ରାଉରକେଲାର ‘ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି’ ପରିସରରେ ୧୫ ଏକର ଜମିରେ ଏହି ଷ୍ଟାଡିୟମ୍ ନିର୍ମାଣ କରାଯିବ । ଏଥିରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ରହିବ । ଆଗାମୀ ଦିନରେ ଏହି ଷ୍ଟାଡିୟମ୍ ଫିଲ୍ଡ ହକିପାଇଁ ବିଶ୍ୱର ସବୁଠୁ ଭଲ ଷ୍ଟାଡିୟମ୍ ଭାବେ ପ୍ରତିଷ୍ଠା ଲାଗ କରିବ । ଏହାସହ ବିଶ୍ୱସ୍ତରୀୟ ଭିତିଭୂତି ସହିତ ଏହା ରାଉରକେଲାର ନୂଆ ହକି ଷ୍ଟାଡିୟମ୍ ରେ ବିଶ୍ୱକପ୍ ଆୟୋଜନ ଜିଲ୍ଲାର ନୂଆ ପୀଢିର ଖେଳାଳୀମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ଗୁରୁବାର ଦିନ ଏକ ଭିଡିଓ ବାର୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ୨୦୨୩ରେ ସମ୍ମାନଜନକ ‘ପୁରୁଷ ହକି ବିଶ୍ୱକପ୍’ ଆୟୋଜନକାରୀ ଭାବେ ଓଡ଼ିଶା ପୁଣି ଥରେ ଗୌରବାନ୍ୱିତ ହେବ । ଏହି ଟୁର୍ଣ୍ଣାମେଂଟ୍ ଭୁବନେଶ୍ୱର ଏବଂ ରାଉରକେଲାରେ ଆୟୋଜନ କରାଯିବ । ସୁନ୍ଦରଗଡ଼ ଜିଲ୍ଲା ହେଉଛି ହକି ପ୍ରତିଭାଧରଙ୍କ ଗନ୍ତାଘର । ଏହି ଜିଲ୍ଲାରୁ ଅନେକ ମହାନ୍ ହକି ଖେଳାଳି ଦେଶ ପାଇଁ ଗୌରବ ଆଣିଛନ୍ତି ।
ଭାରତୀୟ ଦଳର ନେତୃତ୍ୱ ନେଇଥିବା ଦିଲୀପ ତିର୍କୀ ଏବଂ ସୁନୀତା ଲାକ୍ରା ଆନ୍ତର୍ଜାତିକ ସ୍ତରରେ ଦେଶର ପ୍ରତିନିଧିତ୍ୱ କରିଛନ୍ତି । ଭାରତୀୟ ହକିକୁ ସୁନ୍ଦରଗଡ଼ର ଅବଦାନ ପ୍ରତ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ୨୦ ହଜାର ଦର୍ଶକଙ୍କ ବସିବା ଲାଗି ସାମର୍ଥ୍ୟ ଥିବା ଏକ ନୂତନ ଆନ୍ତର୍ଜାତିକ ମାନର ହକି ଷ୍ଟାଡିୟମ୍ ରାଉରକେଲାରେ ନିର୍ମାଣ କରିବା ପାଇଁ ଘୋଷଣା କରୁଛି । ଏହି ଷ୍ଟାଡିୟମରେ ବହୁ ଆଧୁନିକ ସୁବିଧା ରହିବ ଏବଂ ଅନନ୍ୟ ଅନୁଭୂତି ପ୍ରଦାନ କରିବ । ଆଶା, ଏହା ହକି କ୍ଷେତ୍ରରେ ବିଶ୍ୱର ସର୍ବୋତମ ସ୍ଥାନ ଭାବେ ବିବେଚିତ ହେବ ।
ନିକଟରେ ରାଜ୍ୟ ସରକାର, ଆନ୍ତର୍ଜାତିକ ହକି ଫେଡେରେସନ୍, କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଏବଂ ହକି ଇଣ୍ଡିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଉରକେଲା ଗସ୍ତ କରିଥିଲେ ।