କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଶୁକ୍ରବାର ମାର୍ଗଶିର ଶୁକ୍ଳ ଏକାଦଶୀ ତିଥିରେ ସନ୍ଧ୍ୟା ଆଳତି ପରେ ଗୋମତୀ ଏକାଦଶୀ ପାଳିତ ହୋଇଯାଇଛି ।
ପ୍ରତ୍ୟେକ ଏକାଦଶୀ ନୀତି ସନ୍ଧ୍ୟା ଆଳତି ପରେ ଆରମ୍ଭ ହୋଇଥାଏ । ଏହି ନୀତି ପାଇଁ ସକାଳେ ଘଟୁଆରୀ ସେବକ ରୂପା ପିଙ୍ଗଣରେ ଚନ୍ଦନ,କର୍ପୁର ଓ କସ୍ତୁରୀ ଯୋଗାଇଥିଲେ |ରାଜା ସୁପରିଣ୍ଟେଡେଣ୍ଟ ଙ୍କ ତରଫରୁ ଆବଶ୍ୟକ ଘିଅ,ଚନ୍ଦ୍ରଉଦିଆ, କର୍ପୁର ଓ ବଳିତା ଆଳତି ଆସିଥିଲା | ଭଣ୍ଡାର ଘରୁ, ଭଣ୍ଡାର ମେକାପ ପୂଜା ଆଳତି ଦାନୀ, ରୁପା କଳସ ,ଘସା ବିଡ଼ିଆ ଓ ଦହିପଟି ଯୋଗାଇଥାନ୍ତି, ପାଳିଆ ଖୁଣ୍ଟିଆ ଶୁକ୍ଳ ଫୁଲ ଯୋଗାଇଥିଲେ । ଏହି ନୀତି ସମ୍ପାଦନ ୨୨ ଜଣ ପାଳିଆ ସେବାୟତ ଙ୍କ ଦ୍ଵାରା ହୋଇଥିଲା ।
ଆଜି ଶ୍ରୀମନ୍ଦିର ଦ୍ୱାର ଫିଟା ପ୍ରତଃ. ୫.୦୦ ଟାରେ ହୋଇ ଭିତର ଶୋଧ ପ୍ରତଃ. ୫.୪୫ ଏବଂ ମଙ୍ଗଳ ଆଳତି ପ୍ରତଃ.୫.୫୦ ରେ ସମ୍ପର୍ଣ୍ଣ ପରେ ମହାପ୍ରଭୁଙ୍କ ଦୈନଦିନ ନୀତି ବଢି ମହାପ୍ରଭୁଙ୍କ ଏକାଦଶୀ ନୀତି ପାଇଁ ମଧ୍ୟାନ ଧୂପ ସରି ,୨ୟ ଭୋଗ – ମଣ୍ଡପ ପରେ, ଦଖିଣି ଘର ଭୋଗ ହୋଇଥିଲା | ଏହାପରେ ମହାପ୍ରଭୁଙ୍କ ମଇଲମ, ବନ୍ଦାପନା ବଢି ଶାଢ଼ୀ ଖଣ୍ଡୁଆ ଲାଗି ହୋଇ ସନ୍ଧ୍ୟା ଆଳତି ବଢିଥିଲା |ଠାକୁରଙ୍କର ଏକାଦଶୀ ସର୍ବାଙ୍ଗ ପରେ, ଆଜ୍ଞାମାଳ ପାଇ ଶ୍ରୀମଦନମୋହନ ବେଢାକୁ ବିଜେ କରିଥିଲେ |ମହାଜନେ ମଦନମୋହନଙ୍କୁ ଝୁଲଣ ମଣ୍ଡପ ତଳେ ବିମାନବଡୁ ରଖିଥିବା ପାଲିଙ୍କିରେ ପଟୁଆରରେ ବିଜେ କରାଇ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରି ମଙ୍ଗଳା ମନ୍ଦିର ପାଖରେ ରହିଥିଲେ | ଏହାପରେ ମହାଜନେ ଠାକୁରଙ୍କୁ ଜୟବିଜୟ ଦ୍ଵାରକୁ ନେଲାପରେ ବିଧି ମତେ ପାଳିଆ ପଢ଼ିଆରୀ ଜୟବିଜୟ ଦ୍ୱାର ବନ୍ଦ କରିଥିଲେ |ଖଟ- ଶେଜ ମେକାପ ସେଠାରେ ଆସନ ପକାଇଲାପରେ ଜୟବିଜୟ ଦ୍ୱାର ପାଖରେ ଠାକୁର ବିଜେ ହୋଇଥିଲେ |ପୂଜାପଣ୍ଡା ସାମନ୍ତେ ଆସି କୋରା ଭୋଗ କରି ଆଳତି, ବନ୍ଦାପନା ଓ ଭୋଗ ବଢ଼ିଲାପରେ ଜୟବିଜୟ ଦ୍ୱାର ଖୋଲିଯାଇଥିଲା | ଏହା ପରେ ଶ୍ରୀମଦନମୋହନ ଦଖିଣି ଘରକୁ ବାହୁଡା ବିଜେ କରିଥଲେ । ତତ୍ପରେ ସନ୍ଧ୍ୟା ଧୂପ ପରେ ମହାଦୀପ ଆଳତି ପାଇଁ ଗରୁଡ଼ ସେବକ ଚୂନରା ୩ଟି ରୂପାକଳସ ରେ ଘିଅ, ବଳିତା ଧରି ରତ୍ନସିଂହାସନ ପାଖକୁ ଯାଇ ପତ୍ରି ବଡୁ ସେବକଙ୍କୁ ଦେବାରେ, ପତ୍ରିବଡୁ ବଳିତା ଲଗାଇ ତିନି ବାଡ଼ରେ ତିନି ପଣ୍ଡାଙ୍କୁ ଦେଲାପରେ ସେମାନେ ସଂସ୍କାର ପୂର୍ବକ ମହାଦୀପ ଆଳତି କରିଥିଲେ, ଏବଂ ସିଂହାସନ ଚାରିପଟେ ବେଢ଼ା ବୁଲି ଜୟବିଜୟ ଦ୍ୱାର ବାଟେ କଳସ ଧରି ଶ୍ରୀବିମାଳାଙ୍କ ପର୍ଯ୍ୟନ୍ତ ଆସିଥିଲେ | ସେଠାରେ ଅପେକ୍ଷାରେ ଥିବା ଚୁନାରା ସେବକଙ୍କୁ ୩ଟି କଳସ, ନୀଳଚକ୍ର ପାଇଁ ତୁଳସୀ,ଚନ୍ଦନ ପୂଜାପଣ୍ଡା ସାମନ୍ତଙ୍କ ଠାରୁ ପାଇଲା ପରେ ସେଠାରୁ ଘଟୁଆରୀ ଙ୍କ ଠାରୁ ୧୨ଟି ଚନ୍ଦ୍ରଉଦିଆ ନେଇଥିଲେ । ଏହାପରେ ୩ଜଣ ପାଳିଆ ଚୁନାରା ସେବକ କଳସ ରଖିଦେଇ,ମହାଦୀପ,ଚନ୍ଦ୍ରଉଦିଆ ଧରି ଶ୍ରୀମନ୍ଦିର ଉପରକୁ ଉଠିଥିଲେ |ସାଙ୍ଗରେ ନଡ଼ିଆ କତା ଲଗାଇ ନିଆଁ ନେଇଥିଲେ, ଦଧିନଉତି ତଳେ ଠିଆହୋଇ ତୁଳସୀ,ଚନ୍ଦନ ନୀଳଚକ୍ରଙ୍କୁ ଲାଗି କରି ଚାରିପଟେ ତିନି ଘେରା ପ୍ରଦକ୍ଷଣ କରି ଚନ୍ଦ୍ରଉଦିଆକୁ ପ୍ରତ୍ୟେକ ଦିଗରେ ତିନୋଟି ଲେଖାଏଁ ଜାଳି ବୁଲିବା ସମୟରେ “ମହାପ୍ରଭୁ ପୁରୀ ରାଜାଙ୍କୁ (ନାମଧରି) ଶଙ୍ଖେ ପୁରାଇ ଚକ୍ର ଆଢୁଆଳ କରନ୍ତୁ” ବୋଲି କହି ହରିବୋଲ ଡାକଦେଇ, ସଂସାରର ମଙ୍ଗଳ କାମନା କରିଥିଲେ। ଏହାପରେ ମହାପ୍ରଭୁଙ୍କ ମଇଲମ ହୋଇ ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ପରେ ଟୋପର ଲାଗି ପରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ହେବ |