ଖବରରୁ ପ୍ରକାଶ ଯେ,ଏହି ଖରିଆପଡା ବାସିଙ୍କୁ ଗତ ୧୪ ତାରିଖରେ ୪୦ ପରିବାରଙ୍କୁ ତହସିଲ ଅଫିସ ଚିଠି କରି ସେମାନଙ୍କ କାଗଜ ପତ୍ର ଦେବାକୁ କହିବା ପରେ, ସାଧାରଣରେ ଉତେଜନା ପ୍ରକାଶ ପାଇଥିଲା । ସେମାନେ ତହସିଲ ଅଫିସରେ ପହଁଚି ଏହାର ପ୍ରତିବାଦ କରିବା ସହ ସହରରେ ହଜାର ହଜାର ଏକର ସରକାରୀ ଜମି ଜବର ଦଖଲ ହୋଇଚାଲିଛି ତାକୁ ସୁରକ୍ଷା ଦିଆଯାଉନାହିଁ, ବରଂ ସରକାରୀ ପଟ୍ଟାରେ ଥିବା ଜମି ଗୁଡିକୁ ସରକାରୀ ବାବୁ ମାନେ ମନଇଚ୍ଛା ଅନ୍ୟ ଲୋକଙ୍କୁ ପଟ୍ଟା କରିଦେଉଛନ୍ତି, ଶବ ବ୍ୟବଚ୍ଛେଦ ଗୃହ ଅଂଚଳ ତାର ଜ୍ୱଳନ୍ତ ଉଦାହରଣ । ଏତିକି ବେଳେ ସେମାନଙ୍କୁ ନଦେଖି ବସ୍ତି ବାସିନ୍ଦାଙ୍କ ଉପରେ ପ୍ରଶାସନ ଦାଉ ସାଧୁଛି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଥିଲେ । ଏହା ପରେ ଏକ ମାସ ସମୟ ନେଇ କାଗଜ ପତ୍ର ଦେବାକୁ କହି ଫେରିଥିଲେ । ଆଜି ରାଉରକାଲା ଏଡିଏମ ଆବୋଲୀ ସୁନୀଲ ନର୍ଭାଣେ ଖରିଆଡା ବସ୍ତିକୁ ଅଚାନକ ଯାଇ ଲୋକଙ୍କ ସହ ଏ ସମ୍ପର୍କରେ କଥା ହୋଇଥିବା ଜଣାପଡିଛି । ଏଡିଏମଙ୍କ କହିବା କଥା ବିଶ୍ୱକପ ୨୦୨୩ ଲାଗି ସହରରେ ଅନେକ ଯାଗାର ଆବଶ୍ୟକତା ରହିଛି,ଏହି ଯାଗାକୁ ପ୍ରଶାସନ ଏଥିରେ ବ୍ୟବହାର କରିବାକୁ ଚାହୁଁଛି,ଏହା ସରକାରୀ ଖାତାରେ ସରକାରଙ୍କର ବୋଲି ଲିଖିତ ରହିଛି, ତେଣୁ ଆପଣ ମାନେ ଏ ଯାଗା ଛାଡିଦେଲେ ଆପଣ ମାନଙ୍କୁ କୋଠାଘର ଅନ୍ୟଯାଗାରେ ପ୍ରଦାନ କରାଜିବ । ତେବେ ଏଥିରେ ବସ୍ତି ବାସୀ ଆଦୌ ରାଜି ହୋଇନଥିବା ବେଳେ ଖୋଦ୍ ଏଡିଏମ ବସୁଥିବା ଅଫିସ ସେମାନଙ୍କ ଯାଗାରେ ହୋଇଛି, ଖାଲି ସେତିକି ନୁହେଁ, ସରକାରୀ ବିଦ୍ୟାଳୟ, ଏସପି ଅଫିସ, ଲେବର ଅଫିସ, କୋର୍ଟ ଆଦି ଯାଗା ସେମାନଙ୍କ ଦାଦା ପରଦାଦା ଅମଳରୁ ସରକାର ନେଇ ଅଫିସ କରିଛି । ସେମାନଙ୍କୁ ଏନେଇ ପଇସାଟିଏ କ୍ଷତିପୁରଣ ମଧ୍ୟ ପ୍ରଦାନ କରାଯାଇ ନାହିଁ, ଖରିଆ ପଡା ଯାଗା ଛାଡିବାର ପ୍ରଶ୍ନ ଉଠୁନାହିଁ, ବରଂ ଆମକୁ ସେ ସବୁ ଯାଗା ଲାଗି କ୍ଷତିପୁରଣ ପ୍ରଦାନ କରାଯାଉ ବୋଲି ବସ୍ତି ବାସୀ ଦାବି କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ହଜାର ହଜାର ଏକର ସରକାରୀ ଯାଗା ଆଜି ରାଉରକେଲା ସହରରେ ଜମି ଦଲାଲ, ଗୁଣ୍ଡା ଶ୍ରେଣୀୟ ଲୋକଙ୍କ ଅଧିନରେ ରହିଛି । ରାଉରକେଲା ମୁଖ୍ୟ ବଜାର ଠାରୁ ପାନପୋଷ ଭିତରେ ଅନେକ ହୋଟେଲ ସରକାରୀ ଯାଗାରେ ଠିଆ ହୋଇଛି । ସେଗୁଡିକ ଭିତରୁ ୨ଟିକୁ କୁଆଡେ ନିକଟରେ ପୂର୍ବତନ ବିବାଦୀୟ ତହସିଲଦାର ପଟ୍ଟା ମଧ୍ୟ ଦେଇଥିବା ଖବର ମିଳିଛି । ଏପରିକି ଲ୍ୟାଣ୍ଡ ଆଲର୍ଟମେଂଟ କମିଟିକୁ କିଛି ଲୋକଙ୍କ ଲାଗି ବାବୁ ସୁପାରିଶ କରିଥିବା ଖବର ମିଳିଛି । ପାନପୋଷ ଅଂଚଳରେ ୨୦ କୋଟି ଟଙ୍କାର ସରକାରୀ ଜମିକୁ ପଟ୍ଟା କରିଦେଇ ଚାକିରୀ ଛାଡି ଜିବା, ଗୃହସ୍ତୀ କମ୍ପାନୀ ଦିର୍ଘ ବର୍ଷ ଧରି ମାଡି ବସିଥିବା ଯାଗାକୁ ଖାଲି କରିବାକୁ ହାଇକୋର୍ଟ କହିବାପରେବି ତାହା ଖାଲି ନହେବା ଆଦି କଥା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ତହସିଲ ଅଫିସରେ ଥିବା ଜନେକା ମହିଳା କର୍ମଚାରୀ ଓ ୫ ବର୍ଷ ଧରି ଏଠାରେ ଥିବା ଜଣେ ଆରଆଇ ବାବୁ କୁଆଡେ ଏଭଳି ସରକାରୀ ଜମି ହରିଲୁଟର ମୁଖ୍ୟ ନାୟକ ନାୟୀକା ବୋଲି ଆଲୋଚନା ଚାଲିଛି । ଯଦି ଏହି ଯାଗା ସରକାରଙ୍କର ତେବେ ଘର ଓ ଅଫିସ ସମ୍ମୁଖରେ ଏତେ ବର୍ଷ ହେଲା ଏହାକୁ କାହିଁକି ଦଖଲକୁ ନିଆଗଲା ନାହିଁ ଓ ଏବେ ବିବାଦ ଭିତରେ ଘାଂଟି ହେବାକୁ କାହିଁକି କେଉଁମାନଙ୍କ ଲାଗି ହୋବକୁ ପଡୁଛି ସେ ନେଇ ଚର୍ଚ୍ଚା ଯୋର ଧରିଛି ।