
ମାଲକାନଗିରି– ଟର୍କି କୁକୁଡା ଫାର୍ମ କରି ଏକ ଦୁଃସାହସିକ ପଦକ୍ଷେପ ନେଇଛନ୍ତି ମାଲକାନଗିରି ନିକଟସ୍ଥ ଏମଭି-୭ ଗ୍ରାମର ଗୋବିନ୍ଦ ବୈରାଗୀ। ଆଉ ତାଙ୍କୁ ଏଥିରେ ସହଯୋଗ କରୁଛନ୍ତି ପରିବାରର ସମସ୍ତ ସଦସ୍ୟ । ପ୍ରାୟତଃ ବହୁ ଲୋକେ ବ୍ରଏଲର କୁକୁଡା ଫାର୍ମ, ଛେଳି ଫାର୍ମ, ଗାଈ ଫାର୍ମ ଇତ୍ୟାଦି କରି ବ୍ୟବସାୟ କରିଥାନ୍ତି। କିନ୍ତୁ ଟର୍କି କୁକୁଡା ଫାର୍ମ କରି ବ୍ୟବସାୟ କରିବା ପ୍ରାୟତଃ ଲୋକେ ଭାବି ନଥାନ୍ତି। କିନ୍ତୁ ଏଭଳି ଏକ ଦୁଃସାହସିକ ପଦକ୍ଷେପ ନେଇଛନ୍ତି ମାଲକାନଗିରି ନିକଟସ୍ଥ ତମସା ପଞ୍ଚାୟତ ଏମଭି-୭ ଗ୍ରାମର ଗୋବିନ୍ଦ ବୈରାଗୀ।ବିରଳ କୁକୁଡା ପାଳନ କରି ଚର୍ଚ୍ଚାରେ ଗୋବିନ୍ଦ କୋରୋନା ସଙ୍କଟ ସମୟରେ କାମଧନ୍ଦା, ବୃତ୍ତି ବ୍ୟବସାୟ ମଧ୍ୟ ବନ୍ଦ ରହିଛି। ଫଳରେ ଲୋକଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡିଛି। କିନ୍ତୁ ଏଭଳି ସମୟରେ ଏକ ଭିନ୍ନ ପ୍ରୟାସ କରି ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ଗୋବିନ୍ଦ ବୈରାଗୀ । କିନ୍ତୁ ଏହି ଭିନ୍ନ ପ୍ରଜାତିର କୁକୁଡ଼ା ଚାଷ କରିବାକୁ ପ୍ରଥମେ ଇଛା ପ୍ରକଟ କରିଥିଲେ ଗୋବିନ୍ଦଙ୍କ ଦୁଇ ପୁତୁରା । ଆନ୍ଧ୍ରପ୍ରଦେଶରୁ ଦୁଇଟି ଟର୍କୀ ଚିଆଁ ଆଣି ତାକୁ ପାଳି ଥିଲେ। ଦୁଇଟି ଟର୍କୀ ଚିଆଁରୁ ଆରମ୍ଭ ହୋଇଥିଲା ତାଙ୍କ ମିଶନ । ଭେଟେନାରୀ ବିଭାଗର ଅଧିକାରୀଙ୍କ ସହ ସାକ୍ଷାତ କରି ଟର୍କୀ କୁକୁଡ଼ା ଦେଇଥିବା ଅଣ୍ଡାରୁ ଛୁଆ ଜନ୍ମ କରେଇଥିଲେ। କିନ୍ତୁ ପ୍ରାୟ ୨୦ ଟି କୁକୁଡ଼ା ଛୁଆ କୌଣସି କାରଣରୁ ମରିଯିବାରୁ ପରେ ଭେଟେନାରୀ ବିଭାଗର ଡାକ୍ତର ଗୋବିନ୍ଦଙ୍କ ଘରକୁ ଆସି ଟର୍କୀ କୁକୁଡ଼ାର ଚିକିତ୍ସା କରିବା ପରେ ସେମାନଙ୍କ ବଂଶ ବୃଦ୍ଧି ହୋଇଥିଲା। ଆଉ ଏବେ ଚାଳିଶିରୁ ଉର୍ଦ୍ଧ୍ବ ଟର୍କୀ କୁକୁଡ଼ା ଅଛି ଗୋବିନ୍ଦଙ୍କ ପାଖରେ । ଗୋଟିଏ ଟର୍କୀ କୁକୁଡ଼ାର ଓଜନ ପ୍ରାୟ ୫ କିଲୋ ହୋଇଥିବା ବେଳେ ଏହାକୁ କିଲୋ ପ୍ରତି ୫ ଶହ ଟଙ୍କାରେ ବିକ୍ରି କରାଯାଉଛି । ତଥାପି ଏହାର ଚାହିଦା ବେଶ ରହିଥିବା ଦେଖିବାକୁ ମିଳିଛି। ବିଶେଷ କରି ଆନ୍ଧ୍ର, ଛତିଶଗଡ଼ ଇତ୍ୟାଦି ଜାଗାରେ ଟର୍କୀ କୁକୁଡ଼ା ଚାଷ କରି ବ୍ୟବସାୟୀ ଲାଭବାନ ହୋଇପାରିଥିବା କୁହାଯାଇଛି। ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ଏହି ବ୍ୟବସାୟକୁ ଆପଣେଇଛନ୍ତି ଗୋବିନ୍ଦ ଓ ତାଙ୍କ ପରିବାର। ଏପରିକି ଟର୍କୀ କୁକୁଡ଼ା ସହ କଡକନାଥ ଓ ଦେଶୀ କୁକୁଡ଼ା ମଧ୍ୟ ସାଥିରେ ପାଳନ କରନ୍ତି ସେମାନେ । ତେବେ ଏହାକୁ ବଢାଇବା ପାଇଁ ବହୁ କସରତ କରିବାକୁ ପଡେ ବୋଲି ଗୋବିନ୍ଦ କହିଛନ୍ତି। ସରକାରୀ ସହାୟତା ହେଲେ ଆଗକୁ ସେ ଏହି ବ୍ୟବସାୟ ସାରା ମାଲକାନଗିରି ଜିଲ୍ଲାରେ ଆରମ୍ଭ କରିବେ ବୋଲି କହିଛନ୍ତି। ଏହାସହ ଘରର ସଦସ୍ୟ ମାନେ ମିଶି ଏକ ନିଜସ୍ୱ ଅଣ୍ଡାରୁ ଛୁଆ ଜନ୍ମ କରିବା ମେସିନ ନିର୍ମାଣ କରିଛନ୍ତି। ଏମାନଙ୍କ ପାଇଁ ସ୍ୱତନ୍ତ୍ର ଘର ସହ ଖାଦ୍ୟ ପାଇଁ ମଧ୍ୟ ବହୁ ଟଙ୍କା ଖର୍ଚ୍ଚ ହେଉଛି। ଅର୍ଥ ଅଭାବ ଯୋଗୁ ଭଲ ଘର ନଥିବାରୁ ଗୋଟିଏ ଜାଗାରେ ଟର୍କୀ କୁକୁଡ଼ା , କଡକ ନାଥ କୁକୁଡ଼ା ଓ ଦେଶୀ କୁକୁଡ଼ା ଚାଷ କରୁଛନ୍ତି। କୃଷି ବିଭାଗ ଓ ପଶୁ ବିଭାଗ ତରଫରୁ କୌଣସି ସରକାରୀ ସାହାଯ୍ୟ କରାଯାଇଥିଲେ ଆଗକୁ ବ୍ୟବସାୟ ବଢିବା ସହ ସବୁ ସ୍ଥାନରେ ଏହା ଉପଲବ୍ଧ ହୋଇପାରନ୍ତା ବୋଲି ଗୋବିନ୍ଦ କହିଛନ୍ତି। ତେବେ ଟର୍କୀ କୁକୁଡ଼ା ଭଳି ଭିନ୍ନ ପ୍ରଜାତିର କୁକୁଡ଼ା ଚାଷ କରି ଗୋବିନ୍ଦ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO