
ମାଲକାନଗିରି– ବୃଦ୍ଧାବସ୍ଥା ଉପନୀତ ହେବାରୁ ଶରୀର ଧୀରେ ଧୀରେ କ୍ଷୀଣ ହେବାକୁ ଲାଗିଲା, ଗତ ମାସରେ ରୋଗାଗ୍ରସ୍ଥ ହୋଇ ବିଛଣାରେ ପଡ଼ିବା ପରେ ଆଉ ଉଠିବାକୁ ବଳ ପାଉନି। ଶରୀର ଉଠିବାକୁ ଅକ୍ଷମ ହେଉଥିବା ବେଳେ ଖାଦ୍ୟପେୟ ବିନା ଏକାକୀ ବିଛଣାରେ ପଡିରହି ଯେପରି ମୃତ୍ୟୁ କୁ ଅପେକ୍ଷା କରି ତାଚ୍ଛଲ୍ୟ କରୁଛନ୍ତି ସମାଜର ମାନବିକତା ବିହୀନ ମଣିଷ ଓ ବିସ୍ତୃତ ପ୍ରଶାସନିକ ସେବାକୁ ଯାହା ଜୀବନ ର ଶେଷ ସମୟ ମଧ୍ୟରେ ବି ସମୁର୍ଣ୍ଣ ପହଂଚି ପାରିଲା ନାହିଁ ତାଙ୍କ ପାଖକୁ । ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ମାଲକାଗି ରି ଜିଲ୍ଲା ପଡିଆ ବ୍ଳକ ସଦର ମହକୁମା ସ୍ଥିତ କୁମ୍ଭାର ସାହି ର ଘାସିରାମ ପାଙ୍ଗୀ ଙ୍କ ଠାରେ। ଗତ ପ୍ରାୟ ଏକ ମାସ ତଳେ ରୋଗଗ୍ରସ୍ତ ହେବାରୁ ନିଜର ଭଙ୍ଗା ଦଦରା କୁଡ଼ିଆରେ ଏକ ବିଛଣାରେ ପଡି ରହିଥିବା ବେଳେ ଆହା ଟିକେ କରିବାକୁ କୌଣଷି ଲୋକ କିମ୍ବା ସରକାରୀ କର୍ମଚାରୀଙ୍କ ପାଦ ଟିକେ ପଡି ନାହି ତାଙ୍କ ଘରେ। ଗତ ଏକ ମାସ ମଧ୍ୟରେ ମାତ୍ର କେଇଥର ପାଟିକୁ ଦାନା ଜୁଟିଥିବା ବେଳେ ରନ୍ଧା ଖାଦ୍ୟ ପରଷିବା ଯେପରି ଏହି ବୃଦ୍ଧାଙ୍କ ପାଇଁ ଅଭିଶାପ ପାଲଟିଥିବା ପଡ଼ୋଶୀଙ୍କ ଠାରୁ ଜଣାପଡିଛି ।ଶରୀର କ୍ଷୀଣ ହେବାରୁ କିମ୍ବା ବିଛଣାରୁ ଉଠି ନପାରିବାରୁ ରନ୍ଧା ଖାଦ୍ୟ ଟିକେ ପାଟି କୁ ନେଇ ପାରୁନାହାନ୍ତି ଘାସିରାମ। ଘାସିରାମ ପରିବାରର ଜଣେ ମାତ୍ର ସଦସ୍ୟ ହୋଇଥିବାରୁ ତାଙ୍କୁ ଡାକ୍ତରଖାନା ପର୍ଯ୍ୟନ୍ତ ନେବାପାଇଁ କେହି ନଥିବା ଜଣାପଡିଛି। ଦୀର୍ଘଦିନ ଧରି ଏଭଳି ଅବସ୍ଥାରେ ପଡ଼ି ରହିବା ଯୋଗୁଁ ଏବେ ମୁହଁ ଖୋଲି ନିଜର ଯନ୍ତ୍ରଣା ବାବଦରେ ଜଣାଇବାକୁ ଅସମର୍ଥ ହୋଇପଡିଲେଣି ଘାସିରାମ। ସାରା ଜୀବନ ପରିଶ୍ରମ କରି ପେଟକୁ ଦାନା ସହ ଦେହକୁ କପଡା ଯୋଗାଡ କରି ମାଟି କୁଡ଼ିଆରେ ଚଳିଆସୁଥିବା ଘାସିରାମ ଙ୍କ ପାଇଁ ସରକାରଙ୍କ ପକ୍ଷରୁ ବାସଗୃହ ଖଣ୍ଡେ ଯୋଗାଇ ଦିଆଯାଇଥିଲେ ମଧ୍ଯ, ଦଲାଲ୍ ଙ୍କ ହାବୁଡରେ ପଡି ତାହା ମଧ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଥିଲା। ଯାହାଫଳରେ ଜୀବନ ଅପରାହ୍ଣରେ ରୋଗାଗ୍ରସ୍ଥ ହୋଇ ନିଜର ଭଙ୍ଗା ଦଦରା କୁଡ଼ିଆରେ ବାଧ୍ୟହୋଇ ପଡ଼ିରହିଥିବା ଜଣାପଡିଛି। ପଡିଆ ବ୍ଲକ କାର୍ଯ୍ୟକାଳ ଠାରୁ ମାତ୍ର ୬ ଶହ ମିଟର ଦୂରରେ ଜଣେ ଏକାକୀ ବୃଦ୍ଧା ଅସହାୟ ଭାବରେ ପଡିରହିଥିବା ବେଳେ କୌଣଷି ହୃଦୟବାନ ବ୍ୟକ୍ତି କିମ୍ବା ସରକାରୀ କର୍ମଚାରୀଙ୍କ ଦୃଷ୍ଟିରେ ନପଡିବା ସୂଚାଇ ଦେଉଛି ଗରିବଙ୍କ ପାଇଁ କେତେ ଅସହାୟ ଏ ପ୍ରଶାସନ। ପ୍ରକାଶଥାଉକି ଘାସିରାମ ଗତ ୨୦୦୯ – ୧୦ ଆର୍ଥିକ ବର୍ଷରେ ସରକାରଙ୍କ ପକ୍ଷରୁ ଇନ୍ଦିରା ଆବାସ ଯୋଜନାରେ ଘର ଖଣ୍ଡେ ପାଇଥିଲେ ତେବେ ଘରର ଫାଉଣ୍ଡେସନ୍ ପଡ଼ିବା ପରେ ବଳକା ଅର୍ଥ କୁ ଦଲାଲ ଜଣ ଙ୍କ ଆତ୍ମସାତ କରିବାରୁ ଗତ ଦିନରେ ତାଙ୍କୁ ନିଜର ପାଇଖାନା ଘରେ ଆଶ୍ରୟ ନେବାକୁ ପଡିଥିଲା। ଏ ସମ୍ପର୍କରେ ଗତ ୨୦୧୮ ମସିହା ମାର୍ଚ୍ଚ ମାସ ରେବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ଘାସିରାମ ପାଇଁ ଏକ ଅସ୍ଥାୟୀ ଟିଣ ଛପର ଘର ନିର୍ମାଣ କରାଯିବାକୁ ସେ ସମୟର ବିଡିଓ କହିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ କେଇ ଖଣ୍ଡ ଲୁହା ପାଇପ୍ ଓ ଟିଣ ଦେଇ ଅଧାପନ୍ତରିଆ ଘର ତୁରନ୍ତ ନିର୍ମାଣ ଦିଗରେ ଦୃଷ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହାର କିଛି ଦିନ ପରେ ଝଡ଼ ବର୍ଷାରେ ଟିଣ ଛପର ଉଡ଼ିଯିବା ସହ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ପ୍ରଶାସନର ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଥିବା ସ୍ଥାନୀୟ ଲୋକ କହିଛନ୍ତି। ଅନ୍ୟପଟେ ବ୍ଳକ ସଦର ମହକୁମା ରେ ରହିଥିବା ଜଣେ ବୃଦ୍ଧାଙ୍କ ଏଭଳି ଶୋଚନୀୟ ଅବସ୍ଥା ସମ୍ପର୍କରେ କୈାଣଷି ସରକାରୀ କର୍ମଚାରୀ ଙ୍କ ଦୃଷ୍ଟି ପଡ଼ୁନଥିବା ତୃଣମୂଳ ସ୍ତରରେ ପ୍ରାଶାସନିକ ଅଧିକାରୀଙ୍କ ଉଦାସୀନତାକୁ ସୂଚାଉଥିବା ବିଭିନ୍ନ ମହଲରେ ଚର୍ଚା ହେଉଛି। ସରକାରଙ୍କ ପକ୍ଷରୁ ତୁରନ୍ତ ଘାସିରାମ କୁ ଉଦ୍ଧାର କରି ଚିକିତ୍ସା ସହ ଥଇଥାନ କରିବାକୁ ସାଧାରଣରେ ଦାବୀ ହୋଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO