

କେନ୍ଦୁଝର, ୨୦୧୧ ମସିହା ଜନଗଣନା ବେଳେ କେନ୍ଦୁଝର ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୨ ଜଣ ଅଧିକାରୀ / କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ଫେବୃଆରୀ ୨ ତାରିଖ ମଙ୍ଗଳବାର ଦିନ ଦରବାର ହଲ୍ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲାପାଳ ଆଶିଷ ଠାକରେ ଉପରୋକ୍ତ କୃତୀ ଅଧିକାରୀ /କର୍ମଚାରୀଙ୍କୁ ମାନ୍ୟବର ରାଷ୍ଟ୍ରପତିଙ୍କ ପ୍ରଦତ ମେଡାଲ୍ ଓ ମାନପତ୍ର ପ୍ରଦାନ କରି ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସମାରୋହରେ ଉଦ୍ବୋଧନ ଦେଇ ଜିଲ୍ଲାପାଳ ଶ୍ରୀ ଠାକରେ କହିଥିଲେ ଯେ ଭାରତ ପରି ଏକ ବିଶାଳ ରାଷ୍ଟ୍ରରେ ଜନଗଣନା ଏକ ବୃହତର, ଜଟିଳ ଏବଂ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଏହାକୁ ଆଧାର କରି ସରକାର ଯୋଜନା ପ୍ରଣୟନ କରିବା ସହିତ ଜନମଙ୍ଗଳ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିଥାନ୍ତି । ତୃଣମୂଳ ସ୍ତରରୁ ଜନଗଣନା ସଂପର୍କିତ ତଥ୍ୟ ସଂଗ୍ରହ, ଅନୁଶୀଳନ ଓ ଲିପିବଦ୍ଧ କରିବା ପ୍ରକ୍ରିୟା ବାସ୍ତବିକ୍ ଏକ ଜଟିଳ ପ୍ରକ୍ରିୟା । ନିଷ୍ଠାର ସହିତ ଯେଉଁ ଏନ୍ୟୁମେରେଟର, ସୁପରଭାଇଜର, ସବ୍ଚାର୍ଜ ଅଫିସର, ଚାର୍ଜ ସେନସସ୍ ଅଫିସର, ଡିଷ୍ଟ୍ରିକ୍ଟ୍ ସେନ୍ସସ୍ ଅଫିସର ଏବଂ ପ୍ରିନିସିପାଲ୍ ସେନ୍ସନ୍ ଅଫିସର ତଥ୍ୟ ଉପରେ ଆଧାରିତ ଜନଗଣନା ରେଜିଷ୍ଟର ପ୍ରସ୍ତୁତିରେ ଉଲ୍ଲେଖନୀୟ କାର୍ଯ୍ୟ କରି ଜାତୀୟ କର୍ତବ୍ୟ ସଂପାଦନ କରିଛନ୍ତି, ସେମାନେ ଧନ୍ୟବାଦର ପାତ୍ର ବୋଲି କହିଥିଲେ । ଏହି ଅବସରରେ ୨୦୧୧ ଜନଗଣନା କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ଅଧିକାରୀ / କର୍ମଚାରୀମାନଙ୍କୁ ସାଧୁବାଦ୍ ଜଣାଇଥିଲେ । ସେମାନଙ୍କ ଅଭିଜ୍ଞତାକୁ ଆଧାର କରି ୨୦୨୧ ଜନଗଣନା କାର୍ଯ୍ୟକ୍ରମ ସଠିକ୍ ଓ ନିର୍ଭୁଲ୍ ଢଙ୍ଗରେ କ୍ରିୟାଶୀଳ ହେବ ବୋଲି ଆଶାପୋଷଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ନାୟକ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝୀ ଏହି ସମାରୋହରେ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ ତଥ୍ୟ ଓ ସତ୍ୟ ଉପରେ ଆଧାରିତ ନିର୍ଭୁଲ ଜନଗଣନାରେ ନିୟୋଜିତ ଅଧିକାରୀ/କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିକାଶ ଓ ଯୋଜନା ପ୍ରଣୟନ ପାଇଁ ସମଗ୍ର ଦେଶରେ ଜନଗଣନା ଏବଂ ମହତ୍ୱପୂର୍ଣ୍ଣ କାର୍ଯ୍ୟ । ୧୮୭୧ ମସିହାରୁ ଆମ ଦେଶରେ ପ୍ରତି ଦଶ ବର୍ଷରେ ଥରେ ଜନଗଣନା କାର୍ଯ୍ୟ ହୋଇ ଆସୁଅଛି । ଜନଗଣନା ହେଉଛି ଗ୍ରାମ, ସହର ଏବଂ ୱାର୍ଡସ୍ତରର ପ୍ରାଥମିକ ତଥ୍ୟ ପାଇଁ ସର୍ବବୃହତ ଉତ୍ସ । ୨୦୧୧ ଜନଗଣନା ପ୍ରକ୍ରିୟାକୁ ସଫଳ କରାଇବାରେ ଭୂମିକା ନିଭାଇଥିବା ଅଧିକାରୀ /କର୍ମଚାରୀଙ୍କୁ ଧନ୍ୟବାଦ୍ ଜଣାଇବା ସହ ୨୦୨୧ ଜନଗଣନା କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ । ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ତଥା କେନ୍ଦୁଝର ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ଭାଗବତ ମାଝୀ ବକ୍ତବ୍ୟ ପ୍ରଦାନ କରି ୨୦୧୧ ମସିହା ଜନଗଣନା ପ୍ରକ୍ରିୟାକୁ କିପରି ଶୃଙ୍ଖଳିତ ଭାବେ ଗତିଶୀଳ କରାଯାଇଥିଲା ସେ ସଂପର୍କରେ ନିଜସ୍ୱ ଅନୁଭୂତି ଉପରେ ଆଲୋକପାତ କରିଥିଲେ । ଜନଗଣନା ନିର୍ଦ୍ଦେଶାଳୟର ପଦସ୍ଥ ଅଧିକାରୀ ହୃଷିକେଶ ଦେହୁରୀ ଉପସ୍ଥିତ ଥିଲେ । ତତ୍କାଳୀନ ସାହାରପଡା ତହସଲ୍ଦାର ତଥା ବର୍ତମାନର କରଞ୍ଜିଆ ଉପଜିଲ୍ଳାପାଳ ଦୁଃଖବନ୍ଧୁ ନାୟକ, ତତ୍କାଳୀନ ଘଟଗାଁ ତହସିଲ୍ଦାର ତଥା ବର୍ତମାନର ଆନନ୍ଦପୁର ବ୍ୟାରେଜ୍ ଡିଭିଜନ୍ର ସ୍ୱତନ୍ତ୍ର ଭୂଅର୍ଜନ ଅଧକାରୀ ଡି.ବି.ଏମ୍.ଏମ୍.ପାତ୍ର, ତତ୍କାଳୀନ ଆନନ୍ଦପୁର ବିଡିଓ ତଥା ବର୍ତମାନର ଓଡିଶା ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିକାଶ ଅତିରିକ୍ତ ଶାସନ ସଚିବ ଗଙ୍ଗାଧର ନାୟକ ସମେତ ଜିଲ୍ଲାର ବିଭିନ୍ନ ଉପଖଣ୍ଡର ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସୁପରଭାଇଜର ଓ ଏନ୍ୟୁମେରେଟରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତତ୍କାଳୀନ ଜିଲ୍ଲାପାଳ ତଥା ପ୍ରିନ୍ସପାଲ୍ ସେନ୍ସସ୍ ଅଫିସର ଶ୍ରୀମତୀ ଦେବଯାନୀ ଚକ୍ରବର୍ତୀ ଅଧୁନା ନୂଆଦିଲ୍ଲୀଠାରେ ରେସିଡେଷ୍ଟ୍ କମିଶନର ଭାବେ କାର୍ଯ୍ୟ କରୁଥିବାରୁ ପଦକ ଓ ମାନପତ୍ର ତାଙ୍କ ନିକଟକୁ ପଠାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଡେପୁଟି କଲେକ୍ଟର ଶିବବ୍ରତ ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିବା ସହିତ ୨୦୨୧ ଜନଗଣନା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଆସିଷ୍ଟାଂଟ୍ କଲେକ୍ଟର ଶୁଚିସ୍ମିତା ଦାଶ୍, ସେକ୍ସନ୍ ଅଫିସର କାମିନୀକାନ୍ତ ମହାନ୍ତ, କନିଷ୍ଠ ରାଜସ୍ୱ ସହାୟକ ମିତାଲୀ ମଧୁସ୍ମିତା ମହାପାତ୍ର ଏବଂ ଡାଟା ଏଂଟ୍ରି ଅପରେଟର ଜ୍ୟୋତିଭୂଷଣ ମହାନ୍ତି ପ୍ରମୁଖ ସମାରୋହର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ।