ମାର୍ଗଶିର ଗୁରୁବାର ଶୁକ୍ଳ ଦଶମୀ (ସୁଦଶା ବ୍ରତ) ତିଥିରେ ଆଜି ଶ୍ରୀମନ୍ଦିରରେ ଗୁରୁବାର ମାଜଣା ଏବଂ ଏକାନ୍ତ ନୀତି ପାଳିତ ହୋଇଅଛି ।ଶ୍ରୀଜୀଉଙ୍କ ଏହି ନୈମିତିକ ନୀତି ଆଜି ସକାଳଧୂପ ପରେ “ମାଜଣା” ଏବଂ ସନ୍ଧ୍ୟା ଧୂପପରେ “ଏକାନ୍ତ” ନୀତି ପାଳିତ ହୋଇଛି । ମହାପ୍ରଭୁଙ୍କ ପୂର୍ବ ରାତ୍ର ପହୁଡ଼ ଘ.୧୧.୦୫ ରେ ସମ୍ପର୍ଣ୍ଣ ହୋଇ ଆଜି ପ୍ରତଃ ଘ.୪.୩୦ ରେ ଶ୍ରୀମନ୍ଦିର ଦ୍ୱାର ଫିଟା ଯାଇ ଭିତର ଶୋଧ,ମଙ୍ଗଳ ଆଳତି ପରେ ପରବର୍ତ୍ତୀ ଦୈନଦିନ ନୀତି ପରେ ମହାପ୍ରଭୁଙ୍କ ଗୋପାଳ ବଲ୍ଲବ ଏବଂ ପହିଲି ଭୋଗ ଘ.୮.୪୦ ରେ ଶେଷ ହୋଇଥିଲା ତାପରେ ସକାଳଧୂପ ଘ.୧୦.୩୦ ରେ ଶେଷ ହୋଇ, ସକାଳଧୂପ ପ୍ରସାଦ ବାହାରି ଘ.୧୦.୦୫ରେ ପାଣି ପଡ଼ିଲାପରେ, ପାଳିଆ ମାହାଜନ ସେବକ ମାନେ ଗୁରୁବାର ମାଜଣା ପାଇଁ ମା’ଲଷ୍ମୀ ଏବଂ ମା’ସରସ୍ଵତୀ ଙ୍କୁ ରତ୍ନସିଂହାସନ ରୁ ଏବଂ ଶ୍ରୀମଦନମୋନ ଙ୍କୁ ଦଖିଣି ଘରୁ ଆଣି ମାଜଣା ମଣ୍ଡପ ଠାରେ ଘ.୧୧.୦୫ ରେ ବିଜେ କରାଇଥିଲେ | ଏହାପୂର୍ବରୁ ମାଜଣା ମଣ୍ଡପ ଧୁଆଯାଇ ପରିଷ୍କାର କରାଯାଇ ମଣ୍ଡନିଚାନ୍ଦୁଆ ବନ୍ଧା ଯାଇଥିଲା । ସୁଦୁସୁଆର ଉପସ୍ଥିତ ରହି ମାଜଣା ଜିନିଷ ଦେବାପରେ,ପୂଜାଠା ହୋଇଥିଲା,ପାଳିଆ ମହାଜନେ ଠାକୁର, ଠାକୁରାଣୀଙ୍କୁ ମାଜଣା କରି ଖଟ ଉପରେ ବସାଇଥିଲେ |ପାଳିଆ ପୂଜାପଣ୍ଡା ସାମନ୍ତେ ପୂଜାରେ ବସିଥିଲେ |ପୂଜା ବଢ଼ିଲାପରେ କର୍ପୁର ଆଳତି ସହ ଅରୁଆ ଚାଉଳ,ଅକ୍ଷତ ଦ୍ୱାରା ବନ୍ଦାପନା କାରିଥିଲେ । ଭିତରକୁ ଦୁଇପ୍ରହର ଧୂପ (ମଧ୍ୟାନଧୂପ ) ଛେକ ଆସିଲାପରେ ମହାଜନେ ମାଜଣା ଦିଅଁ ଙ୍କୁ ଘ.୧.୦୫ ରେ ଭିତରକୁ ବିଜେ କରାଇ ନେଇ ମା’ଲଷ୍ମୀ ଏବଂ ମା’ସରସ୍ଵତୀ ଙ୍କୁ ରତ୍ନସିଂହାସନ କୁ ଏବଂ ଶ୍ରୀମଦନମୋହନଙ୍କୁ ଦଖିଣି ଘରକୁ ବିଜେ କରାଇଥିଲେ | ଏହାପରେ ପାଳିଆ ପୂଜାପଣ୍ଡା ସାମନ୍ତେ ଠାକୁରାଣୀ ମାନଙ୍କୁ ଶ୍ରୀଅଙ୍ଗ ଲାଗି କରାଇଥିଲେ । ଏହାପରେ ମଧ୍ୟାନ ଧୂପ ଶେଷ ହୋଇ , ମହାପ୍ରଭୁଙ୍କ ଅନ୍ୟାନ୍ୟ ପରବର୍ତ୍ତୀ ନୀତି ପରେ “ଗୁରୁବାର ଏକାନ୍ତ” ପାଇଁ ସନ୍ଧ୍ୟା ଧୂପ ସମୟରେ ଦୁଇ ଖଣ୍ଡ ଆଜ୍ଞା ମାଳ, ଗୋଟିଏ ସାଧା ଓ ଅନ୍ୟଟି ତୁଳସୀ ମିସା ମାଳ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଲାଗି ହୋଇଥିଲା । ସନ୍ଧ୍ୟା ଧୂପ ଶେଷ ହୋଇ, ପ୍ରସାଦ ବାହାରି ପାଣି ପଡ଼ିଲାପରେ, ଗୁରୁବାର ଏକାନ୍ତ ନୀତି ପାଇଁ ମହାଜନେ ଶ୍ରୀମଦନମୋହଙ୍କୁ ଦଖିଣି ଘରୁ ନେଇ ରତ୍ନସିଂହାସନ ରେ ବିଜେ କରାଇଥିଲେ |ପୂଜାପଣ୍ଡା ସାମନ୍ତେ ମହାପ୍ରଭୁଙ୍କ ଠାରୁ ଲାଗି ହୋଇଥିବା ଆଜ୍ଞାମାଳ ଦୁଇଟି ଆଣି ତୁଳସୀ ମିସା ମାଳଟିକୁ ଶ୍ରୀମଦନମୋହଙ୍କୁ ଏବଂ ସାଧା ମାଳ ଖଣ୍ଡ ଟିକୁ ମା’ଲଷ୍ମୀ ଠାକୁରାଣୀ ଙ୍କୁ ଲାଗି କରାଇଥିଲେ, ଆଜ୍ଞାମାଳ ଲାଗି ପରେ ବିମାନବଡୁ ମାନେ ଝୁଲଣ ମଣ୍ଡପ ଠାରେ ରଖିଥିବା ପାଲିଙ୍କିରେ,ମାହାଜନ ମାନେ ପଟୁଆରରେ ମା’ଲଷ୍ମୀ ଏବଂ ଶ୍ରୀମଦନମୋହନ ଙ୍କୁ ରତ୍ନସିଂହାସନ ରୁ ଆଣି ପାଲିଙ୍କିରେ ବିଜେ କରାଇଥିଲେ । ଏହାପରେ ବିମାନବଡୁ ମାନେ ବିଜେ ଠାକୁର,ଠାକୁରାଣୀଙ୍କୁ ପାଲିଙ୍କିରେ ବୋହି ସରସ୍ୱତୀ,ଭୁବନେଶ୍ଵରୀ ମନ୍ଦିର ନିଶା- ନୃସିଂହଙ୍କ ନିକଟରେ ଓଲାହିଥିଲେ, ମହାଜନେ ଠାକୁର,ଠାକୁରାଣୀଙ୍କୁ ହାତରେ ବିଜେ କରାଇ ନେଇ ସରସ୍ୱତୀ ଙ୍କ ମନ୍ଦିର ଭିତରେ ପଶି ଲକ୍ଷ୍ମୀ ଦେଉଳ ଜଗମୋହନ କୁ ଯାଇ ସେଠାରେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ପଲଙ୍କରେ ଠାକୁର,ଠାକୁରାଣୀ ଙ୍କୁ ବିଜେ କରାଇଥିଲେ |ଭିତରଛୁ ମହାପାତ୍ରେ ପ୍ରସାଦଲାଗି କଲାପରେ, ପୂଜାପଣ୍ଡା ସାମନ୍ତେ ପୂଜାରେ ବସିଥିଲେ| ପୂଜା ଶେଷରେ ଭୋଗ ହୋଇ,କର୍ପୁର ଓ ବଳିତା ଆଳତି ହୋଇ ଅକ୍ଷତ ବନ୍ଦାପନା ପରେ ଠାକୁର, ଠାକୁରାଣୀ ପାଲିଙ୍କିରେ ବାହୁଡା ବିଜେ ହୋଇ ଗାରଦ ଘର ପାର୍ଶ୍ୱ ସାତପହାଚ ବାଟେ ଗରୁଡ଼ ସାମନା ଜଗମୋହନରେ ଓଲାହି ଥିଲେ |ଏହାପରେ ମା’ଲଷ୍ମୀ ଠାକୁରାଣୀ ରତ୍ନସିଂହାସନ କୁ ଏବଂ ଶ୍ରୀମଦନମୋହନ ଦଖିଣି ଘରକୁ ବାହୁଡା ବିଜେ କରିଥିଲେ । ଏହାପରେ ମହାପ୍ରଭୁଙ୍କ ମଇଲମ ହୋଇ ଚନ୍ଦନ ଲାଗି,ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ପରେ ଟୋପର ଲାଗି ହୋଇ ଶ୍ରୀଜୀଉମାନଙ୍କ ରାତ୍ର ପହୁଡ଼ ଅନୁଷ୍ଟିତ ହେବ ।
Related Stories
November 24, 2024
November 24, 2024