
ରାଉରକେଲା– ରାଉରକେଲା ଇସ୍ପାତ କାରଖାନା (ଆରଏସପି)ରେ ଗ୍ୟାସ୍ ଲିକ୍ ଓ ୪ ଜଣଙ୍କ ମୃତ୍ୟୁ ଘଟଣାରେ କର୍ତବ୍ୟରେ ଅବହେଳା ଦର୍ଶାଇ ଗତକାଲି ଆରଏସପିର ପରିଚାଳନା କର୍ତୃପକ୍ଷ ଦୁଇ ଜଣ ଡ଼ିଜିଏମଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ବେଳେ ଆଜି ସେଫ୍ଟି ବିଭାଗର ଆସିଷ୍ଟାଂଟ ମ୍ୟାନେଜର ସ୍ମୃତିରଞ୍ଜନ ସାହୁଙ୍କୁ ନିଲମ୍ବନ କରିଛନ୍ତି । ସେ ସେହି ଅଂଚଳର ସୁରକ୍ଷା ଦାୟୀତ୍ୱରେ ଥିଲେ । ଏହି ମାମଲାର ଅଧିକ ତଦନ୍ତ ପାଇଁ ଜଣେ ଏକଜିକ୍ୟୁଟିଭ୍ ଡାଇରେକ୍ଟର, ତିନି ଜଣ ସିଜିଏମ୍ ଙ୍କୁ ନେଇ ତଦନ୍ତ ନିମନ୍ତେ ଆଉ ଏକ କମିଟି ଗଠନ କରାଯାଇଥିବା ନେଇ ଆରଏସପି ପକ୍ଷରୁ ସୂଚନା ମିଳିଛି । ସେପଟେ ରାଉରକେଲା ଇସ୍ପାତ କାରଖାନାରେ ଏହି ଘଟଣା ପରିଚାଳନା କର୍ତୃପକ୍ଷଙ୍କ ଅବହେଳା ପାଇଁ ଘଟିଲା ଓ ୪ ଜଣଙ୍କ ଜୀବନ ଗଲା ବୋଲି ରାଜ୍ୟ ସରକାରଙ୍କ ସ୍ଥାନୀୟ ଡେପୁଟି ଚିଫ୍ ଫ୍ୟାକ୍ଟ୍ରି ଇନସପେକ୍ଟରଙ୍କ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଥିପାଇଁ କାରଖାନାର ଇଡି ୱାର୍କ୍ସଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜ୍ଜୁ କରାଯିବ ବୋଲି ଡେପୁଟି ଚିଫ୍ ବିଭୁ ପ୍ରସାଦ ପ୍ରକାଶ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଘଟଣାରେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଦର୍ଶାଇ କୋଲ୍ କେମିକାଲ ଡିପାର୍ଟମେଂଟର ଡିଜିଏମ୍ ନଭେନ୍ଦୁ ଦାସ ଓ ଏନର୍ଜି ମ୍ୟାନେଜମେଂଟ ଡିଜିଏମ୍ ଗୋପବନ୍ଧୁ ବାରିକଙ୍କୁ ପୂର୍ବରୁ ନିଲମ୍ବନ କରାଯାଇଥିଲା । ଏଥିସହ ପ୍ରତି ମୃତକଙ୍କ ପରିବାରର ଜଣକୁ ଚାକିରୀ ନେଇ ନିଷ୍ପତି ହୋଇଥିବା ସମ୍ପର୍କରେ ଆରଏସପି ଲୋକ ସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀ ଅର୍ଚ୍ଚନା ଶତପଥୀ ସୂଚନା ଦେଇଥିଲେ । ସେହିପରି ମୃତକଙ୍କ ପରିବାର ପିଛା ୨ ଲକ୍ଷ ୫୦ ହଜାର ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କାମ କରାଉଥିବା ସମ୍ପୃକ୍ତ ଠିକା ସଂସ୍ଥାକୁ ଆରଏସପି ପକ୍ଷରୁ ନିର୍ଦ୍ଦେଶ ଜାରୀ ହୋଇଛି ।