ମାଲକାନଗିରି– ଚିତ୍ରକୋଣ୍ଡା ପୁଲିସ ଦ୍ଵାରା ପାଞ୍ଚ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ସହ ଗୋଟିଏ ମହିନ୍ଦ୍ରା ବୋଲେରୋ, ନଗଦ ଏକ ଲକ୍ଷ ଦୁଇ ହଜାର ପାଞ୍ଚ ଶହ ଅଶି ଟଙ୍କା ଜବତ କରାଯିବା ସହିତ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଥି ସହିତ ଦୁଇଟି ମୋବାଇଲ ଏବଂ ଏଟିଏମ ସହ ଅନ୍ୟାନ୍ୟ କାଗଜ ପତ୍ର ଜବତ କରାଯାଇଛି ।
ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଚିତ୍ରକୋଣ୍ଡା ପୁଲିସ ଦ୍ଵାରା ପାଟ୍ରୋଲିଙ୍ଗ ସମୟରେ ଗୁଣ୍ଠାୱାଡାରୁ ସିଲେରୁ ରୋଡ଼ ହଂଶାଗୁଡ଼ା ବ୍ରିଜ ପାଖରେ ଏକ ମହିନ୍ଦ୍ରା ବୋଲେରୋ ପିକଅପ୍ ଗାଡି ନମ୍ବର ଓଡି 05 g -3202 ରେ ଗଞ୍ଜେଇ ବୋଝେଇ ହୋଇ ଚାଲାଣ କରାଯାଉଥିବା ଦେଖି ଗାଡିକୁ ଅଟକାଇ ଖାନ ତଲାସୀ କରିବାରୁ ୨0ଟି ବ୍ୟାଗରେ ଗଞ୍ଜେଇ ଚାଲାଣ କରାଯାଉଥିବା ଦେଖିବାକୁ ପାଇଥିଲେ । ଚିତ୍ରକୋଣ୍ଡା ପୁଲିସ ଗଞ୍ଜେଇ ସହ ବୋଲେରୋ ଗାଡିକୁ ଜବତ କରି ଜବତ ସାମଗ୍ରୀ ଓ ଦୁଇ ଜଣ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଥାନାରେ ଅଟକ ରଖି ପଚରା ଉଚରା କରିଥିଲେ । ୨0 ଗୋଟି ବ୍ୟାଗରୁ ପ୍ରାୟ ପାଞ୍ଚ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷରୁ ଉର୍ଦ୍ଧ୍ବ ହେବ । ଅଭିଯୁକ୍ତ ମାନଙ୍କ ନିକଟରୁ ନଗଦ ଏକ ଲକ୍ଷ ଦୁଇ ହଜାର ପାଞ୍ଚ ଶହ ଅଶି ଟଙ୍କା ଜବତ କରାଯାଇଛି । ଅଧିକ ପଚରାଉଚରା ପରେ ଦୁଇ ଜଣ ଅଭିଯୁକ୍ତ ହେଲେ ଅଜୟ କୁମାର ଓ ବିକ୍ରମ ଆଦିତ୍ୟ ବୋଲି ଜଣା ପଡିଛି । ଚିତ୍ରକୋଣ୍ଡା ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି କେସ ନଂ 160/24-12-2020u/s20(b)(c) ଅନୁଯାଇ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ।