍କ ପ୍ରତି ଅସଦାଚରଣ, ଠେଲା ପେଲା, ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ଓ ସରକାରୀ ଅର୍ଥ ଓ କଳକୁ ବିଜେଡିର ପ୍ରଚାର ପ୍ରସାର ପାଇଁ ଅପବ୍ୟବହାର କରିବା ଆଦି ଧାରାରେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏକ ମାମଲା ରୁଜୁୁ କରିବା ପାଇଁ ସ୍ଥାନୀୟ ପୋଲିସ ଥାନାରେ ଆବେଦନ କରିଥିଲେ ସୁଦ୍ଧା କେସ ଦାୟର ହୋଇ ନାହଁ । ଅନ୍ୟପଟେ ଚାଷୀମାନଙ୍କ ନାଁରେ ଏକ କେସ ଆରଏମସି ଦ୍ୱାରା ଦାୟର ହୋଇଥିବା ଓ ପଂଜିକୃତ ହୋଇଥିବା ଗଣମାଧ୍ୟମରୁ ଶୁଣିବାକୁ ପାଉଛୁ ବୋଲି ଶ୍ରୀ ମାଝୀ କହିଛନ୍ତି ।
ଗତ ଫେବୃଆରୀ ୨ ତାରିଖରେ ଶ୍ରୀ ସଂଜୟ ଦାସବର୍ମା ଓ ଶ୍ରୀ ପ୍ରଣବ ପ୍ରକାସ ଦାସ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ଯୋଗେ ରାଇଘର ଆସିଥିଲେ । ଗସ୍ତକୁ ସରକାରୀ ରୂପ ଦେବା ପାଇଁ ରାଇଘରଠାରେ ଏକ ପ୍ରସୃତି ଗୃହର ଭିତିପ୍ରସ୍ଥର ସ୍ଥାପନର ଭୂମିପୂଜା ରଖା ଯାଇଥିଲା । ଯଦିଓ ଏହି ଗୃହଟି କେନ୍ଦ୍ରର ଜାତୀୟ ସ୍ୱାସ୍ଥ୍ୟ ମିସନ ଟଙ୍କାରେ ହେବାକୁ ଯାଉଛି, ସ୍ଥାନୀୟ ବିଧାୟକ, ବ୍ଲକ ଅଧକ୍ଷ କିମ୍ବା ସରପଂଚ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରୀତ ନଥିଲେ । ୨ ଫେବୃଆରୀ ଦିନ, ସ୍ଥାନୀୟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଭୁବନେଶ୍ୱରରେ ଥିଲେ ମଧ୍ୟ ତାଙ୍କୁ ହେଲିକପ୍ଟରରେ ନ ନେଇ ଯାଜପୁରର ବିଧାୟକଙ୍କୁ ନିଆଗଲା । ୨୩ ଲକ୍ଷ ଟଙ୍କାରେ ନିର୍ମିତ ହେବାକୁ ଥିବା ଏହି ଗୃହ ପାଇଁ ରାଜକୋଷରୁ ହେଲିକପ୍ଟର ବାବଦରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା କେତେଦୂର ପ୍ରଜୁଜ୍ୟ? ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି ।