![](https://indokalingtimes.com/wp-content/uploads/2019/09/modi-e1569414114999.jpg)
ଏହି ଯୋଜନା ଅନୁସାରେ ଜମ୍ମୁ କଶ୍ମୀରର ସବୁ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଚିକିତ୍ସା ପାଇଁ ବୀମା ସୁବିଧା ଯୋଗାଇ ଦିଆଯିବ । ଏଥିପାଇଁ ସେମାନଙ୍କୁ ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ନାହିଁ । ପରିବାର ପିଛା 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମେଡିକାଲ ଓ ଚିକିତ୍ସା ଖର୍ଚ୍ଚ ବୀମା କଂପାନୀ ବହନ କରିବେ । ଏହି କେନ୍ଦ୍ର ଶାସିତ ଅଞ୍ଚଳର ସବୁ ନାଗରିକଙ୍କ ପାଇଁ ଏହି ସୁବିଧା ଯୋଗାଇ ଦିଆଯାଇଥିବାରୁ ଏଥିରେ ଅତିରିକ୍ତ ପ୍ରାୟ 15 ଲକ୍ଷ ପରିବାର ସାମିଲ ହେବେ । ସୂଚନାଯୋଗ୍ୟ ଯେ ଯେଉଁମାନେ ଏହି ବୀମା ସୁବିଧା ପାଇବେ ବା ପାଇଛନ୍ତି ସେମାନେ ଦେଶର ଯେକୌଣସି ସ୍ଥାନରେ ଥିବା ହସ୍ପିଟାଲରେ ନିଜର ଚିକିତ୍ସା ବ୍ୟବସ୍ଥା କରିପାରିବେ । ତେବେ କେବଳ ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ହୋଇଥିବା ଘରୋଇ ଓ ସରକାରୀ ହସପିଟାଲରେ ଏହି ସୁବିଧା ମିଳିବ ।
ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଣ ଲକ୍ଷ୍ୟ ହାସଲ ପଥେ
ଭାରତରେ ସ୍ୱାସ୍ଥ୍ୟସେବାକୁ ସାର୍ବଜନୀନ କରିବା ପାଇଁ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ସେଥିରେ ଉତ୍ତମମାନର ସ୍ୱାସ୍ଥ୍ୟସେବା, ସ୍ୱାସ୍ଥ୍ୟ ପ୍ରୋତ୍ସାହନ ଓ ରୋଗ ଦୂରୀକରଣ, ଚିକିତ୍ସା ଓ ପରବର୍ତ୍ତୀ ଥଇଥାନ ତଥା ଯତ୍ନ ଆଦି ଅନ୍ତର୍ଭୁକ୍ତ । ଅର୍ଥାଭାବରୁ କୌଣସି ନାଗରିକ ଯେପରି ଚିକିତ୍ସା ସେବାରୁ ବଞ୍ଚିତ ନ ହୁଅନ୍ତି ତାହା ନିଶ୍ଚିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରୋଗବ୍ୟାଧି ଯୋଗୁଁ ଅନେକ ପରିବାର ଅର୍ଥ ଖର୍ଚ୍ଚକରି ଉଜୁଡି ଯିବା ସହ ଲୋକେ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଉଥିବାରୁ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି; ଯାହା ଆୟୁଷ୍ମାନ ଭାରତ ନାମରେ ପରିଚିତ । ଏଥିରେ ଦୁଇଟି ଭାଗ ରହିଛି । ଗୋଟିଏ ହେଲା ସ୍ୱାସ୍ଥ୍ୟ ଓ ୱେଲନେସ୍ ସେଣ୍ଟର ଏବଂ ଅନ୍ୟଟି ହେଲା ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା । ଏହି ଦୁଇ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଜନା ଲକ୍ଷ୍ୟ ପୂରଣ କରିବାକୁ କାର୍ଯ୍ୟ କରୁଛନ୍ତି ।