
ମାଲକାନଗିରି– ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ବଲଦିଆଗୁଡାରେ ବାସ କରୁଛନ୍ତି କୃଷ୍ଣ ଦାସ । କୃଷ୍ଣ ଦାସଙ୍କର ଏକ ସୁଖୀ ପରିବାର ଥିଲା । ଦୁଇ ପୁଅ ଏବଂ ଗୋଟିଏ ଝିଅ ସହ କୃଷ୍ଣ ସୁଖରେ ଦିନ କାଟୁଥିଲେ । ବ୍ଲକର ଜଳ ଓ ପରିମଳ ବିଭାଗରେ ଏସିଏମ ଭାବେ କାମ କରି ଯାହା ରୋଜଗାର କରୁଥିଲେ ସେତିକିରେ ପରିବାର ଚଳୁଥିଲା । ପତ୍ନୀଙ୍କର ଅକାଳ ବିୟୋଗ ପରେ କୃଷ୍ଣ ଭାଙ୍ଗି ପଡିଲେ । ତିନି ପିଲାଙ୍କୁ ନେଇ ସେ ବହୁ କଷ୍ଟରେ ଜୀବନ ଅତିବାହିତ କଲେ । ପେଟ ପାଇଁ ଦାନା ସଂଗ୍ରହ କରିବା ସଙ୍ଗେ ସଙ୍ଗେ ତିନି ପିଲାଙ୍କୁ ମଣିଷ କରିବା ପାଇଁ ଅହରହ ପରିଶ୍ରମ କଲେ । ପିଲାମାନେ ମଧ୍ୟ ମଣିଷ ହେଲେ । ପୁଅ ରାଜେଶ ଏବଂ ପ୍ରକାଶ ଦୁହେଁ ପିଲାଟି ଦିନରୁ ହିଁ ଭଲ ପାଠ ପଢି ପ୍ରଥମ ସ୍ଥାନ ଅଧିକାର କରୁଥିଲେ । ଏପରିକି ଦୁହେଁ ମ୍ୟାଟ୍ରିକରେ ପ୍ରଥମ ସ୍ଥାନ ଅଧିକାର କରି ଯୁକ୍ତ ଦୁଇରେ ନାମ ଲେଖାଇଥିଲେ । ତେବେ ଅଚାନକ ଏକ କଳା ବାଦଲ କୃଷ୍ଣଙ୍କ ପରିବା ଉପରେ ଘେରି ଯାଇଥିଲା । ଦୁଇ ପୁଅ ରାଜେଶ ଓ ପ୍ରକାଶ ମାନସିକ ଅଗ୍ରସର ହୋଇଯାଇଥିଲେ । ଦୁହେଁ ଯାହାକୁ ଦେଖିଲେ ବାଡେଇଲେ । ବାପାଙ୍କ କଥା ଶୁଣିଲେ ନାହିଁ କି ନିଜର ସଂପର୍କୀୟଙ୍କ କଥା ମଧ୍ୟ ମାନିଲେ ନାହଁ । ଦୁହେଁ ଏବେ ବି ଭଲ କଥାବାର୍ତ୍ତା କରନ୍ତି । କିନ୍ତୁ, ବେଳେ ବେଳେ ମାନସିକ ଅନଗ୍ରସର ଲୋକେ ଯେଭଳି ବ୍ୟବହାର କରନ୍ତି ସେଭଳି କରିଥାନ୍ତି । ବାପା କୃଷ୍ଣ ଦୁହିଁଙ୍କୁ ମେଡିକାଲ ନେଇ ଚିକିତ୍ସା ମଧ୍ୟ କରାଇଥିଲେ। କିନ୍ତୁ, କୌଣସି ସୁଫଳ ମିଳିଲା ନାହିଁ । ଗୋଟିଏ ଦିଗରେ ପିଲାଙ୍କୁ ବଡ କରିବା ପାଇଁ ଦାନା ଯୋଗାଡ କରିବେ ନା ଏମାନଙ୍କ ଚିକିତ୍ସା ପାଇଁ ଟଙ୍କା ଯୋଗାଡ କରିବେ । ଦୁହିଁଙ୍କୁ ଏବେ ପ୍ରାୟ ତିରିଶି ବର୍ଷ ଡେଇଁଲାଣି । ଦୁହେଁ ଘରେ ପଡି ରହିଛନ୍ତି । ରାଜେଶକୁ ବାଧ୍ୟ ହୋଇ ବାପା ଶିକୁଳିରେ ବାନ୍ଧିଛନ୍ତି । ଯେପରି କୌଣସି ଲୋକଙ୍କୁ ରାଜେଶ ଆଘାତ ନପହଞ୍ଚାଏ ସେଥିପାଇଁ ଏଭଳି କରାଯାଇଥିବା କୁହାଯାଇଛି । ପାଖରେ ଅର୍ଥ ନଥିବାରୁ ଦୁହିଁଙ୍କୁ ବଡ ଡାକ୍ତରଖାନା ନେଇ ଚିକିତ୍ସା କରାଇପାରୁନାହାନ୍ତି । ଭଉଣୀ କିନ୍ତୁ ଠିକ ଥିବା ଜଣାପଡିଛି । ସେ ଏଏନଏମ ଭାବେ ଚାକିରି କରୁଥିବା ଜଣାପଡିଛି । ଦୁଇ ପୁଅଙ୍କ ଅବସ୍ଥା ଏଭଳି ହୋଇଯାଇଥିବାରୁ ବାପାଙ୍କ ଦୁଃଖ କହିଲେ ନସରେ । ଦୁଇ ପିଲାଙ୍କୁ ନେଇ ଯାହା ସ୍ବପ୍ନ ଦେଖିଥିଲେ ସବୁ ଚୁରମାର୍ ହୋଇଗଲା । ଦୁଇ ବିଜ୍ଞ ପିଲା କିଭଳି ହଠାତ୍ ଏଭଳି ମାନସିକ ଅନଗ୍ରସର ହୋଇଗଲେ ସେ ବୁଝିପାରୁନାହାନ୍ତି । ବଲଦିଆଗୁଡା ଗ୍ରାମ ସମେତ ଆଖପାଖ ଗ୍ରାମର ଲୋକ ଏହି ଦୁଇ ପିଲାଙ୍କ ବିଷୟରେ କହିଲା ବେଳେ ଆହା ବୋଲି ପାଟିରୁ ବାହାରି ପଡୁଥିବା ଦେଖିବାକୁ ମିଳିଥିଲା । ରାଜେଶ ଏବଂ ପ୍ରକାଶଙ୍କର ବିଚକ୍ଷଣ ବୁଦ୍ଧି କାହାକୁ ଅଛପା ନାହିଁ । ସମସ୍ତେ ଦୁଇ ପିଲାଙ୍କୁ ନେଇ ଗର୍ବିତ ବୋଲି କହୁଥିଲେ ମଧ୍ୟ ମାନସିକ ଅନଗ୍ରସର ହେବା ପରେ ଦୁହେଁ କାହାରି କଥା ଶୁଣୁ ନଥିବା କହିଥିଲେ । ଯଦି ବାପା କୃଷ୍ଣଙ୍କର କିଛି ହୋଇଯାଏ ତେବେ ଦୁଇ ପୁଅଙ୍କ ଅବସ୍ଥା କ’ଣ ହେବ ବୋଲି ସେ ଚିନ୍ତାରେ ପଡିଛନ୍ତି । ସରକାରଙ୍କ ତରଫରୁ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢାଇଲେ ହୁଏତ ଦୁଇ ପିଲା ପୁଣି ହସିବେ ବୋଲି କୃଷ୍ଣ ଦାସ ଏବଂ ସ୍ଥାନୀୟ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO