-
ଦୁର୍ଘଟଣା ରୋକିବା ସମସ୍ତଙ୍କର କାମ୍ୟ ହେଉ : କ୍ରୀଡ଼ା ମନ୍ତ୍ରୀ
ଏହି କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଲୋକମାନଙ୍କ ସଚେତନତା ଅଭାବ ଓ କିଛି ଲୋକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ପ୍ରତ୍ୟେକ ଦିନ ଦୁର୍ଘଟଣାମାନ ଘଟିଚାଲିଛି । ଏହାକୁ ରୋକିବା ଆମ ସମସ୍ତଙ୍କର ଆଜିର ଦିନର ବାର୍ତା ହେଉ ବୋଲି ସେ କହିଥିଲେ । ଏଥିରେ ଅନ୍ୟତମ ଅତିଥି ଭାବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବରିଷ୍ଠ ଆଇପିଏସ୍ ଅଫିସର ତଥା ଓଏସ୍ଆରଟିସିର ସିଏମ୍ଡ଼ି ଅରୁଣ ବୋଥ୍ରା, ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର ପ୍ରମୁଖ ଯୋଗଦେଇ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ ହେଲମେଟ ପିନ୍ଧିବା ଓ ସିଟ୍ ବେଲ୍ଟ ବାନ୍ଧି ଗାଡ଼ି ଚଳାଇବା ନେଇ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।
ପରିବହନ କମିଶନର ତଥା ବରିଷ୍ଠ ଆଇପିଏସ୍ ଅଫିସର ଶ୍ରୀ ସଞ୍ଜୀବ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ସାଇକ୍ଲୋଥନ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଶ୍ରୀ ବେହେରା ସବୁଜ ପତାକା ଦେଖାଇ ଉଦ୍ଘାଟନ କରିବା ପରେ ସାଇକ୍ଲିଷ୍ଟମାନେ ରାଜମହଲ ଛକଠାରୁ ଆରମ୍ଭ କରି ରାମ ମନ୍ଦିର ଛକ ସହ ରାଜଧାନୀର ପ୍ରମୁଖ ଛକମାନ ପରିକ୍ରମା କରି ଓଏସ୍ଆରଟିସି ପରିସରକୁ ପ୍ରତ୍ୟାବର୍ତନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରଟିଓ-୧ ପ୍ରଦୀପ କୁମାର ମହାନ୍ତି, ଆରଟିଓ-୨ ବି.ଏନ୍. ଅଧିକାରୀ, ଡ଼େପୁଟି କମିଶନର ସଞ୍ଜୟ କୁମାର ବିଶ୍ୱାଳ, ଟ୍ରାଫିକ ପୋଲିସ୍ ଅଧିକାରୀଙ୍କ ସମେତ ୫୦୦ରୁ ଉର୍ଦ୍ଧ୍ୱ ସାଇକ୍ଲିଷ୍ଟ ଭାଗ ନେଇଥିଲେ ।
………….