ପାର୍ଟିର ରାଜ୍ୟ ସଭାପତି ରବି ବେହେରା ନିଜର ବଜେଟ୍ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ପେଟ୍ରୋଲ୍ ଉପରେ ଅତିରିକ୍ତ ସେସ୍ ବସିବା ଫଳରେ ଏହାର ଦାମ୍ ଆହୁରି ଆକାଶଛୁଆଁ ହେବ । ଯାହାର ପ୍ରରୋକ୍ଷ ପ୍ରଭାବ ବଜାର ଦର ଉପରେ ପଡ଼ିବ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆହୁରି ମହଙ୍ଗା ହେବ । ଏହା ଫଳରେ ବଜେଟ୍ରେ ନିଅଂଟ ପରିମାଣ ବଢିବ, ଯାହାକି ମୁଦ୍ରାସ୍ପିତି ଯାହା ବଜେଟ୍ରେ ୬.୮ ଅଛି, ତାହା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେବ । ସେହିଭଳି ସରକାର କେନ୍ଦ୍ର ସରକାର ନିର୍ବାଚନ ହେବାକୁ ଥିବା ରାଜ୍ୟ ତାମିଲ୍ନାଡୁ, ପଶ୍ଚିମବଙ୍ଗ, କେରଳ ଓ ଆସାମକୁ ସ୍ୱତନ୍ତ୍ର ପ୍ୟାକେଜ୍ ବଜେଟ୍ରେ ଘୋଷଣା କରିଥିବା ବେଳେ ଓଡ଼ିଶାର ଦୀର୍ଘ ଦିନର ଦାବି ‘ଫୋକସ୍ ଷ୍ଟେଟ୍ ଷ୍ଟାଟସ୍’କୁ ଅଣଦେଖା କରିଚାଲିଛନ୍ତି । ପୂର୍ବତଟ କରିଡର ଯାହା ଖଡ଼ଗପୁର-ବିଜୟୱାଡା ପର୍ଯ୍ୟନ୍ତ ଯିବ ତାହା ଦ୍ୱାରା ଓଡ଼ିଶା ନାମକୁ ମାତ୍ର ଉପକୃତ ହେବ ଏବଂ ପାରାଦ୍ୱୀପରେ ଏକ ମାଛଧରା ବନ୍ଦର ହେଲେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର ଫୋକସ୍ ଦିଆଯାଥିଲାବେଳେ ଓଡ଼ିଶାରେ ଦ୍ୱିତୀୟ ଏ.ଆଇ.ଆଇ.ଏମ୍.ଏସ୍. ପ୍ରତିଷ୍ଠା ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିଚାଲିଛନ୍ତି । ନିଯୁକ୍ତି ପାଇଁ ଏହି ବଜେଟ୍ରେ ସେଭଳି କିଛି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇନାହିଁ । ଫଳରେ ବେକାରୀ ସମସ୍ୟା ସମାଧାନ କ୍ଷେତ୍ରରେ ବଜେଟ୍ ବିଫଳ ହୋଇଛି । ମୋବାଇଲ୍ ଓ ଚାର୍ଜର ଉପରେ ଅତିରିକ୍ତ ଶୁଳ୍କ ବସିଥିବାରୁ ଏହା ‘ଡିଜିଟାଲ୍ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ବ୍ୟାହତ କରିବ । ଚାଷୀଙ୍କର ଆୟକୁ ଦେଢଗୁଣା କରିବାର ଫମ୍ପା ପ୍ରତିଶ୍ରୁତିଟିଏ ଏହି ବଜେଟ୍ ଜରିଆରେ ରଖିବାର ଯେଉଁ ଉଦ୍ୟମ କରିଛନ୍ତି, ତାହା କେବେହେଲେ ଚାଷୀମାନଙ୍କର ସମୃଦ୍ଧିିରେ ସହାୟକ ହେବନାହିଁ ବୋଲି ମତ ପ୍ରକାଶ କରିଛନ୍ତି ।
ସର୍ବୋପରି ଦେଖିବାକୁ ଗଲେ ଭାରତ ବର୍ଷକୁ ବିକ୍ରି କରିବା ପାଇଁ ଏହି ବଜେଟ୍ ଦ୍ୱାର ଉନ୍ମୁକ୍ତ କରିଛି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଏହି ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।