ବଲାଙ୍ଗିର,ଭୋଜିକୁ ଯାଇ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଆଜି ସକାଳେ ଠାବ କରାଯାଇଛି । ମୃତକଙ୍କ ନାମ ଗଣ୍ଡପତି ବଚ୍ଛା । ତାଙ୍କ ଘର ଭାଲୁମୁଣ୍ଡା ପଚାଂୟତ ଅନ୍ତର୍ଗତ ଗଞ୍ଜାବାହାଲ ଗ୍ରାମରେ । ଭାଲୁମୁଣ୍ଡା-ବେଲପଡ଼ା ରାସ୍ତାରେ ଏକ ଗଛ ନିକଟରେ ତାଙ୍କ ମୃତଦେହ ଠାବ କରାଯାଇଛି ।
ସୂଚନା ଅନୁଯାୟୀ, ଗଣ୍ଡପତି ଭାଲୁମୁଣ୍ଡା ଗ୍ରାମରେ ଲୁଗା କାମ କରନ୍ତି । ଭୋଜି ଅଛି ବୋଲି କହି ସେ ଗତକାଲି ରାତିରେ ଘରୁ ବାହାରି ଯାଇଥିଲେ । ଏହାପରେ ସେ ଆଉ ଫେରିନଥିଲେ । ଖବର ପାଇ ଆଜି ସକାଳେ ବଙ୍ଗୋମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଉଦ୍ଧାର କରିଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିବା ଏବଂ ସେ ବ୍ୟବହାର କରୁଥିବା ବାଇକ୍ ଟି ଘଟଣାସ୍ଥଳ ଠାରୁ ପ୍ରାୟ ୫୦ ମିଟର ଦୂରରେ ପଡିଥିବା ଦେଖିବାକୁ ମିଳିଛି । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବଙ୍ଗୋମୁଣ୍ଡା ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।