
ଗଞ୍ଜାମ– ବ୍ରହ୍ମପୁର ସହରରେ ନକଲି ଇଞ୍ଜିନ ଅଏଲ୍ ତଥା ଲୁବ୍ରିକାଂଟ କମ୍ପାନୀ ଠାବ କରିଛି ପୋଲିସ । କୋଲକାତାରୁ ଆସୁଥିବା ସାମଗ୍ରୀ ଓ ବର୍ଷେ ହେଲା ଏଠାରେ ନକଲି ଅଏଲ୍ ପ୍ରସ୍ତୁତି ଚାଲିଥିଲା । ଏହି କାରବାର ସମ୍ପର୍କରେ ବ୍ରହ୍ମପୁର ପୋଲିସ ସୂଚନା ପାଇ ନୀଳାଦ୍ରି ବିହାର ତ୍ରିନାଥନଗରରେ ଚଢ଼ଉ କରାଯାଇ ଜଣକୁ ଅଟକ ରଖିଛି ପୋଲିସ । ଏକ ଲିଟର ବିଶିଷ୍ଟ ୩୦୦ ବୋତଲ ଅଏଲ୍, ୫୦୦୦ ଡ଼ବା ଓ ନକଲି ଇଞ୍ଜିନ ଅଏଲ୍ ପ୍ରସ୍ତୁତି ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ଏସଡ଼ିପିଓ ବିଷ୍ଣୁ ପ୍ରସାଦ ପତି ଏହାର ତଦନ୍ତ ଭାର ଗ୍ରହଣ କରିଛନ୍ତି । ଅଟକ ବ୍ୟକ୍ତି ଜଣକ ଦିଲ୍ଲୀରୁ ଏଭଳି ନକଲି ଲୁବ୍ରିକାଂଟ ପ୍ରସ୍ତୁତ କରିଥିବା ଶିଖିଥିବା ପୋଲିସ ନିକଟରେ ପ୍ରକାଶ କରିଛି । ଘଟଣାରେ ଅନ୍ୟ କେଉଁ ମାନେ ସମ୍ପୃକ୍ତ ସେନେଇ ପୋଲିସ ତଦନ୍ତ ଜାରୀ ରଖିଛି । ତ୍ରିନାଥ ନଗରରେ ନକଲି ଇଞ୍ଜିନ୍ ଅଏଲ୍ ପ୍ରସ୍ତୁତି ସମ୍ପର୍କରେ ଖବର ପାଇ ସଦଳବଳେ ଚଢ଼ଉ କରିଥିଲେ ଟାଉନ୍ ଥାନା ଆଇଆଇସି ସୁରେଶ କୁମାର ତ୍ରିପାଠୀ । ସାଧାରଣ ଅଏଲ୍ ରେ କଲର୍ ଓ ବିଭିନ୍ନ ରାସାୟନିକ ପଦାର୍ଥ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିଲା ଏହି ନକଲି ଲୁବ୍ରିକାଂଟ । ନାମୀ ଦାମୀ କମ୍ପାନୀର ଡ଼ବାରେ ଏହି ନକଲି ଅଏଲ୍ କୁ ପ୍ୟାକ୍ କରି ବଜାରକୁ ପଠାଯାଉଥିଲା । ବିଭିନ୍ନ କମ୍ପାନୀର ଡ଼ବା ସାଙ୍ଗକୁ ଅନ୍ୟାନ୍ୟ ସାମଗ୍ରୀ କୋଲକାତା ଏମଜି ରୋଡ଼ରୁ ଅଭିଯୁକ୍ତ ଜଣକ ଆଣି ବ୍ରହ୍ମପୁରରେ ନକଲି ମୋବିଲି ଅଏଲ୍ ପ୍ରସ୍ତୁତ କରୁଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ, ନକଲି ସାମଗ୍ରୀରୁ ପ୍ରସ୍ତୁତିର ହବ୍ ପାଲଟିଛି ବ୍ରହ୍ମପୁର ସହର । ପୂର୍ବରୁ ନକଲି ଘିଅ ଓ ନକଲି ପାନ ମସଲା ପ୍ରସ୍ତୁତ କରାଯାଉଥିଲା । ବିଭିନ୍ନ ସମୟରେ ବହୁ ଖାଦ୍ୟ ସାମଗ୍ରୀ ମଧ୍ୟ ଅପମିଶ୍ରଣ କରାଯାଇ ନାମୀଦାମୀ କମ୍ପାନୀର ବ୍ରାଣ୍ଡରେ ବଜାରକୁ ଛଡାଯାଉଥିଲା । ବର୍ତମାନ ନକଲି ଲୁବ୍ରିକାଂଟ ପ୍ରସ୍ତୁତିର ପର୍ଦାଫାଶ ହୋଇଛି । ବ୍ରହ୍ମପୁର ବଜାରରୁ ଏହି ଅଏଲ୍ କୁ ଗ୍ରାମାଚଂଳକୁ ଛଡାଯାଉଥିଲା । ବାସ୍ତବରେ ଗୋଟିଏ ଇଞ୍ଜିନ୍ ଅଏଲ୍ ଡ଼ବାର ବଜାର ମୂଲ୍ୟ ୨୮୦ ଟଙ୍କା ରହିଥିବା ବେଳେ ନକଲି ମୋବିଲି ବୋତଲ ମାତ୍ର ୧୦୦ ଟଙ୍କାରେ ବିକ୍ରୀ କରାଯାଉଥିଲା । ଗୋଟିଏ ଡ଼ବାରେ ୧୮୦ ଟଙ୍କା ଲାଭ ହେଉଥିବାରୁ ଦୋକାନୀ ମାନେ ମଧ୍ୟ ଏହି ସାମଗ୍ରୀ କିଣିବାକୁ ଆଗ୍ରହୀ ହେଉଥିଲେ । ବ୍ରହ୍ମପୁର ଟାଉନ୍ ଥାନା କେସ୍ ନଂ ୨୫୭/୨୦ରେ ରୁଜ୍ଜୁ କରାଯିବା ସହିତ ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରା ଉଚୁରା ଜାରୀ ରଖିଛି ।