ଭୁବନେଶ୍ୱର,ପୂର୍ବରୁ କରା ଯାଇଥିବା ଘୋଷଣା ଅନୁସାରେ ବୁଧବାର ଦିନ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଲାଗି ସହାୟକ ପୁସ୍ତିକା ‘ପରୀକ୍ଷା ଦର୍ପଣ’ ଉନ୍ମୋଚିତ ହୋଇଯାଇଛି । ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ଅନୁଷ୍ଠାନ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହାର ଉନ୍ମୋଚନ କରିଛନ୍ତି ।
କରୋନା ଦ୍ୱାରା ଚଳିତ ଶିକ୍ଷା ବର୍ଷ ପ୍ରଭାବିତ ହୋଇଥିବାରୁ ଏହି ୭ ଶହ ପୃଷ୍ଠା ସମ୍ବଳିତ ଏହି ପୁସ୍ତିକାଟି ଛାତ୍ରଛାତ୍ରୀ ଙ୍କୁ ପରୀକ୍ଷା ଦେବାରେ ସହାୟକ ହେବ । ମାଟ୍ରିକ ପରୀକ୍ଷା ନେଇ ପିଲାଙ୍କ ମନରେ ଥିବା ବିଭିନ୍ନ ଶଙ୍କାକୁ ଦୂୁର କରିବା ଲାଗି ବିଭାଗ ମାଗଣାରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ପୁସ୍ତିକାକୁ ବାଂଟିବ ବୋଲି ଜଣା ପଡିଛି ।
ଉଲ୍ଲେଖନୀୟ ଯେ ରାଜ୍ୟ ସରକାରଙ୍କ ନିଷ୍ପତିକ୍ରମେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମାଗଣା ‘ପରୀକ୍ଷା ଦର୍ପଣ’ ପୁସ୍ତିକା ଦେବାକୁ ପୂର୍ବରୁ ଘୋଷଣା କରାଯାଇଥିଲା । ଏହାଦ୍ୱାରା ରାଜ୍ୟର ସମସ୍ତ ଦଶମ ଶ୍ରେଣୀର ମୋଟ ୬ ଲକ୍ଷ ରୁ ଉର୍ଧ ଛାତ୍ରଛାତ୍ରୀ ଉପକୃତ ହେବେ । ଜିଲ୍ଲା ଶିକ୍ଷା ଅଧିକାରୀମାନେ ବଂଟନ କାର୍ଯ୍ୟର ଦାୟିତ୍ୱ ନେବେ ।
ମିଳିଥିବା ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଆଜି ରାଜ୍ୟର ଉପାନ୍ତ ଜିଲ୍ଲା ନୂଆପଡ଼ା, ମାଲକାନାଗିରି, ନବରଙ୍ଗପୁର ଓ କୋରାପୁଟକୁ ମୋଟ ୫୦ ହଜାର ପୁସ୍ତକ ପଠାଯାଇଛି । ଏହି ସମସ୍ତ ପୁସ୍ତକ ପର୍ଯ୍ୟାୟକ୍ରମେ ଫେବ୍ରୁଆରି ୧୨ ତାରିଖ ମଧ୍ୟରେ ସମସ୍ତ ଜିଲ୍ଲାକୁ ପ୍ରେରଣ କରାଯିବାର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀମାନେ ଫେବ୍ରୁଆରି ୧୫ତାରିଖ ମଧ୍ୟରେ ସମସ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଏହା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି ।