
ଗଞ୍ଜାମ– ଝିଆରୀର ତଂଟି କାଟି ହତ୍ୟା ଉଦ୍ୟମ କରିଛି ଦାଦା । ଘଟଣାରେ ଗୁରୁତର ଝିଆରୀଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ବୁଗୁଡ଼ା ଡ଼ାକ୍ତରଖାନା ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ବଣପଲ୍ଲୀ ଗ୍ରାମରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, ଆଜି ସକାଳେ ଝିଆରୀ ଘର ବାହାରେ ଝାଡ଼ୁ କରୁଥିବା ବେଳେ ପୂର୍ବ ଶତୃତା କାରଣରୁ ଦାଦା ଧର୍ନୁଧର ନାୟକ ଅଚାନକ ଝିଆରୀକୁ ମାଡ ମାରିବା ସହ ଏକ ଧାରୁଆ ଛୁରୀରେ ତାଙ୍କ ତଂଟି କାଟି ହତ୍ୟା ଉଦ୍ୟମ କରିଥିଲେ । ତଂଟିରେ ଗଭୀର ଆଘାତ ଲାଗିବା ଫଳରେ ନାବାଳିକା ଜଣକ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ବୁଗୁଡ଼ା ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏ ସଂକ୍ରାନ୍ତରେ ବୁଗୁଡ଼ା ପୋଲିସ ନିଜ ଆଡୁ ଏକ ମୋକଦ୍ଦମା ରୁଜ୍ଜୁ କରିଛି । ଅଭିଯୁକ୍ତ ଦାଦାକୁ ଥାନାରେ ଅଟକ ରଖି ଏନେଇ ଅଧିକ ପଚରା ଉଚୁରା ଜାରୀ ରଖିଛି ।