
ଭୁବନେଶ୍ୱର -ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ପବିତ୍ର ସାଧାରଣତନ୍ତ୍ର ଦିବସ କଂଗ୍ରେସ ଭବନ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ପତାକା ଉତୋଳନ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ, ମହାମନିଷୀ ମାନେ ଓ ସ୍ୱାଧୀନତା ସଂଗ୍ରାମୀମାନେ ସେମାନଙ୍କର ପ୍ରାଣବଳି ଦେଇ ଦେଶକୁ ସ୍ୱାଧୀନତା ଆଣିଦେଇଥିଲେ । କିନ୍ତୁ ସେମାନେ ଦେଖିଥିବା ସ୍ୱପ୍ନ ଆଜି ସଂପୂର୍ଣ୍ଣଭାବେ ସାକାର ହୋଇପାରି ନାହିଁ । ଯେଉଁ ଲକ୍ଷ୍ୟ ନେଇ ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ କରାଯାଇଥିଲା ଆଜି ସେହି ଗଣତନ୍ତ୍ରର କଣ୍ଠରୋଧ କରାଯାଉଛି । ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଆଜି ସମସ୍ତେ ଆଗେଇ ଆସିବାକୁ ଶ୍ରୀ ପଟ୍ଟନାୟ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସେବାଦଳ ପକ୍ଷରୁ ଜ୍ୟୋତିଷ ସାହୁ ଓ ଏମ୍.ଡି. ଶାହାଦୁଲ୍ଲା ପରିଚାଳନା କରିଥିଲେ ।ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓଡିଶାରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରି ପଦ୍ମବିଭୂଷଣ ଓ ପଦ୍ମଶ୍ରୀ ସମ୍ମାନ ପାଇବାକୁ ବିବେଚିତ ହୋଇଥିବା ସର୍ବଶ୍ରୀ ସୁଦର୍ଶନ ସାହୁ, ରଜତ କୁମାର କର, କ୍ରିଷ୍ଣ ମୋହନ ପାଠୀ, ଶାନ୍ତି ଦେବୀ, ପୂର୍ଣ୍ଣବାସୀ ଜାନୀ ଓ ନନ୍ଦକିଶୋର ପୃଷ୍ଟିଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉତରୋତର କାମନା କରିଛନ୍ତି । ସେହିଭଳି ରାଜ୍ୟ ପୋଲିସ ବିଭାଗରେ ନିଷ୍ଠାର ସହ କାର୍ଯ୍ୟ କରି ରାଜ୍ୟପାଳ ପଦକ ପାଇଥିବା ୨୦ ଜଣ ପୋଲିସ ଅଧିକାରୀଙ୍କୁ ମଧ୍ୟ ଶ୍ରୀ ପଟ୍ଟନାୟକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।