ଭୁବନେଶ୍ୱର, ଡିସେମ୍ବର ୨୪, ୨୦୨୦: ଟାଟା ଷ୍ଟିଲ ଭାରତରେ ଜୈବିକ ଓ ଅଣ ଜୈବିକ ଅଭିବୃଦ୍ଧି ମାଧ୍ୟମରେ ଏକ ଉତ୍ପାଦନକାରୀ ଭାବେ ନିଜର ପଦଚିହ୍ନକୁ ସଂପ୍ରସାରିତ କରୁଥିବାବେଳେ, ପରିବେଶ ଓ ଦୀର୍ଘସ୍ଥାୟିତ୍ୱ ପ୍ରତି ମଧ୍ୟ ପ୍ରତିଶ୍ରୁତିବଦ୍ଧ ରହିଛି ।
ଗତ କିଛି ବର୍ଷ ମଧ୍ୟରେ କମ୍ପାନୀ ବିଭିନ୍ନ ପରିବେଶ ସମ୍ପର୍କିତ ମାନଦଣ୍ଡରେ ବିଶେଷ ଅଗ୍ରଗତି ହାସଲ କରିଛି । ଏହାମଧ୍ୟରେ ଶତ ପ୍ରତିଶତ କଠିନ ବର୍ଜ୍ୟର ଉପଯୋଗ, ସବୁଜ ଘର ଗ୍ୟାସ ନିର୍ଗମନ ତୀବ୍ରତା ଅଶୋଧିତ ଇସ୍ପାତ ଟନ୍ ପ୍ରତି ୨.୩୧ ଟନ୍ ଅଙ୍ଗାରକ୍ଲାମ ଏବଂ ବର୍ଜ୍ୟଜଳ ନିଷ୍କାସନ ତୀବ୍ରତା ଟନ୍ ପ୍ରତି ୦.୭୩ କ୍ୟୁବିକ ମିଟର ଅନ୍ତର୍ଭୁକ୍ତ । ଟାଟା ଷ୍ଟିଲ ୨୦୨୫ ସୁଦ୍ଧା ଅଶୋଧିତ ଇସ୍ପାତ ଟନ୍ ପ୍ରତି ୨ ଟନ୍ ଅଙ୍ଗାରକ୍ଲାମ୍ ନିର୍ଗମନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହାସହିତ ଏଲଡ଼ି ସ୍ଲାଗ୍ର ବ୍ୟବହାରକୁ ୧୦୦ ପ୍ରତିଶତ ସ୍ତରରେ ବଜାୟ ରଖାଯିବ ।
କମ୍ପାନୀ ସୁତ୍ର ଅନୁସାରେ “ ଆମେ ପ୍ରାକୃତିକ ସମ୍ବଳ ଲୌହ ପଥର, କୋଇଲା ଓ ଅନ୍ୟ ଖଣିଜ ପଦାର୍ଥ ଉପରେ ନିର୍ଭର କରିଥାଉ, ଯାହାକି ଆମର ପ୍ରମୁଖ କଞ୍ଚାମାଲ । ସେହିପରି ବ୍ୟବସାୟ ପାଇଁ ଜମି ଓ ଜଳ ଆମ ପାଇଁ ଏକାନ୍ତ ଆବଶ୍ୟକ । ପରିବେଶଗତ ପ୍ରଭାବକୁ ପ୍ରଶମନ କରିବା ପାଇଁ ଆମେ ପରିବେଶ ପ୍ରଦର୍ଶନ ଓ ସମ୍ବଳ ଦକ୍ଷତା କ୍ଷେତ୍ରରେ ଉତ୍କର୍ଷ ହାସଲ ପାଇଁ ଉଦ୍ୟମ କରିଥାଉ । କର୍ପୋରେଟ୍ ସଂଚାଳନ ନୀତି ଓ ବ୍ୟବସ୍ଥା ମାଧ୍ୟମରେ ଆମେ କରୁଥିବା ସମସ୍ତ କାର୍ଯ୍ୟରେ ଦୀର୍ଘସ୍ଥାୟିତ୍ୱ ଅନ୍ତଃସ୍ଥାପିତ ହୋଇଛି” ।
ଟାଟା ଷ୍ଟିଲ ଜୟବାୟୁ ସମ୍ପର୍କିତ ଆର୍ଥିକ ପ୍ରକଟନ (କ୍ଲାଇମେଟ୍ ରିଲେଟେଡ଼ ଫାଇନାନ୍ସିଆଲ ଡିସ୍କ୍ଲୋଜର ବା ଟିସିଏଫ୍ଡ଼ି) ଟାସ୍କ ଫୋର୍ସ ରେ ଏକ ସ୍ୱାକ୍ଷରକାରୀ ହେବା ସହିତ ଟିସିଏଫ୍ଡିର ସୁପାରିଶ ଅନୁସାରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ବିପଦ ଉପରେ ଆକଳନ କରିସାରିଛି । ଏଥିରେ ପ୍ରତ୍ୟେକ ବିପଦ ପାଇଁ ଚିହ୍ନଟ ହୋଇଥିବା ନିର୍ଦ୍ଦିଷ୍ଟ ପ୍ରଶମନ ଓ ଆପାଦକାଳୀନ ଯୋଜନାକୁ କମ୍ପାନୀର ଦୀର୍ଘକାଳୀନ ନୀତିରେ ସାମିଲ କରାଯାଉଛି ।
ଟାଟା ଷ୍ଟିଲ ନ୍ୟୁନତମ ଅଙ୍ଗାରକ-ଯୁକ୍ତ ପରିଚାଳନା ବ୍ୟବସ୍ଥାକୁ ପରିବର୍ତ୍ତନ ହେବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି । କମ୍ପାନୀର ଇସ୍ପାତ ପୁନଃନବୀକରଣ ବ୍ୟବସାୟରେ ପ୍ରବେଶ କରିବାର ପ୍ରାଥମିକ ଲକ୍ଷ୍ୟ ହେଉଛି ଦୀର୍ଘସ୍ଥାୟୀ ଇସ୍ପାତ ନିର୍ମାଣର ପ୍ରସାର ଓ ଇସ୍ପାତ ପାଇଁ ଏକ ବୃତ୍ତାକାର ଅର୍ଥନୀତି ସୃଷ୍ଟି କରିବା ।
ବିଗତ ବର୍ଷ ମଧ୍ୟରେ ଅନେକ ପରିବେଶ ଉପଯୋଗୀ ପଦକ୍ଷେପ ପାଇଁ ଟାଟା ଷ୍ଟିଲକୁ ବିଭିନ୍ନ ମର୍ଯ୍ୟଦାସମ୍ପନ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । କମ୍ପାନୀର କଳିଙ୍ଗନଗର କାରଖାନାକୁ ଭାରତର ଏକମାତ୍ର ନିର୍ମାଣକାରୀ ସଂସ୍ଥା ଭାବେ ବିଶ୍ୱ ଅର୍ଥନୈତିକ ମଂଚର ଗ୍ଲୋବାଲ ଲାଇଟ୍ହାଉସ୍ ନେଟୱର୍କରେ ଅନ୍ତର୍ଭୁକ୍ତ କରାଯାଇଛି । ଏହାସହିତ କମ୍ପାନୀ ଭାରତର ପ୍ରଥମ ଇସ୍ପାତ ନିର୍ମାଣକାରୀ ସଂସ୍ଥା ଭାବେ ଏହାର ୪ଟି ଉତ୍ପାଦ ପାଇଁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଗ୍ରୀନ୍ପ୍ରୋ ମାନକପତ୍ର ହାସଲ କରିଛି ।